ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା: ଦିନକୁ ଦିନ ଯୌତୁକ ନିର୍ଯାତନା ବିଭତ୍ସ ରୂପ ନେବାରେ ଲାଗିଛି। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ବାଲିସୁଆଁ ଗାଁରେ ଭାରତୀ ସ୍ୱାଇଁ ନାମକ ଜଣେ ମହିଳାଙ୍କୁ ତାଙ୍କ ଶାଶୂ, ନଣନ୍ଦ ମିଶି ହାତଗୋଡ଼ ବାନ୍ଧି କିରୋସିନ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଫଳରେ ଭାରତୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଏହାସହ ନିଆଁରେ ନିଶାକର ସ୍ୱାଇଁଙ୍କ ଦୁଇ ବଖରା ଘର ପୋଡ଼ି ଯାଇଛି।

ଗତ ରବିବାର ରାତି ପ୍ରାୟ ୧୦ଟାରେ ବାଲିସୁଆଁ ଗାଁର ନିଶାକର ସ୍ୱାଇଁଙ୍କ ଘରେ ଚିତ୍କାର ଶୁଣି ପାଖ ପଡ଼ୋଶୀ ଛାନିଆ ହୋଇ ଧାଇଁ ଯାଇଥିଲେ। ସେତେବେଳକୁ ନିଶାକରଙ୍କ ବୋହୂ ଭାରତୀ ଘରେ ନିଆଁରେ ପୋଡ଼ି ହୋଇ ଛଟପଟ ହେଉଥିଲେ। କବାଟ ଭାଙ୍ଗି ଭାରତୀଙ୍କୁ ଗାଁ ଲୋକେ ଉଦ୍ଧାର କରିଥିଲେ। ଭାରତୀଙ୍କୁ ତାଙ୍କ ଶାଶୂ  ଓ ତିନି ଜଣ ନଣନ୍ଦ ମିଶି ହାତଗୋଡ଼ ବାନ୍ଧି କିରୋସିନ ଢାଳି ନିଆଁ ଲଗାଇ ଦେଲେ ବୋଲି ମୁମୂର୍ଷୁ ଅବସ୍ଥାରେ ଥିବା ଭାରତୀଙ୍କର ଏହି ବୟାନ ଏବେ ଭାଇରାଲ ହେବାରେ ଲାଗିଛି।

ନିଆଁରେ ପୋଡ଼ି ଯାଇଥିବା ଭାରତୀଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଓ ପରେ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସୋମବାର ସକାଳେ ଭାରତୀଙ୍କର କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସା ସମୟରେ ମୃତ୍ୟୁ ହୋଇଛି।

ଏନେଇ ଭାରତୀଙ୍କ ଭାଇ ରଶ୍ମୀରଞ୍ଜନ ଦାସ ମାର୍ଶାଘାଇ ଥାନାରେ ଅଭିଯୋଗ କରିଛନ୍ତି।

୨୦୧୫ ମସିହାରେ ଭାରତୀ ବାଲିସୁଆଁ ଗାଁର ନିଶାକର ସ୍ୱାଇଁଙ୍କ ପୁଅ ନିର୍ମଳଙ୍କୁ ବିବାହ କରିଥିଲେ। ବିବାହ ସମୟରେ ଭାରତୀଙ୍କ ବାପା ଗଗନ ଦାସ ଜ୍ୱାଇଁଙ୍କୁ ନଗଦ ୧ ଲକ୍ଷ ଟଙ୍କା ଯୌତୁକ ଦେଇଥିଲେ।

ବାହାଘର ପରେ ଅଧିକ ୫୦ ହଜାର ଟଙ୍କା ଯୌତୁକ ଦାବି କରି ଆସୁଥିଲେ ନିର୍ମଳଙ୍କ ପରିବାର ଲୋକେ। ଏପରିକି ବିବାହ କରିଥିବା ଭାରତୀଙ୍କ ଦୁଇ ନଣନ୍ଦ ମଧ୍ୟ ଭାରତୀଙ୍କୁ ଯୌତୁକ ନିର୍ଯାତନା ଦେଇ ଆସୁଥିଲେ। ନିର୍ମଳ ବେଙ୍ଗାଳୁରୁରେ ଏକ କମ୍ପାନିରେ ଚାକିରି କରୁଥିଲେ।

ରବିବାର ରାତିରେ ଯୌତୁକ ନିର୍ଯାତନା ଉଗ୍ର ରୂପ ନେଇଥିଲା। ରାତି ପ୍ରାୟ ୧୦ଟା ବେଳକୁ ଭାରତୀଙ୍କୁ ତାଙ୍କ ଶାଶୂ ସରସ୍ୱତୀ, ନଣନ୍ଦ ସୁକାନ୍ତି, ବାସନ୍ତୀ ଓ ସାଗରିକା ମାଡ଼ିବସି ହାତ ଗୋଡ଼ ବାନ୍ଧି କିରୋସିନ ଢାଳି ନିଆଁ ଲଗେଇ ଦେଇଥିବା ଥାନାରେ ଅଭିଯୋଗ ହୋଇଛି।

ମାର୍ଶାଘାଇ ଥାନା ଆଇଆଇସି କାଳନ୍ଦି ବେହେରା ରବିବାର ଘଟଣାସ୍ଥଳରେ ପହଞ୍ଚି ୩ ନଣନ୍ଦ ଓ ଶାଶୂଙ୍କୁ ଥାନାକୁ ଆଣି ଅଟକ ରଖିଛନ୍ତି।  ଭାରତୀଙ୍କ ଭାଇ ରଶ୍ମୀରଞ୍ଜନଙ୍କ ଅଭିଯୋଗ କ୍ରମେ ମାର୍ଶାଘାଇ ଥାନାରେ ଏକ ମାମଲା ରୁଜୁ କରିଛି ପୋଲିସ।

ପୋଲିସ ଏହି ମାମଲାରେ ୪୯୮ ଏ , ୪ ଡିପି ଆକ୍ଟ , ୩୦୭, ୪୩୬ ଓ ୩୪ ଦଫା ଲଗାଇଛି।  କଟକ ବଡ଼ ଡାକ୍ତରଖାନାରୁ ଭାରତୀଙ୍କର ମୃତ୍ୟୁକାଳୀନ ଜମାନବନ୍ଦି ଆଣିବାକୁ ପୋଲିସ ଯାଉଥିଲା। ଭାରତୀଙ୍କର ମୃତ୍ୟୁ ହୋଇଯାଥିବା ଖବର ପାଇ ଅଧା ବାଟରୁ ଫେରି ଆସିଥିଲା।

ତେବେ ଭାରତୀଙ୍କ ବେସରକାରୀ ଭାବରେ ଦେଇଥିବା ବୟାନ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି। ଏହାକୁ ଆଧାର କରି ତଦନ୍ତକୁ ଆଗକୁ ନେବ ବୋଲି ଜଣାପଡ଼ିଛି। ଭାରତୀଙ୍କ ମୃତ୍ୟୁ ପରେ ୩୦୭ ଦଫା ୩୦୨କୁ ପରିବର୍ତ୍ତନ ହେବ ବୋଲି ଜଣାପଡ଼ିଛି।

Comment