ଓଡ଼ିଶାଲାଇଭ୍‌ ବ୍ୟୁରୋ

ବରଗଡ଼ ଧନୁଯାତ୍ରାର ମୁଖ୍ୟ ଚରିତ୍ର କଂସ ମହାରାଜାଙ୍କ ସହ ଟେଲିଫୋନ ଯୋଗେ ଓଡ଼ିଶାଲାଇଭ୍‌ ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥଙ୍କ କଥାବାର୍ତ୍ତା। ଓଡ଼ିଶାଲାଇଭ୍‌ ଏକ୍ସକ୍ଲୁସିଭ୍।

  • ୧୧ ତାରିଖରୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା
  • ୧୧ ଦିନ ଧରି ଚାଲିବ କଂସ ମହାରାଜାଙ୍କ ରାଜୁତି
  • ଓଡ଼ିଶାଲାଇଭ୍‌କୁ ଦେଲେ ଏକ୍ସକ୍ଲୁସିଭ ସାକ୍ଷାତକାର
  • ନୂଆ ବର୍ଷର ଅଭିନନ୍ଦନ ଜଣାଇଲେ କଂସ ମହାରାଜା
  • ଧନୁଯାତ୍ରାର ହିରୋ କଂସ ମହାରାଜା
  • ୨୦୧୭-୧୮ରୁ କଂସ ଭୂମିକାରେ ଅଭିନୟ କରୁଛନ୍ତି ଭୁବନେଶ୍ୱର ପ୍ରଧାନ
  • କଂସଙ୍କ ସଂଳାପରେ କମ୍ପିବ ରଙ୍ଗମହଲ

୨୦୧୭-୧୮ରୁ ଆପଣ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମଞ୍ଚରେ କଂସ ଭୂମିକାରେ ଅଭିନୟ କରୁଛନ୍ତି। ଚଳିତ ବର୍ଷ ବି ସୁଯୋଗ ପାଇଛନ୍ତି। ଏ ସମ୍ପର୍କରେ କ’ଣ କହିବେ?

ବରିଷ୍ଠ କଳାକାରମାନଙ୍କୁ ପଛରେ ପକାଇ ୨୦୧୭-୧୮ରେ ମୁଁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଥିଲି। ଚଳିତ ବର୍ଷ ମଧ୍ୟ ମତେ ଏହି ସୁଯୋଗ ମିଳିଛି। ଜାନୁଆରୀ ୧୧ ତାରିଖରୁ ଧନୁଯାତ୍ରା ଆରମ୍ଭ ହେଉଛି। ୨୧ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ଓଡ଼ିଶାଲାଇଭ୍‌ ଡିଜିଟାଲ ମିଡିଆ ମାଧ୍ୟମରେ ଏତିକି କହିବି ଯେ ୨୦୧୯ରେ ସମସ୍ତେ ଭଲରେ ରୁହନ୍ତୁ। ବରଗଡ଼ ଧନୁଯାତ୍ରାକୁ ଉପଭୋଗ କରନ୍ତୁ।

ଆପଣ ବିଭିନ୍ନ ଯାତ୍ରା ମଞ୍ଚରେ ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି। ତେବେ ୨୦୧୭-୧୮ରୁ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବାରୁ ଆପଣଙ୍କ ଅନୁଭୂତି କ’ଣ?

୧୯୯୩ ମସିହାରେ ବରଗଡ଼ ଧନୁଯାତ୍ରାରେ ମହାମନ୍ତ୍ରୀ ଭୂମିକାରେ ମୁଁ ଅଭିନୟ କରିଥିଲି। ଏହାସହ ସେହି ବର୍ଷଠାରୁ ମୁଁ ବିଭିନ୍ନ ସ୍ଥାନରେ ହେଉଥିବା ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିଲି। ୮୭ ଥର କଂସ, ୫୨ ଥର ରାବଣ, ୩୨ ଥର ଜଳନ୍ଧର, ମୁରାସୁର, ତାରକାସୁର, ହିରଣ୍ୟକଶିପୁ ଆଦି ଭୂମିକାରେ ଅଭିନୟ କରିଛି।

୧୯୯୮ରୁ ୨୦୦୦ ମସିହା ପର୍ଯ୍ୟନ୍ତ ମୁଁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ଅଭିନୟ କରିବାର ସୁଯୋଗ ପାଇଥିଲି। ପୁଣି ୨୦୧୭ରେ ଏହି ବିଶ୍ୱପ୍ରସିଦ୍ଧ ମଞ୍ଚରେ ସୁଯୋଗ ପାଇଛି। ଏହା ପଛରେ ମୋ’ ମା’ ବାପା, ସ୍ତ୍ରୀ, ପୁଅ ଏବଂ ବୋହୂମାନଙ୍କର ପ୍ରେରଣା ରହିଛି।

ଚଳିତ ଧୁନଯାତ୍ରାରେ କଂସ ମହାରାଜାଙ୍କ ଅଭିନୟରେ କ’ଣ ସ୍ୱତନ୍ତ୍ରତା ବା ନୂଆ କଥା ଦେଖିବାକୁ ମିଳିବ?

ଚଳିତ ବର୍ଷର ଧନୁଯାତ୍ରାରେ ଦର୍ଶକମାନେ ନୂଆ ସଂଳାପ, ଉଚ୍ଚକୋଟୀର ଅଭିନୟ ଏବଂ ଉଚ୍ଚକୋଟୀର ଅସ୍ତ୍ର ପରିଚାଳନା ଦେଖିବାକୁ ପାଇବେ। ଭାବ, ଭଙ୍ଗୀ ଏବଂ ଠାଣୀ ଏବର୍ଷ ଆହୁରି ଉଚ୍ଚକୋଟୀର ହେବ। ଏଣୁ ଦର୍ଶକମାନେ ନିଶ୍ଚିତ ଭାବେ ଚଳିତ ବର୍ଷ ଧନୁଯାତ୍ରାକୁ ଉପଭୋଗ କରିବେ।

ପୁରାଣର କଂସ ଅତ୍ୟାଚାରୀ ଥିଲେ। ହେଲେ ବରଗଡ଼ ଧନୁଯାତ୍ରାର କଂସ ପ୍ରଜାନୁବତ୍ସଳ କେମିତି?

‘କଂସ’ ହେଉଛନ୍ତି ବରଗଡ଼ ଧନୁଯାତ୍ରାର ହିରୋ।  ପ୍ରକୃତରେ ରାକ୍ଷସ ପ୍ରବୃତ୍ତି ହେଉଛି କଂସର। କିନ୍ତୁ ଧନୁଯାତ୍ରାରେ ଅଭିନୟ କରିବା ବେଳେ କଂସ ହିଁ ଦର୍ଶକମାନଙ୍କ ପାଇଁ ମୁଖ୍ୟ ଆକର୍ଷଣରେ ରହିଥାଏ। ପୁରାଣର କଂସ ଅନ୍ୟାୟ କି ଅତ୍ୟାଚାର କରି ନଥିଲେ, ବରଂ ସେ ସମସ୍ତଙ୍କୁ ମୁକ୍ତି ଦେଇଥିଲେ।

୧୧ ଦିନ ଧରି ବରଗଡ଼ରେ କଂସ ମହାରାଜାଙ୍କ ଶାସନ ଚାଲେ। ଆପଣ ଆଦେଶରେ ବିଭିନ୍ନ କାମ ହୋଇଥାଏ। ଏଥିରେ ଆପଣଙ୍କର ଅନୁଭବ କ’ଣ?

ମୋ’ ମଥାରେ ଯେତେବେଳେ ମୁକୁଟ ଲାଗିଯାଏ ସେତେବେଳେ ଧରିନିଏ ଯେ ମୁଁ ହେଉଛି ଦ୍ୱାପର ଯୁଗର କଂସ।

ବରଗଡ଼ ଧନୁଯାତ୍ରା ହେଉଛି ବିଶ୍ୱର ସବୁଠୁ ବଡ଼ ମୁକ୍ତାକାଶ ମଞ୍ଚ। ୭୧ ବର୍ଷ ଧରି ଧନୁଯାତ୍ରା ଚାଲିଛି। ଯେଉଁମାନେ ଧନୁଯାତ୍ରା ଦେଖି ନାହାନ୍ତି ସେମାନଙ୍କୁ ଏହି ପରମ୍ପରା ସମ୍ପର୍କରେ କ’ଣ କହିବେ?

ବର୍ତ୍ତମାନ ହେଉଛି ମିଡିଆର ଯୁଗ। ଯେଉଁମାନେ ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସି ନାହାନ୍ତି ସେମାନେ ଟିଭି ଏବଂ ଡିଜିଟାଲ ମିଡିଆ ମାଧ୍ୟମରେ ଧନୁଯାତ୍ରା ଦେଖନ୍ତୁ। ବରଗଡ଼ ଧନୁଯାତ୍ରାର ଏକ ସ୍ୱତନ୍ତ୍ରତା ରହିଛି। ଅନେକ ବ୍ୟକ୍ତି କଂସ ଭୂମିକାରେ ଅଭିନୟ କରିଛନ୍ତି। ହେଲେ ଯୁଧିଷ୍ଠିର ଶତପଥୀ ୩୨ ବର୍ଷ ଧରି କଂସ ଭୂମିକାରେ ଅଭିନୟ କରି ସମସ୍ତଙ୍କ ହୃଦୟରେ ଏବେ ବି ବଞ୍ଚି ରହିଛନ୍ତି। ବର୍ତ୍ତମାନ ସେ ନାହାନ୍ତି ସତ, କିନ୍ତୁ ମୁଁ ତାଙ୍କୁ ଗୁରୁ ଭାବେ ଗ୍ରହଣ କରିଛି। ତାଙ୍କ ପତ୍ନୀଙ୍କଠାରୁ ଆର୍ଶୀବାଦ ନେଇଛି। ଶନିବାରଠାରୁ ମୁଁ ମୁକ୍ତାକାଶ ମଞ୍ଚରେ ମୋ ଅଭିନୟ ଦର୍ଶକମାନଙ୍କ ଆଗରେ ପ୍ରଦର୍ଶନ କରିବି।

ଯୁଧିଷ୍ଠିର ଶତପଥୀଙ୍କୁ ଆପଣ ଆଜିର ଦିନରେ କେମିତି ସ୍ମରଣ କରିବେ?

ଆଜିର ଦିନରେ ଗୁରୁଙ୍କୁ ସ୍ମରଣ କଲେ ଆପେ ଆପେ ପାଟିରୁ ସଂଳାପ ବାହାରି ଆସେ। ଏହା ହିଁ ହେଉଛି ଐଶ୍ୱରିକ ଶକ୍ତି। ଗୁରୁଙ୍କ ପାଖରେ ସେ ଶକ୍ତି ଥିଲା।

ଧନୁଯାତ୍ରାରେ ଅନେକ ବ୍ୟକ୍ତି ଲମ୍ବା ସମୟ ଧରି କଂସ ଭୂମିକାରେ ଅଭିନୟ କରିଛନ୍ତି। ଆପଣଙ୍କୁ କେମିତି ଲୋକ ମନେରଖିବେ?

ଗୁରୁ ଯୁଧିଷ୍ଠିର ଶତପଥୀଙ୍କୁ ଆଜି ବି ଲୋକେ ଝୁରୁଛନ୍ତି। ଏଣୁ ମୁଁ ଗୁରୁଙ୍କ ଆଶୀର୍ବାଦରେ ବଳିଷ୍ଠ ଅଭିନୟ କରିବାକୁ ଉଦ୍ୟବ କରୁଛି। ମୁଁ ଏମିତି ଅଭିନୟ କରିବାକୁ ଚାହୁଁଛି ଯେମିତି ଲୋକେ ମତେ ଯୁଗ ଯୁଗ ଧରି ମନେରଖିବେ। ଗୁରୁଙ୍କ ନାଁ ତଳେ ମୋ ନାଁ ଯୋଡ଼ି ରଖିବା ପାଇଁ ମୁଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି।

୭୦ ବର୍ଷର ବରଗଡ଼ ଧନୁଯାତ୍ରାର ପରମ୍ପରାକୁ ନେଇ ଓଡ଼ିଶାଲାଇଭ୍‌ ତରଫରୁ ଏକ ବହି କରାଯାଇଛି। ଏହି ବହି ଧନୁଯାତ୍ରା ମଞ୍ଚରେ ଉନ୍ମୋଚନ ହେବାକୁ ଯାଉଛି। ଏ ସମ୍ପର୍କରେ କ’ଣ କହିବେ?

ଓଡ଼ିଶାଲାଇଭ୍‌ ଟିମ୍ ବହୁତ ବଡ଼ କାମ କରିଛନ୍ତି। ଧନୁଯାତ୍ରାର ପରମ୍ପରାକୁ ନେଇ ଯେଉଁ ବହି ଉନ୍ମୋଚନ ହେବାକୁ ଯାଉଛି ତାହା ଲୋକଙ୍କ ପାଖରେ ବେଶ୍ ଗ୍ରହଣୀୟ ହେବ। ଏହି ମହତ କାମ ପାଇଁ ଗୁରୁ ଯୁଧିଷ୍ଠିର ଶତପଥୀଙ୍କ ଆଶୀର୍ବାଦ ନିଶ୍ଚିତ ଭାବେ ଓଡ଼ିଶାଲାଇଭ୍‌ ଉପରେ ରହିବ। ଓଡ଼ିଶାଲାଇଭ୍‌ ବହୁତ ଆଗକୁ ଯାଉ ଏହା ହିଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା।

Comment