ଭାସ୍କର ପରିଚ୍ଛା

ଏକଦା ଓଡ଼ିଶାର ରାଜଧାନୀ ଥିବା କଟକକୁ ନେଇ ବେଶ୍ କିଛି ପୁସ୍ତକ ଯେ ଲଖାହୋଇଛି ତାହା କହିବା କଷ୍ଟ। ନିକଟରେ ପ୍ରକାଶିତ ଦୁଇଟି ଆତ୍ମଜୀବନୀରୁ ଇତିହାସ-ସମୃଦ୍ଧ  କଟକ ସମ୍ପର୍କରେ କିଛି  ପଢ଼ିବାକୁ ମିଳିଥାଏ। ଧଉଳି ବୁକ୍ସ ଦ୍ୱାରା ପ୍ରକାଶିତ କମଳାକାନ୍ତ ମହାପାତ୍ରଙ୍କ ‘ଜନମରୁ ମରଣ’ ଓ ବିଜୟିନୀ ପ୍ରକାଶନ ପକ୍ଷରୁ ପ୍ରକାଶିତ ହୃଦୟନାଥ ଦାସଙ୍କ ‘ଉଠା ପକା ଜୀବନ’ ସେଥି ମଧ୍ୟରୁ ଦୁଇଟି। କଟକ ଆକାଶବାଣୀରେ କାର୍ଯ୍ୟ କରିଥିବା ସ୍ୱର୍ଗତ ଡ ଯଶୋବନ୍ତ ନାରାୟଣ ଧର  କଟକ ଉପରେ ଧାରାବାହିକ ଭାବେ ଲେଖି ଆସୁଥିଲେ। ସହସ୍ର ବର୍ଷ ପୂର୍ତ୍ତି ଅବସରରରେ ଦୁଇ-ଖଣ୍ଡ ବିଶିଷ୍ଟ ଇଂରେଜୀ ଲେଖାର ସଂକଳନ ବ୍ୟତୀତ ଗତ ବର୍ଷ ପ୍ରକାଶିତ ରାଜା ପରିଜାଙ୍କ ‘ନେତାଜୀ ୱାଜ୍ ବର୍ଣ୍ଣ ହିଅର’ ମଧ୍ୟ କଟକକୁ ନେଇ ଲିଖିତ ପୁସ୍ତକ ମଧ୍ୟରୁ ଗୋଟିଏ ଗୋଟିଏ।

ଜଗତସିଂହପୁରରେ ଜନ୍ମ ଗ୍ରହଣ କରିଥିବା, କଟକରେ ପାଠ ପଢ଼ିଥିବା, ବୃତ୍ତିରେ ମେଟାଲର୍ଜିକଲ ଇଂଜିନିଅର, ଢେର ବର୍ଷ ଧରି ଜର୍ମାନୀ ନାଗରିକତ୍ୱ ଗ୍ରହଣ କରିଥିବା ଏବଂ ଓଡ଼ିଶାର ରାଜନୀତି, ଭାଷା, ସାହିତ୍ୟ ଓ ସାମାଜିକ  ଘଟଣାବଳୀ  ଉପରେ ଦୈନନ୍ଦିନ ଖବର ରଖୁଥିବା ଡ ରାଜେନ୍ଦ୍ର ନାରାୟଣ ଦାସଙ୍କ ନିକଟରେ ପ୍ରକାଶିତ  ‘ସ୍ମୃତିରେ କଟକ’ ଐତିହାସିକ ସହର ଉପରେ ଆଉ ଏକ ଚମତ୍କାର ସଂଯୋଜନା। ‘ଆମ ଓଡ଼ିଶା’ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକରେ କଟକ ସହରର ଟିକିନିଖି ବିବରଣୀ ଦେଇଛନ୍ତି ଡ ଦାସ। ମୁଖ୍ୟତଃ ଏହା ଏକ ସୂଚନାଧର୍ମୀ ପୁସ୍ତକ କିନ୍ତୁ ଯେତେସବୁ ତଥ୍ୟ ଓ ବିବରଣୀ ଏଥିରେ ରହିଛି ତାହା ରୋଚକ,ସାରଗର୍ଭକ ଓ ଭବିଷ୍ୟତ ଗବେଷକଙ୍କ ପାଇଁ ଜରୁରୀ ମଧ୍ୟ।

ଚାଉଳିଆଗଞ୍ଜ ଠାରୁ ଆରମ୍ଭ କରି ସିଡିଏ ପର୍ଯ୍ୟନ୍ତ ପରିବର୍ଦ୍ଧିତ ଓ ସମ୍ପ୍ରସାରିତ କଟକର ଯେଉଁ ୬୦ ପ୍ରାୟ ସାହି, ବଜାର, ଛକ ଓ ଗଳି ରହିଛି ସେ ସବୁର ଭୂଗୋଳ, ଇତିହାସ,କିମ୍ବଦନ୍ତୀ, ତା’ ପଛରେ ଥିବା ଲୋକ କାହାଣୀ, ସ୍ଥାନଗୁଡିକର ବ୍ୟୁତ୍ପତ୍ତି ଓ ବିବର୍ତ୍ତନ ଏସବୁ କଥା ରହିଛି ଏହି ୨୨୫ ପୃଷ୍ଠାର ପୁସ୍ତକରେ।

କଟକର ଏକ ମଞ୍ଜୁଳ ଇତିହାସ ରହିଆସିଛି ଓ ଅନେକ ସମୟରେ କଲିକତା ସହିତ ଏହାକୁ ଦେଖାଯାଏ। ଅତୀତରେ ଓଡ଼ିଶାର ସାଂସ୍କୃତିକ, ପ୍ରଶାସନିକ ଓ ଶୈକ୍ଷିକ ରାଜଧାନୀ ଥିବା କଟକ ହୁଏତ ଆଜି ତାର ପ୍ରତିଷ୍ଠାକୁ କିଛି ପରିମାଣରେ ହରାଇ ବସିଛି।କିନ୍ତୁ ଆଧୁନିକ ଓଡ଼ିଶାର ଗଠନରେ କଟକର ଅବଦାନକୁ କଦାପି ଅସ୍ବୀକାର କରାଯାଇପାରିବ ନାହିଁ। ସେହି ଅବଦାନକୁ ପୁଣି ଥରେ ମନେ ପକାଇ ଦେବା ପାଇଁ ଏବଂ କଟକର ଓଜନଦାର ଇତିହାସକୁ ପାଠକଙ୍କ ନିକଟରେ ଉପସ୍ଥାପିତ କରିବା ସକାଶେ ଡ଼ ଦାସ ଯେଉଁ ଉଦ୍ୟମ କରିଛନ୍ତି ତାହା ପ୍ରଶଂସନୀୟ।

ଆଲୋଚ୍ୟ ପୁସ୍ତକରେ କଟକର ବିସ୍ତୃତ ପରିଚୟ ପ୍ରଦାନ ପୂର୍ବକ   ସହର  ସହିତ ଯୋଡ଼ି ହୋଇ ରହିଥିବା ଲୋକଙ୍କ ସ୍ମୃତିକୁ ସେ ପୁଣି ଥରେ ଉଜ୍ଜୀବିତ କରିଛନ୍ତି ବୋଲି ବୁଝିବାକୁ ହେବ। ପୁସ୍ତକଟିର ଏକ ଅତି ଉପାଦେୟ ଦିଗ ହେଉଛି ଯେଉଁ ବିଶିଷ୍ଟ ବ୍ୟକ୍ତିମାନେ କଟକରେ ଜନ୍ମ ଗ୍ରହଣ କରିଥିଲେ ସେମାନଙ୍କ ସମ୍ପର୍କରେ ଏକ ସ୍ଥୂଳ ପରିଚୟ ପ୍ରଦାନ। ବ୍ୟକ୍ତି ଓ ଅନୁଷ୍ଠାନକୁ ନେଇ ଯଦି ଗୋଟିଏ ସହରର ପରିଚୟ ସୃଷ୍ଟି ହୋଇଥାଏ,ଡ଼ ଦାସ ସେ ଦିଗରେ ସଫଳ ହୋଇଛନ୍ତି ବୋଲି ଧରିନେବାକୁ ହେବ।

ଡ ଦାସଙ୍କ ଏହି ପୁସ୍ତକର ମୁଖବନ୍ଧରେ ମନୋଜ ଦାସ ଲେଖିଛନ୍ତି, ‘ଏକ ଐତିହାସିକ ମାଟି ଉଦ୍ଦେଶ୍ୟରେ ତାର ପାଣିପାବନରେ ବିକଶିତ ଏକ ବିଦଗ୍ଧ ଚେତନାର ଏହା ଏକ ଶ୍ରଦ୍ଧାର୍ଘ୍ୟ। ଏଥିରେ କାହା ପ୍ରତି କଟାକ୍ଷ ନାହିଁ, କୌଣସି ପରିସ୍ଥିତି ସମ୍ପର୍କରେ ତିକ୍ତତା ନାହିଁ। ମୂଲ୍ୟବୋଧର ଅବକ୍ଷୟ ଉପରେ ସାମାନ୍ୟ ବିକ୍ଷୋଭ ଥାଇପାରେ। କିନ୍ତୁ ତାହା ସଂଯତ ଓ ସମ୍ଭ୍ରାନ୍ତ। ରାଜେନ୍ଦ୍ର ନାରାୟଣ ବାବୁଙ୍କ ବର୍ଣ୍ଣିତ ସମସ୍ତ ସମାହାରରେ କଟକ ସହର ଯେମିତିକି ଏକ ପୁରୁଣା ବନ୍ଧୁର ଭୂମିକାରେ ଅବତୀର୍ଣ୍ଣ।’

ପାଟରା ସାହିର ଅଗଣି ନନାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିବା  ଏହି ପୁସ୍ତକରେ କିଛି ଅଗୁଣାତ୍ମକ ମାନର କଳାଧଳା ଫୋଟୋଚିତ୍ର ବି ରହିଛି। ସରଳ, ସାବଲୀଳ ଅଥଚ ହୃଦୟଗ୍ରାହୀ ଶବ୍ଦରେ  ଲିଖିତ ଏହି ତଥ୍ୟ ସମ୍ବଳିତ ପୁସ୍ତକଟି କଟକକୁ ଭଲ ପାଉଥିବା  ପ୍ରତ୍ୟେକଙ୍କ ପାଇଁ ପଢ଼ିଲା ଭଳି ଗ୍ରନ୍ଥ।ଡ଼ ରାଜେନ୍ଦ୍ର ନାରାୟଣ ଦାସ ଏଥିପାଇଁ ଅଶେଷ ଧନ୍ୟବାଦର ପାତ୍ର।

ସ୍ମୃତିରେ କଟକ
ଡକ୍ଟର ରାଜେନ୍ଦ୍ର ନାରାୟଣ ଦାସ

ଆମ ଓଡ଼ିଶା
ଖାରବେଳ ନଗର
ଭୁବନେଶ୍ୱର
୨୦୧୯

Comment