ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ପୌରାଞ୍ଚଳର ୧୫ ନମ୍ବର ୱାର୍ଡ ବଡହାଟ ମୌଜାର ମୁସଲିମ ବସ୍ତି କ୍ୟୁରେସିମହଲାରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଶନିବାର ଅପରାହ୍‌ଣ ୪ଟାଠାରୁ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ କରିବା ସହ ୪୮ ଘଣ୍ଟିଆ ସଟଡାଉନ୍ କରିଛି।

ଜଣେ ଯୁବକ କିଛିଦିନ ତଳେ ହାଇଦ୍ରାବାଦରୁ ଫେରି ସରକାରୀ କ୍ୱାରେଣ୍ଟାଇନରେ ୧୪ ଦିନ ରହି ଘରକୁ ଫେରିଥିଲେ। ଘରକୁ ଫେରିବାପରେ ସେ ପୁଣି ହାଇଦ୍ରାବାଦ ଓ କଟକ ଯାଇ ପୁଣି ଘରକୁ ଫେରିଥିଲେ। ହେଲେ ଆଉ କ୍ୱାରେଣ୍ଟାଇନରେ ରହିନଥିଲେ। ସେ ଅସୁସ୍ଥ ଥିବାରୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ଯାଇଥିଲେ। ହସ୍ପିଟାଲରେ ତାଙ୍କର ଆଣ୍ଟିଜେନ ପରୀକ୍ଷା କରାଯାଇଥିଲା। ସେ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ତାଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

CGU newଏହି ଅଞ୍ଚଳରୁ କେହି ବାହାରକୁ ଯାଇ ଆସି ପାରିବେ ନାହିଁ ବୋଲି ପ୍ରଶାସନ କଟକଣା ଜାରି କରିଛି। ଏହି ସମୟ ମଧ୍ୟରେ କେହି ଘରୁ ନବାହାରିବାକୁ ପ୍ରଶାସନ ଡାକବାଜି ଯନ୍ତ୍ର ଜରିଆରେ ସତର୍କ କରାଇଛି।

ଏହି ୪୮ ଘଣ୍ଟା ମଧ୍ୟରେ ସଂପୃକ୍ତ ଅଞ୍ଚଳରେ ଆକ୍ଟିଭ୍‌ ସର୍ଭେଲାନ୍ସ କରାଯିବ। ଏନେଇ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଏଡିଏମ୍ ଡାକ୍ତର ସଚିଦାନନ୍ଦ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି। କେନ୍ଦ୍ରାପଡା ପୌର ନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳ ଏହି ଅଞ୍ଚଳର ପରିମଳ ଓ ଅତ୍ୟାବଶ୍ୟକୀୟ ଯୋଗାଣ ଦାୟିତ୍ୱରେ ରହିଛନ୍ତି। ପୌରାଞ୍ଚଳର ସ୍ୱାସ୍ଥ୍ୟ ଅଫିସର ବୀରେନ୍ଦ୍ର କୁମାର ଦାସଙ୍କୁ ଲୋକମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ବୁଝିବା ଦାୟିତ୍ୱ ଦିଆଯାଇଛି। କେନ୍ଦ୍ରାପଡ଼ା ତହସିଲଦାର ହେମଲତା ବାହାଲିଆଙ୍କୁ ଆଇନଶୃଙ୍ଖଳା ଦାୟିତ୍ୱ ଦେଇଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା।

Comment