ଓଡ଼ିଶାଲାଇଭ୍ ବ୍ୟୁରୋ

  • ନବୀନ ନିବାସରେ ନୀତିଶ-ନବୀନ ସାକ୍ଷାତକାର
  • କୌଣସି ରାଜନୈତିକ ଅଲୋଚନା ହୋଇନଥିବା କହିଲେ ଦୁଇ ମୁଖ୍ୟମନ୍ତ୍ରୀ
  • ସାକ୍ଷତକାରକୁ ବିରୋଧୀ ଏକତାର ପ୍ରତୀକ ଦର୍ଶାଇଲା ଜେଡିୟୁ

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିଛନ୍ତି। ମଙ୍ଗଳବାର ଦିନ ନବୀନ ନିବାସରେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ଭେଟ ହୋଇଥିଲା। ଏହି ସାକ୍ଷାତ ସମୟରେ କୌଣସି ରାଜନୈତିକ ଅଲୋଚନା ହୋଇନଥିବା ଦୁଇ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

“ନୀତିଶ କୁମାର ମତେ ଭେଟିବାକୁ ଓଡ଼ିଶା ଆସିଛନ୍ତି। ଏହି ସାକ୍ଷତ ସମୟରେ ଆମ ମଧ୍ୟରେ କୌଣସି ରାଜନୈତିକ ଅଲୋଚନା ହୋଇନାହିଁ। ପୁରୀରେ ବିହାର ଭବନ ନିର୍ମାଣ ଲାଗି ଜାଗା ଯୋଗାଇ ଦେବା ପାଇଁ ପୂର୍ବରୁ ମତେ ମୁଖ୍ୟମନ୍ତ୍ରୀ ନୀତିଶ ଅନୁରୋଧ କରିଥିଲେ। ଏବେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏଥିପାଇଁ ଦେଢ଼ ଏକର ଜାଗା ମାଗଣାରେ ଯୋଗାଇ ଦିଆଯିବ”, କହିଛନ୍ତି ନବୀନ ପଟ୍ଟନାୟକ।

ନବୀନଙ୍କ ସହ ନୀତିଶଙ୍କର ସମ୍ପର୍କ ବହୁ ପୁରୁଣା ହୋଇଥିବାରୁ ଏହା ପୂର୍ବରୁ ସେ ଏକାଧିକ ଥର ନବୀନ ନିବାସ ଆସିଛନ୍ତି। ମଙ୍ଗଳବାର ଦିନ ରାଜନୈତିକ କାରଣକୁ ନେଇ ନୀତିଶ କୁମାର ନବୀନଙ୍କୁ ସାକ୍ଷତ କରିବାକୁ ଆସିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିବାବେଳେ ଏହାକୁ ଅସ୍ଵୀକାର କରିଥିଲେ ଦୁଇନେତା।

“ନବୀନ ପଟ୍ଟନାୟକ ଓ ମୁଁ ଭଲ ବନ୍ଧୁ। ଆମେ ଦୁହେଁ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ମନ୍ତ୍ରୀ ଥିଲୁ। ଆମର ସମ୍ପର୍କ ବହୁତ ପୁରୁଣା। ଆଜିର ଏହି ସାକ୍ଷତକାରରେ ମୋର ନବୀନଙ୍କ ସହ ବିରୋଧୀ ମେଣ୍ଟ ନେଇ କୌଣସି ଚର୍ଚ୍ଚା ହୋଇନାହିଁ। ଓଡ଼ିଶା ସରକାର ପୁରୀରେ ବିହାର ଭବନ ପାଇଁ ଜମି ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିବାରୁ ମୁଁ ବହୁତ ଖୁସି। ବିହାରରୁ ଆସୁଥିବା ତୀର୍ଥ ଯାତ୍ରୀ ଏଠାରେ ରହିପରିବେ”, କହିଛନ୍ତି ନୀତିଶ କୁମାର।

ଅନ୍ୟପଟେ ନୀତିଶ କୁମାରଙ୍କ ପାର୍ଟି ଜନତା ଦଳ (ୟୁନାଇଟେଡ) ବା ଜେଡିୟୁ ଏହି ସାକ୍ଷତକାରକୁ ବିରୋଧୀ ଏକତାର ପ୍ରତୀକ ଭାବେ ଦର୍ଶାଇଛି। ନୀତିଶ କୁମାର ବିନା କୌଣସି ବ୍ୟକ୍ତିଗତ ସ୍ଵାର୍ଥରେ କେନ୍ଦ୍ରରେ ବିରୋଧୀ ମେଣ୍ଟ ଗଠନ ପାଇଁ ଅଣ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏକାଠି କରୁଥିବା ପାର୍ଟି ପକ୍ଷରୁ ଟ୍ଵିଟ କରି କୁହାଯାଇଛି।

ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଙ୍ଗଳବାର ସକାଳେ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚି ସିଧାସଳଖ ନବୀନ ନିବାସ ଯାଇଥିଲେ। ତାଙ୍କୁ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଵାଗତ କରିଥିଲେ। ନୀତିଶ କୁମାର ନବୀନ ପଟ୍ଟନାୟକଙ୍କୁ ଏକ ଶାଲ୍ ଉପହାରରେ ଦେଇଥିଲେ। ସେହିପରି ନବୀନ ନୀତିଶଙ୍କୁ ରୂପାର ଏକ ପ୍ରତୀକାତ୍ମକ କୋଣାର୍କ ଚକ ଉପହାର ଦେଇଥିଲେ।

ଏହାପରେ ନୀତିଶ ନବୀନଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ। ଭୋଜନ ପରେ ଦୁଇନେତା ପ୍ରାୟ ଦେଢ଼ ଘଣ୍ଟା ଧରି କଥାବାର୍ତ୍ତା ହୋଇଥିଲେ। ଏହି ସାକ୍ଷାତକାର ସାରି ନୀତୀଶ କୁମାର ଭୁବନେଶ୍ଵର ବିମାନବନ୍ଦର ଯାଇ ସେଠାରୁ ପାଟନା ଫେରିଯାଇଥିଲେ।

Tags: #NaveenPatnaik #NitishKumar #Meeting #NaveenNibas #Bhubaneswar

 

 

Comment