ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ଦେଶରେ ପୋଲିସ ଖାକି ପୋଷାକ ପିନ୍ଧୁଥିଲାବେଳେ, କାହିଁକି କୋଲକାତା ପୋଲିସ୍ ପିନ୍ଧନ୍ତି ଧଳା ରଙ୍ଗର ପୋଷାକ?

ସାରାଦେଶରେ ଆପଣ ପୋଲିସମାନଙ୍କୁ ଖାକି ପୋଷାକରେ ଦେଖିଥିବେ। ଏମାନେ ସବୁବେଳେ ଏହି ଖାକି ପୋଷାକ ପିନ୍ଧି ନିଜର ଡ୍ୟୁଟି କରିଥାନ୍ତି। ତେବେ ଆପଣ କେବେ କୋଲକାତା ପୋଲିସକୁ ଦେଖିଛନ୍ତି କି? ଏମାନେ ସବୁବେଳେ ଧଳାରଙ୍ଗର ପୋଷାକ ପିନ୍ଧିଥିବା ନଜର ଆସିଥାନ୍ତି। ତେବେ ସାରା ଭାରତରେ ପୋଲିସ୍ ଖାକି ପୋଷାକ ପିନ୍ଧୁଥିବାବେଳେ କୋଲକାତାରେ କଣ ପାଇଁ ରହିଛି ଭିନ୍ନ, ଆସନ୍ତୁ ଜାଣିବା।

କାହିଁକି କୋଲକାତା ପୋଲିସର ଧଳାରଙ୍ଗର ୟୁନିଫର୍ମ?

କୋଲକାତା ପୋଲିସର ଧଳାରଙ୍ଗର ଡ୍ରେସ ପିନ୍ଧିବାର କାରଣ ଇଂରେଜ ଶାସନ ସହ ଜଡ଼ିତ। କୋଲକାତା ପୋଲିସ ୧୮୫୪ ମସିହାରେ ଗଠନ କରାଯାଇଥିଲା। ସେ ସମୟରେ ସାରା ଦେଶରେ ପୋଲିସମାନେ ଖାକି ପୋଷାକ ପିନ୍ଧୁଥିଲେ, କିନ୍ତୁ କୋଲକାତା ପୋଲିସ ପାଇଁ ଧଳା ରଙ୍ଗର ପୋଷାକ ନିର୍ମାଣ କରାଯାଇଥିଲା।

କୋଲକାତା ସହର ସମୁଦ୍ର କୂଳରେ ରହିଥିବା ହେତୁ ସେଠାରେ ଅଧିକ ଗରମ ଅନୁଭୂତ ହୋଇଥାଏ। ତେବେ ଡ୍ୟୁଟି ସମୟରେ ଗରମରୁ ରକ୍ଷା ପାଇବା ପାଇଁ ସେଠାକାର ପୋଲିସ ଅଧିକାରୀମାନେ ଧଳାରଙ୍ଗର ୟୁନିଫର୍ମ ପାଇଁ ଦାବି କରିଥିଲେ। ତେଣୁ କୋଲକାତା ପୋଲିସ ପାଇଁ ଧଳାରଙ୍ଗର ପୋଷାକ କରାଯାଇଥିଲା।

ଭାରତ ସ୍ୱାଧୀନ ପରେ ଇଂରେଜମାନେ ଦେଶରୁ ଚାଲିଯାଇଥିଲେ ସତ କିନ୍ତୁ କୋଲକାତା ପୋଲିସ ୟୁନିଫର୍ମର ରଙ୍ଗ ଆଜି ମଧ୍ୟ ଧଳା ହୋଇ ରହିଛି। ଆଜି ବି କୋଲକାତା ପୋଲିସ୍ ଏହି ଧଳା ରଙ୍ଗର ୟୁନିଫର୍ମରେ ନଜର ଆସିଥାନ୍ତି। ତେବେ ପଶ୍ଚିମବଙ୍ଗ ପୋଲିସର ୟୁନିଫର୍ମର ରଙ୍ଗ ସମସ୍ତଙ୍କ ଭଳି ଖାକି ରଙ୍ଗ ରହିଛି।

ଆହୁରି ଗୋଟିଏ ମଜାଦାର କଥା ହେଲା ଯେ, ପଶ୍ଚିମବଙ୍ଗ ପୋଲିସ ଗଠନ ହେବା ପୂର୍ବରୁ କୋଲକାତା ପୋଲିସ୍ ଗଠନ ହୋଇଛି।

Comment