ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କୋଲାକାତାର ଇଡେନଗାର୍ଡେନ ଷ୍ଟାଡିୟମ ହେବ କ୍ଵାରେଣ୍ଟାଇନ ସେଣ୍ଟର। ଏନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି। ଭାରତରେ କରୋନା ଭାଇରସ କାୟା ବିସ୍ତାର କରିବାକୁ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଇଡେନଗାର୍ଡେନର ଖେଳାଳି ପ୍ରକୋଷ୍ଠକୁ କ୍ଵାରେଣ୍ଟାଇନ ସେଣ୍ଟର ଭାବେ ବ୍ୟବହାର କରିବାକୁ ପଶ୍ଚିମବଙ୍ଗ ସରକାରକୁ ପ୍ରସ୍ତାବ ଦେଇଛନ୍ତି ସୌରଭ ଗାଙ୍ଗୁଲି।

“ଯଦି ସରକାର ଚାହିଁବେ ତେବେ ଇଡେନଗାର୍ଡେନର ଖେଳାଳି ପ୍ରକୋଷ୍ଠକୁ କ୍ଵାରେଣ୍ଟାଇନ ପ୍ରକୋଷ୍ଠ ଭାବରେ ବ୍ୟବହାର କରିପାରିବେ। କରୋନା ଭଳି ମହାମାରୀର ମୁକାବିଲା କରିବା ପାଇଁ ଆମ ଦ୍ଵାରା ଯାହା ସମ୍ଭବ ତାହା କରିବୁ”, ଏକ ସାକ୍ଷାତକାରରେ ଏହା କହିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି।

ଏହାସହ କିଛିଦିନ ତଳେ ଟୁଇଟରରେ କୋଲକାତା ସହରର ଫଟୋ ସେୟାର କରି ସୌରଭ ଗାଙ୍ଗୁଲି କହିଥିଲେ ଯେ, ମୋ ସହର ଏମିତିଆ ଦୃଶ୍ୟ ପ୍ରଥମଥର ପାଇଁ ଦେଖୁଛି। ଶୀଘ୍ର ଏହି ପରିସ୍ଥିତିର ପରିବର୍ତ୍ତନ ହେବ। ସୁରକ୍ଷିତ ରୁହନ୍ତୁ।

ଏହାପୂର୍ବରୁ ପଣ୍ଡିଚେରୀ କ୍ରିକେଟ ଆସୋସିଏସନ ମଧ୍ୟ ଥୁଟିପେଟ୍ କ୍ରିକେଟ କ୍ୟାମ୍ପସ୍‌ରେ କ୍ଵାରେଣ୍ଟାଇନ ସେଣ୍ଟର ଖୋଲିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା।

ବର୍ତ୍ତମାନ ସୁଦ୍ଧା ଦେଶରେ ୫୯୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାସହ ଦେଶରେ ୧୩ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କରୋନା ଭାଇରସକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ସାରାଦେଶକୁ ୨୧ ଦିନ ପାଇଁ ଲକ୍‌ଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଲକ୍‌ଡାଉନ ନିୟମ ମାନିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ବାହାର ଦେଶରୁ ଫେରିଥିବା ଲୋକଙ୍କୁ ୧୪ ଦିନ ପାଇଁ କ୍ଵାରେଣ୍ଟାଇନରେ ରହିବାକୁ କୁହାଯାଇଛି।

Comment