ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅର୍କକ୍ଷେତ୍ର କୋଣାର୍କର ମୁକ୍ତାକାଶ ମଞ୍ଚରେ ଚାଲିଛି କୋଣାର୍କ ଉତ୍ସବ। ଗତ ଦୁଇ ଦିନ ଧରି ଶୀତୁଆ ସନ୍ଧ୍ୟାରେ ଦର୍ଶକ ପ୍ରଖ୍ୟାତ ନୃତ୍ୟଶିଳ୍ପୀଙ୍କ ନୃତ୍ୟରେ ଝୁମିଥିବା ବେଳେ ତୃତୀୟ ସନ୍ଧ୍ୟାରେ ମଧ୍ୟ ଓଡ଼ିଶୀ ଓ କୁଚିପୁଡ଼ି ନୃତ୍ୟରେ ମତୁଆଲା ହୋଇଛନ୍ତି।

କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା ଓଡ଼ିଶୀ ଏବଂ କୁଚିପୁଡ଼ି ନୃତ୍ୟ। ଓଡ଼ିଶୀ ନୃତ୍ୟରେ ‘ଲୀଳା ମାଧୁରୀ’ ଓଡ଼ିଆ ସାହିତ୍ୟର ରୀତି ଯୁଗୀୟ ସାଧକ କବିସୂର୍ଯ୍ୟ ବଳଦେବ ରଥଙ୍କ ଅନବଦ୍ୟ କୃତି କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ ଆଧାରିତ  କ ଠାରୁ କ୍ଷ ବର୍ଣ୍ଣମାଳାଯୁକ୍ତ ପଦ୍ୟାବଳିକୁ ନେଇ ଶ୍ରୀରାଧା ଓ ଶ୍ରୀକୃଷ୍ଣଙ୍କ ମିଳନ ଓ ପ୍ରଣୟ ଉପରେ ପର୍ଯ୍ୟବେସିତ ହୋଇଥିଲା। ଏହାକୁ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର କଳାକାରମାନେ ପରିବେଷଣ କରିଥିଲେ।

ଡକ୍ଟର ସଂଗୀତା ଗୋସାଇଁଙ୍କ ପରିକଳ୍ପନା ଓ ପ୍ରଫେସର ନବ କିଶୋର ମିଶ୍ରଙ୍କ ପ୍ରସ୍ତୁତି ଆଲେଖ୍ୟରେ ସଂଗୀତ ସଂଯୋଜନା କରିଥିଲେ ଗୁରୁ ସ୍ୱପ୍ନେଶ୍ୱର ଚକ୍ରବର୍ତ୍ତୀ। ତାଳବାଦ୍ୟ ରଚନା ଗୁରୁ ସଚିଦାନନ୍ଦ ଦାସ କରିଥିବା ବେଳେ ନୃତ୍ୟ ସଂରଚନା କରିଥିଲେ ଗୁରୁ ନବ କିଶୋର ମିଶ୍ର ଓ ଗୁରୁ ଯୁଧଷ୍ଠିର ନାୟକ।

ଦ୍ୱିତୀୟ ଚରଣରେ ଖ୍ୟାତନାମା କୁଚିପୁଡ଼ି ନୃତ୍ୟଶିଳ୍ପୀ ଶ୍ରୀଲକ୍ଷ୍ମୀ ଗୋବର୍ଦ୍ଧନ ଓ ସାଥୀ ପ୍ରସ୍ତୁତି କରିଥିଲେ ବିଶିଷ୍ଟ ସଂଗୀତ ବିଦ୍ୱାନ ପଣ୍ଡିତ ଡକ୍ଟର ଏମ୍ ବାଲମୁରଲୀକ୍ରିଷ୍ଣନଙ୍କ ଗଣେଶ, ହନୁମାନ ଓ କୃଷ୍ଣ ସ୍ତୁତି ଉପରେ ଆଧାରିତ ଆବାହାନୀ ନୃତ୍ୟ। ଏହା ରାଗ-ଆରଭୀ ଓ ଆଦିତାଳରେ ପର୍ଯ୍ୟବେସିତ ଥିଲା।

ପରେ ପରିବେଷିତ ହୋଇଥିଲା ରାମାୟଣର ଚରିତ୍ର ସୂର୍ପଣଖାର ଦୁଃଖ ଓ ଅସହାୟତାର କାହାଣୀ। ଦଶାନନଙ୍କ ନିଧନ ପରେ ସୂର୍ପଣଖା ନିଜକୁ ଅସହାୟ ମନେକରି ରାମ ଓ ଲକ୍ଷ୍ମଣଙ୍କ ଦ୍ୱାରା ପୂର୍ବ ନିର୍ଯ୍ୟାତନାର ସ୍ମୃତିକୁ ରୋମନ୍ଥନ କରି  ବିଷାଦଗ୍ରସ୍ତ ହେବାର ଅନୁଭବକୁ ଶିଳ୍ପୀଗଣ ଚତ୍ମକାର ଭାବେ ମଞ୍ଚରେ ଉପସ୍ଥାପିତ କରିଥିଲେ।

କୁଚିପୁଡ଼ିର ଅନ୍ତିମ ଉପସ୍ଥାପନା ଥିଲା ତିଲ୍ଲାନା। ଏହା ପଲ୍ଲବୀ ଅନୁପଲ୍ଲବୀ ଓ ଚରଣମଂ ଛନ୍ଦ ଆଧାରରେ କୃଷ୍ଣଙ୍କୁ ସମର୍ପିତ ହୋଇଥିଲା।

ଅଧ୍ୟାପକ ଡକ୍ଟର ମୃତ୍ୟୁଞ୍ଜୟ ରଥ ଓ ଡକ୍ଟର ସାଧନା ଶ୍ରୀବାସ୍ତବ ମଞ୍ଚ ପରିଚାଳନା କରିଥିଲେ। ତୃତୀୟ ସନ୍ଧ୍ୟାକୁ  ଉଦଘାଟନ କରିଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ, ଓଡ଼ିଶାର ପ୍ରଧାନ ମହାଲେଖାକାର ମଧୁମିତା ବସୁ ଓ ବଶିଷ୍ଟ ହକି ତାରକା ତଥା ଓଡ଼ିଶା ପର୍ଯ୍ୟଟନ ନିଗମ ଉନ୍ନୟନର  ଅଧ୍ୟକ୍ଷ ଦିଲ୍ଲିପ ତିର୍କୀ।

କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଉତ୍ପଳ କୁମାର ପତି, ସଂଗୀତ ନାଟକ ଏକାଡେମୀର ସଚିବ ଡକ୍ଟର ବିଜୟ କୁମାର ଜେନା, ଭବାନୀ ଚରଣ ପଣ୍ଡା, ଭାବଗ୍ରାହି ସାହୁ।

Comment