ଓଡ଼ିଶାଲାଇଭ୍ ବ୍ୟୁରୋ
ଜିଏସଟି ପରିଷଦର ୩୨ତମ ବୈଠକ ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପ୍ରେସମିଟ। ଏବେ ବାର୍ଷିକ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା କମ୍ପାନି ଜିଏସଟି ଛାଡ ପାଇପାରିବେ। ବୈଠକରେ ଜିଏସଟି ଛାଡ, କମ୍ପୋଜିସନ ସ୍କିମ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
କ୍ଷୁଦ୍ର ବ୍ୟବସାୟୀଙ୍କୁ ନିର୍ବାଚନ ପୂର୍ବରୁ ଉପହାର ଦେଇଛନ୍ତି ମୋଦି ସରକାର। ଜିଏସଟିରେ କେତେକ ପରିବର୍ତ୍ତନ କରିଛନ୍ତି ସରକାର। ନୂଆ ନିୟମ ଅନୁସାରେ ଏବେ ବାର୍ଷିକ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା କମ୍ପାନି ଜିଏସଟି ଛାଡ ପାଇପାରିବେ। ପୂର୍ବରୁ ଏହି ସୀମା ୨୦ ଲକ୍ଷ ଥିଲା। ଏହାସହ ଉତ୍ତର ପୂର୍ବ ଓ ପାହାଡ଼ିଆ ରାଜ୍ୟ ଗୁଡିକରେ ଜିଏସଟି ଛାଡ ସୀମା ୨୦ ଲକ୍ଷକୁ ବୃଦ୍ଧି କରାଯାଇଛି। ଏହା ପୂର୍ବରୁ ଏହି ରାଜ୍ୟ ଗୁଡିକରେ ଏହାର ସୀମା ୧୦ ଲକ୍ଷ ଥିଲା। ଜିଏସଟି ପରିଷଦର ୩୨ତମ ବୈଠକ ପରେ ପ୍ରେସମିଟରେ ସୂଚନା କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ।
ଜିଏସଟିର ଛାଡ ସୀମା ବଢିବା ପରେ କ୍ଷୁଦ୍ର ବ୍ୟବସାୟୀଙ୍କୁ ଏଥିରୁ ମୁକ୍ତି ମିଳିଥିବା ବେଳେ ଏବେ ଟ୍ୟାକ୍ସ ଚୋରି ଘଟଣା ବଢିବାର ଆଶଙ୍କା କରାଯାଉଛି ।
ଜିଏସଟି ବୈଠକରେ ଜିଏସଟି ଛାଡ, କମ୍ପୋଜିସନ ସ୍କିମ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କମ୍ପୋଜିସନ ସ୍କିମର ଅବଧି ବଢାଇଯାଇଥିବା ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସୂଚନା ଦେଇଛନ୍ତି। ୧ କୋଟିରୁ ୧.୫ କୋଟିକୁ କମ୍ପୋଜିସନ ସ୍କିମର ପରଧିକୁ ବୃଦ୍ଧି କରାଯାଇଛି। ବାର୍ଷିକ ୧.୫ କୋଟି କାରବାର ଥିଲେ ବାର୍ଷିକ ରିଟର୍ଣ୍ଣ ଦାଖଲ କରିବାରେ ସୁବିଧା ହେବ। କମ୍ପୋଜିସନ ସ୍କିମ ଅଧିନରେ ବ୍ୟବସାୟିକ ସଂସ୍ଥାମାନେ ପ୍ରତି ତିନିମାସରେ ଟିକସ ଦେବେ କିନ୍ତୁ ବର୍ଷକୁ ଥରେ ଆୟକର ରିଟର୍ଣ୍ଣ ଦାଖଲ କରିପାରିବେ। ସେହିପରି ସେବା ପ୍ରଦାନକାରୀ ସଂସ୍ଥା ପାଇଁ ମଧ୍ୟ ଲାଗୁ ହେବ କମ୍ପୋଜିସନ ସ୍କିମ। ଆସନ୍ତା ଏପ୍ରିଲ ୧ରୁ ଏହା ଲାଗୁ ହେବ।


















