ଓଡ଼ିଶାଲାଇଭ୍‌ ଫିଚର

Kansha Maharaja

ବରଗଡ଼ ଧନୁଯାତ୍ରା ଅନେକ ନାଟକୀୟ ଘଟଣାବଳିକୁ ନେଇ୧୧ ଦିନ ଧରି ଅଭିନୀତ ହୁଏ। ସିଧାସଳଖ ସମ୍ପର୍କ ଯୋଡ଼ି ହୋଇଯାଏ ଦର୍ଶକ ଓ କଳାକାରମାନଙ୍କର। କଳାକାର ଏବଂ ଦର୍ଶକମାନଙ୍କୁ ଏକାକାର କରିବାର ଲକ୍ଷ୍ୟ ନେଇ ଆଗେଇ ଚାଲିଛି ଲୋକନାଟକ ଧନୁଯାତ୍ରା।

ବସୁଧୈବ କୁଟୁମ୍ବକମ୍‍ର ବାର୍ତ୍ତା ଦେଇଥାଏ ଧନୁଯାତ୍ରା

ପୃଥିବୀର ସର୍ବଶ୍ରେଷ୍ଠ ମୁକ୍ତାକାଶ ରଙ୍ଗମଞ୍ଚ ହେଉଛି ବରଗଡ଼ର ଧନୁଯାତ୍ରା ମଞ୍ଚ। ନାଟକୀୟତା ସହିତ ଧନୁଯାତ୍ରାର ପ୍ରତିଟି ଦୃଶ୍ୟ ଦେଇଥାଏ ଏକ ନିର୍ଦ୍ଦିଷ୍ଟ ବାର୍ତ୍ତା। ପ୍ରତି ବାର୍ତ୍ତାର ପୃଷ୍ଠଭୂମି ହେଉଛି ‘ସଂହତି’। ଦୀର୍ଘ ଦିନ ଧରି ଗୋଟିଏ ମଞ୍ଚରେ ଅନେକ କଳାକାର ସୃଷ୍ଟି କରିଥାନ୍ତି ଏକ ‘ସାଂସ୍କୃତିକ ପରିବାର’। ନିଜ ନିଜ ଭିତରେ ଭଲ ବୁଝାମଣାରେ ଏମାନେ ଧନୁଯାତ୍ରାକୁ ଏକ ସଫଳ ନାଟ୍ୟ ପ୍ରଯୋଜନାରେ ରୂପାନ୍ତରିତ କରିଥାନ୍ତି। ‘ବସୁଧୈବ କୁଟୁମ୍ବକମ୍‍’ର ବାର୍ତ୍ତା ଏପରି ଭାବେ ଉପସ୍ଥାପିତ ହୋଇଥାଏ ନାଟକ ମାଧ୍ୟମରେ।

ଆନ୍ତର୍ଜାତିକ ସଂହତି ସୃଷ୍ଟି କରିଥାଏ

ରଙ୍ଗମହଲରେ ଓଡ଼ିଶାର ବିଭିନ୍ନ ଅଞ୍ଚଳ, ଭାରତର ବିଭିନ୍ନ ଅଞ୍ଚଳ ତଥା ବିଦେଶରୁ ଅନେକ କଳାକାର ଆସି ମଞ୍ଚରେ ଏକତ୍ରିତ ହୁଅନ୍ତି। ସେମାନେ କେବଳ ନିଜସ୍ୱ କଳାପ୍ରଦର୍ଶନ ଲକ୍ଷ୍ୟ ରଖି ଆସିନଥାନ୍ତି। ବରଂ ନିଜ ନିଜ ଅଞ୍ଚଳର ସଂସ୍କୃତି ଓ ପରମ୍ପରାର ତଥ୍ୟ ବାଣ୍ଟିଥାନ୍ତି ପରସ୍ପର ଭିତରେ। ଏହା ଜାତୀୟ ଓ ଆନ୍ତର୍ଜାତିକ ସଂହତି ସୃଷ୍ଟି କରିଥାଏ କଳାକାର ଓ କଳା ମାଧ୍ୟମରେ। ଜଣେ ଅନ୍ୟଠାରୁ ଶିଖିବା ଓ ଅନ୍ୟକୁ ଶିଖେଇବାରୁ ହିଁ ଏକ ବିଶେଷ ସମ୍ପର୍କ ସୃଷ୍ଟି ହୋଇ। ତା’ ମାଧ୍ୟମରେ ସାଂସ୍କୃତିକ ବାର୍ତ୍ତାକୁ ଲୋକଙ୍କ ପାଖକୁ ପହଞ୍ଚାଇବାର ପ୍ରତିନିଧି ପାଲଟିଛି ରଙ୍ଗମହଲ।

Kansha Maharaja of Baragarh Dhanu yatra

କୃଷ୍ଣମୟ ହୋଇଉଠେ ଅମ୍ବାପାଲି

ଗୋପପୁର ବା ଆଧୁନିକ ଅମ୍ବାପାଲିରେ ନାଟକୀୟତାରୁ ସୃଷ୍ଟି ହୋଇଥାଏ ଏକ ଭଗବତ୍ ଭାବ। କୃଷ୍ଣ ଚେତନାରେ ଉଦ୍‌ବୃଦ୍ଧ ହୋଇଯାଆନ୍ତି ଗୋଟିଏ ଅଞ୍ଚଳର ଆବାଳ ବୃଦ୍ଧବନିତା। ସେଥିରେ ମିଶିଯାଆନ୍ତି ଲକ୍ଷ ଲକ୍ଷ ଦର୍ଶକ। ଦୁଇ ଜଣ ଶିଶୁଙ୍କୁ ଶ୍ରୀକୃଷ୍ଣ ଓ ବଳରାମ ଭାବେ ଗ୍ରହଣ କରି ସେମାନେ ଫେରିଯାନ୍ତି ଦ୍ୱାପରର ଗୋପପୁରକୁ। ପ୍ରତି ମଣିଷର ଚେତନାରେ କୃଷ୍ଣ ଆବିର୍ଭାବ ହୁଅନ୍ତି। କୃଷ୍ଣମୟ ହୋଇଉଠେ ଦଶଦିଗ। ପ୍ରକୃତରେ ନାଟ୍ୟଧାରା ଭିତରେ ଧର୍ମୀୟ ବାର୍ତ୍ତାଟିଏ ଆପେ ଆପେ ବିଶ୍ୱ ସାରା ପ୍ରସାରିତ ହୋଇଯାଏ।

ନାଟକର ଶେଷଦୃଶ୍ୟ ଦେଇଥାଏ ବିଶେଷ ବାର୍ତ୍ତା

ବରଗଡ଼ରେ ‘କଂସ ରାଜ’ ଚାଲେ ଏଗାରଦିନ ଧରି। ଗଣତନ୍ତ୍ରରେ ରାଜତନ୍ତ୍ରକୁ ଆପଣେଇ ନେବାରେ ନଥାଏ କାହାର କିଛି ଅନୁଶୋଚନା। ଗୋଟିଏ ନାଟକର ଖଳ ଚରିତ୍ର ଏଗାରଦିନ ପାଇଁ ମହାନାୟକ ପାଲଟିଯାଏ। ତା’ର ବୋଲ ମାନିବାକୁ ସମସ୍ତେ ବାଧ୍ୟ। ନାଟକର ଶେଷ ଦୃଶ୍ୟରେ କଂସର ବିନାଶ ହୁଏ ଭଗବାନ ଶ୍ରୀକୃଷ୍ଣଙ୍କ ହାତରେ। ନାଟକର ଏଇ ଶେଷଦୃଶ୍ୟ ଏକ ବିଶେଷ ବାର୍ତ୍ତା ଦେଇଥାଏ ପୃଥିବୀବାସୀଙ୍କୁ – ଅନ୍ୟାୟୀ, ଅତ୍ୟାଚାରୀ, ଭ୍ରଷ୍ଟାଚାରୀମାନଙ୍କର ଶେଷ ଏମିତି ହିଁ ହୋଇଥାଏ। ଏଠାରେ ଇଂରାଜୀର ସେ Proverbଟି ବେଶ୍ ଯୁକ୍ତିଯୁକ୍ତ ମନେ ହୋଇଥାଏ- God sees the truth… But wait.

ମାନବବାଦର ବାର୍ତ୍ତା ଦିଏ ବିଶ୍ୱପ୍ରସିଦ୍ଧ ରଙ୍ଗମଞ୍ଚ

ଧନୁଯାତ୍ରାରେ ଲକ୍ଷ ଲକ୍ଷ ଜନତାଙ୍କ ସମାଗମ ହୋଇଥାଏ। ଏଥିରେ ଅନେକ ଜାତି, ଧର୍ମ, ଭାଷା, ସମ୍ପ୍ରଦାୟ ଓ ଅଞ୍ଚଳର ଲୋକେ ସାମିଲ ହୋଇଥାଏ। ଏଗାର ଦିନର ଯାତ୍ରାର ଅବଧି ଭିତରେ ସେମାନଙ୍କର ନିଜ ପରିଚୟର କୌଣସି ସତ୍ତା ରହିନଥାଏ। ସମସ୍ତେ ପାଲଟି ଯାଇଥାଆନ୍ତି କେବଳ ଗୋଟିଏ ଦର୍ଶକ। ଜାତି, ଧର୍ମ, ଭାଷା, ସମ୍ପ୍ରଦାୟ ଓ ଅଞ୍ଚଳକୁ ନେଇ କିଛି ନଥାଏ ‘ମୁଁ’ କାର ଭାବ। ସେ ‘ମୁଁ’ ଶଦ୍ଦଟି ସମର୍ପିତ ହୋଇଯାଇଥାଏ ଏକ ନାଟ୍ୟ କୋଳାହଳ ଭିତରେ। ଏଥିରୁ ସୃଷ୍ଟି ହୋଇଥାଏ ମାନବବାଦର ଏକ ବିଶେଷ ବାର୍ତ୍ତା- ‘‘ଆମେ ଅଲଗା ଅଲଗା ହୋଇବି ଏକାକାର’’।

ଏମିତି ଅନେକ ବିଶ୍ୱସ୍ତରୀୟ ବାର୍ତ୍ତା ପ୍ରଦାନ କରି ବରଗଡ଼ ଧନୁଯାତ୍ରାର ଆୟୋଜନ ଚାଲିଛି। ପୃଥିବୀର ଶେଷଯାଏ ଏଇ ଆୟୋଜନ ଚାଲିଥିବ, ଏଥିରେ ସନ୍ଦେହ ନାହିଁ। ଅନ୍ତତଃ ବର୍ଷର ନିର୍ଦ୍ଦିଷ୍ଟ ୧୧ ଦିନ ଧରି ଏହା ଧର୍ମନିରପେକ୍ଷତା, ଜାତୀୟତା ଓ ବିଶ୍ୱସଂହତି ଆଳରେ ମଣିଷମାନଙ୍କର ସହିତ ମଣିଷମାନଙ୍କର ମନକୁ ଯୋଡ଼ି ରଖିଥାଉ। ଏହା ହିଁ ବରଗଡ଼ ଧନୁଯାତ୍ରାର ଜୟଯାତ୍ରାର ଏକ ବିଶେଷ ଫର୍ଦ୍ଦ।

Comment