ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମସ୍ତେ ଜାଣନ୍ତି ପୋଲିସ ବର୍ଦ୍ଦି ଖାକି। ହେଲେ ପଶ୍ଚିମବଙ୍ଗରେ ବ୍ୟତିକ୍ରମ କାହିଁକି?

ଖାକି ବର୍ଦ୍ଦିର ରହିଛି ସ୍ୱତନ୍ତ୍ର ପରିଚୟ। ଦେଶରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସବଳ ଗଠନ କରାଯାଇଛି। ସହର ହେଉ କି ଗାଁ, ରାତିରେ ଆମେ ନିଶ୍ଚିତରେ ଶୋଇଥାଉ। କାରଣ ପୋଲିସ ଆମକୁ ସୁରକ୍ଷା ଦେଇଥାଏ।

ଧୁ ଧୁ ଖରା ହେଉ କି ମୂଷଳ ବର୍ଷାରେ ଲୋକେ ଘରୁ ବାହାରୁ ନଥିବା ବେଳେ ପୋଲିସ କର୍ମଚାରୀମାନେ ରାସ୍ତା ଉପରେ ଛିଡ଼ା ହୋଇ ସେମତି ନିଜର କର୍ତ୍ତବ୍ୟ କରିଥାନ୍ତି। ଖାକି ପୋଷାକ ପୋଲିସର ପରିଚୟ ହୋଇଥାଏ। କିନ୍ତୁ କେବେ ଭାବିଛନ୍ତି କି ତାଙ୍କ ପୋଷାକ ରଙ୍ଗ ଖାକି କ’ଣ ପାଇଁ ହୋଇଛି?

ଇଂରେଜ ଚାଲିଗଲେ, ଖାକି ବର୍ଦ୍ଦି ଛାଡ଼ିଗଲେ

ଖାକିର କାହାଣୀ ଇଂରେଜ ଅମଳରୁ ରହିଆସିଛି। ବ୍ରିଟିଶ ଶାସନରେ ଯେତେବେଳେ ପୋଲିସ ଗଠନ ହୋଇଥିଲା, ସେତେବେଳେ ପୋଲିସ ଧଳା ରଙ୍ଗର ପୋଷାକ ପିନ୍ଧୁଥିଲେ। କିନ୍ତୁ ଅଧିକ ସମୟ ଧରି କାମ କରିବାରୁ ପୋଷାକ ଜଲଦି ମଇଳା ହୋଇଯାଉଥିଲା। ଏହି କାରଣରୁ ପୋଲିସକର୍ମୀ ବି ଚିନ୍ତାରେ ପଡ଼ିଥିଲେ।

ଦ୍ୱିତୀୟ କଥା ହେଉଛି ପୋଷାକ ହେଉଛି ତାଙ୍କର ପରିଚୟ। ନିଜର ମଇଳାକୁ ଲୁଚାଇବା ପାଇଁ ସେତେବେଳେ ପୋଲିସ ଅଧିକାରୀ ପୋଷାକକୁ ଅଲଗା ଅଲଗା ରଙ୍ଗ କରିଦେଇଥିଲେ।

କିଛି ଜାଗାରେ ପୋଲିସ କର୍ମୀ ଧଳା ରଙ୍ଗକୁ ନୀଳ ଦେଇ ହାଲକା ନୀଳରେ ପରିଣତ କରୁଥିଲେ। ଅନ୍ୟ କିଛି ସ୍ଥାନରେ ପୋଲିସ ପୋଷାକ ବିଭିନ୍ନ ପ୍ରକାରର ଦେଖାଯାଇଥିଲା। ଏହାକୁ ନେଇ ବରିଷ୍ଠ ଅଧିକାରୀ ଏକ ନିୟମ ପ୍ରଣୟନ କରି ଖାକି ରଙ୍ଗ କରିଦେଇଥିଲେ। ଖାକି ରଙ୍ଗ ହେଉଛି ଧୂଳି ଓ ମାଟିର ରଙ୍ଗ।

୧୮୪୭ ମସିହାରୁ ଭାରତରେ ପୋଲିସ ପୋଷାକ ଖାକି ରଙ୍ଗ ହୋଇଆସିଛି। ଦେଶର ଚାରିଆଡ଼େ ପୋଲିସ କର୍ମୀ ଖାକି ପୋଷାକ ପିନ୍ଧୁଥିବା ବେଳେ କୋଲକାତାର ପୋଲିସ କର୍ମଚାରୀ ଧଳା ରଙ୍ଗ ପିନ୍ଧି ଆସୁଛନ୍ତି।

୧୮୪୫ରେ ଇଂରେଜମାନେ କୋଲକାତାରେ ପୋଲିସ ବଳ ଗଠନ କରିଥିଲେ। ନିୟମ ଅନୁସାରେ ସେମାନଙ୍କୁ ଧଳା ରଙ୍ଗର ପୋଷାକ ଦିଆଯାଇଥିଲା। ପରେ ୧୮୪୭ ମସିହାରେ ହେରି ଲମ୍ସଡେନ୍ ଖାକି ରଙ୍ଗର ପୋଷାକ ପିନ୍ଧିବା ପାଇଁ ପ୍ରସ୍ତାବ ଦେଇଥିଲେ। କିନ୍ତୁ କୋଲକାତା ପୋଲିସ ଏହାକୁ ଖାରଜ କରିଦେଇଥିଲା। କୋଲକାତା ନଦୀ ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବାରୁ ଧଳା ରଙ୍ଗ ରଖିବାକୁ ସଫେଇ ଦିଆଯାଇଥିଲା।

୧୮୬୧ ମସିହାରେ ଯେତେବେଳେ ପଶ୍ଚିମବଙ୍ଗରେ ପୋଲିସ ବାହିନୀ ଗଠନ କରାଗଲା ସେ ସମୟରେ ପୂରା ରାଜ୍ୟରେ ପୋଲିସ ପୋଷାକ ଧଳା ହୋଇଥିଲା। ପୋଲିସ ପୋଷାକ ରଙ୍ଗ ଧଳା ଥିବାରୁ ଗରମରୁ ରକ୍ଷା ଦେବା ସହ ମନରେ ଶାନ୍ତିଭାବ ସୃଷ୍ଟି ହୋଇଥିଲା।

ଏହି କାରଣରୁ ଦେଶବ୍ୟାପି ପୋଲିସ ପୋଷାକ ଖାକି ହୋଇଥିଲା ବେଳେ ପଶ୍ଚିମବଙ୍ଗ ପୋଲିସର ପୋଷାକ ଧଳା ରହିଛି। ଏହି ନିୟମ ଆଜି ପର୍ଯ୍ୟନ୍ତ ଚାଲୁଛି। ମୋଟାମୋଟି ଭାବେ କହିବାକୁ ଗଲେ ଦେଶରୁ ଇଂରେଜମାନେ ପଳାଇଲେ ମଧ୍ୟ ଖାକି ବର୍ଦ୍ଦିର ଛାପ ଆଜି ପର୍ଯ୍ୟନ୍ତ ରହିଛି।

Comment