ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଣାର୍କ ଏବଂ ଓଡ଼ିଶାର ବିଧାୟକମାନଙ୍କ ବିରୋଧରେ ଅପମାନସୂଚକ ମନ୍ତବ୍ୟ ଦେଇଥିବା ସାମ୍ବାଦିକ ଅଭିଜିତ ଆୟାର ମିତ୍ରଙ୍କୁ କ୍ଷମା ଦେଲେ ରାଜ୍ୟ ସରକାର। ତାଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

କ୍ଷମା ଦେବା ପାଇଁ ଅଭିଜିତ ରାଜ୍ୟ ସରକାରଙ୍କୁ ଗତ କିଛିଦିନ ତଳେ ଚିଠି ଲେଖି ନିବେଦନ କରିଥିଲେ। ଏହାକୁ ଆଧାର କରି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ଅଭିଜିତ ଆୟାର ମିତ୍ର କୋଣାର୍କ ମନ୍ଦିର ପରିସରରେ ଛିଡ଼ା ହୋଇ ଅରୁଚିକର ମନ୍ତବ୍ୟ ଦେଇଥିବା ଏକ ଭିଡିଓ ନିଜ ଟୁଇଟର ଆକାଉଣ୍ଟରେ  ପୋଷ୍ଟ କରିଥିଲେ। ଏହାକୁ ନେଇ ଓଡିଶାରେ ଝଡ଼ ଉଠିଥିଲା। ଅଭିଜିତ ଆୟର ମିତ୍ରଙ୍କୁ ଗିରଫ କରିବାକୁ ବିଧାୟକମାନେ ଦାବି କରିଥିଲେ। ଓଡ଼ିଶା ବିଧାନସଭାରେ ଅଭିଜିତଙ୍କ ଏହି ମନ୍ତବ୍ୟକୁ ଦଳମତ ନିର୍ବିଶେଷରେ ସମସ୍ତେ ନିନ୍ଦା କରିଥିଲେ। ହେଲେ ଏଥିରେ ନରମି ନଥିଲେ ଅଭିଜିତ। ଓଲଟି ବିଧାୟକମାନଙ୍କୁ ‘ବୁଦୁ’ବୋଲି ସମ୍ବୋଧନ କରିଥିଲେ।

ଏହାପରେ ଅଭିଜିତ ଆୟାରଙ୍କୁ ସମନ କରିଥିଲା ବିଧାନସଭା ଗୃହ କମିଟି। ଅକ୍ଟୋବର ୧୧ ତାରିଖ ସକାଳ ୧୧ଟାରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ହଜାର ହେବାକୁ ଆୟାରଙ୍କୁ କୁହାଯାଇଥିଲା। ହେଲେ ଅଭିଜିତ ୧୧ ତାରିଖ ଦିନ ଓଡ଼ିଶା ଆସି ନଥିଲେ। ଏହାପରେ ସେ ବିଧାନସଭା ଗୃହ କମିଟିକୁ ମେଲ୍ କରି କ୍ଷମା ମାଗିବା ସହ ଆଉ ଗୋଟିଏ ତାରିଖରେ ହାଜର ହେବାକୁ ଅନୁମତି ଦେବାକୁ ନିବେଦନ କରିଥିଲେ।

ଓଡିଶା ବିଧାନସଭା ଗୃହ କମିଟି ସମ୍ମୁଖରେ ହାଜର ହେବା ପାଇଁ ଅଭିଜିତ ଆୟାରଙ୍କୁ ଆଉଥରେ ସମନ କରାଯାଇଥିଲା। ଅକ୍ଟୋବର ୨୩ରେ ଗୃହ କମିଟିରେ ହାଜର ହୋଇଥିଲେ ଅଭିଜିତ।

ବିଧାନସଭା ଗୃହ କମିଟିରେ ହାଜିର ହୋଇ ଅଭିଜିତ ନିଜର ପକ୍ଷ ରଖିବା ସହ କ୍ଷମା ମାଗିଥିଲେ। ଏହାପରେ ସହିଦନଗର ଥାନା ପୋଲିସ ଅଭିଜିତଙ୍କୁ ଜେରା କରିବା ପରେ ଗିରଫ କରିଥିଲା। ଏହାପରେ କୋଣାର୍କ ପୋଲିସ ଅଭିଜିତଙ୍କୁ ରିମାଣ୍ଡରେ ନେଇଥିଲା।

କୋଣାର୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଅଭିଜିତଙ୍କ ବିରୋଧରେ ସହିଦନଗର ଏବଂ କୋଣାର୍କ ଥାନାରେ ଏତଲା ହୋଇଥିଲା।

Comment