ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ଼ ‘ପେଥାଇ’ ଘଣ୍ଟା ପ୍ରତି ୧୬ କିଲୋମିଟର ବେଗରେ ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଏହା ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରି ସୋମବାର ଅପରାହ୍ନ ସୁଦ୍ଧା ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ପ୍ରତିକୂଳ ପରିବେଶ ଯୋଗୁଁ ଏହା ସ୍ଥଳଭାଗ ଛୁଇଁବା ପୂର୍ବରୁ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିବ ବୋଲି ଜଣାପଡ଼ିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୭୦ ରୁ ୯୦ କି.ମି. ରହିବ।

ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ବର୍ତ୍ତମାନ ଏହା ଶ୍ରୀଲଙ୍କାର ଟ୍ରିଙ୍କୋମାଲିଠାରୁ ୬୨୦ କି.ମି., ଚେନ୍ନାଇଠାରୁ ୨୬୦ କି.ମି., ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ୍‌ଠାରୁ ୨୮୦ କି.ମି. ଓ କାକିନାଡା ଠାରୁ ୩୩୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି।

ଘୂର୍ଣ୍ଣିଝଡ଼ ‘ପେଥାଇ’ର ପ୍ରଭାବରେ ସୋମବାର ଓ ମଙ୍ଗଳବାର ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବା ସହ ଆଉ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୪ ଟି ଜିଲ୍ଲା ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ କରାଯାଇଥିବା ବେଳେ ୧୧ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଥିବା ୪ଟି ଜିଲ୍ଲା ହେଉଛି ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି। ସେହିଭଳି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ଗୁଡ଼ିକ ହେଲା- ଗଞ୍ଜାମ, ପୁରୀ, ନବରଙ୍ଗପୁର, କଳାହାଣ୍ଡି , କନ୍ଧମାଳ, ନୂଆପଡ଼ା, ବରଗଡ଼, ବଲାଙ୍ଗିର, ଝାରସୁଗୁଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼।

ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ବନ୍ଦରରେ ୨ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।

Comment