ଓଡ଼ିଶାଲାଇଭ୍ ଫିଚର
ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା କେବଳ ମନୋରଞ୍ଜନର ମାଧ୍ୟମ ପାଲଟି ନାହିଁ। ଏହାର କିଛି ନାଟକୀୟ ଦୃଶ୍ୟ ବିଶ୍ୱକୁ ଶିକ୍ଷଣୀୟ ବାର୍ତ୍ତା ଦେଉଛି।
ମଥୁରା ବଜାରରେ ଗୋପୀମାନଙ୍କର ଦହିବିକା
ଗୋପ ଓ ମଥୁରା ଭିତରେ ଭଲ ସମ୍ପର୍କ ନାହିଁ। ଶତ୍ରୁତାର ପୃଷ୍ଠଭୂମିରେ ଛିଡ଼ାହୋଇ ମଥୁରାର କଂସ ‘ଗୋପ’ ପ୍ରତି ରଖିଆସିଛନ୍ତି ତାଙ୍କର ନକରାତ୍ମକ ଦୃଷ୍ଟି। ତାଙ୍କର ପ୍ରାଣନାଶକାରୀ ଶ୍ରୀକୃଷ୍ଣ ଗୋପରେ ଲୀଳା କରୁଛନ୍ତି। ଗୋପରେ ଶ୍ରୀକୃଷ୍ଣଙ୍କ ଉପସ୍ଥିତି ହିଁ କଂସଙ୍କୁ ବିଚଳିତ କରୁଛି। ହେଲେ ଗୋପର ଗୋପୀମାନଙ୍କୁ ମଥୁରାହାଟରେ ଦହି ବିକିବା ପାଇଁ ମନାକରନ୍ତି ନାହିଁ କଂସ। ଧନୁଯାତ୍ରାର ନାଟ୍ୟଧାରା ଭିତରେ ବରଗଡ଼ ବା ଆଧୁନିକ ମଥୁରା ନଗରରେ ବହୁ ଗୋପୀ ଦହି ବିକିବାର ଦୃଶ୍ୟ ବେଶ୍ ରୋଚକ ମନେ ହୋଇଥାଏ।
ଏହି ନାଟକୀୟ ପ୍ରସଙ୍ଗଟି ପୃଥିବୀର ଦେଶ ଦେଶ ଭିତରେ ଥିବା ତିକ୍ତଭାବକୁ ସମାଧାନ କରିବା ପାଇଁ ଆହ୍ୱାନ ଦେଇଥାଏ। ପଡ଼ୋଶୀ ଚୀନ ଓ ପାକିସ୍ତାନ ସହ ଭାରତର ସମ୍ପର୍କ ଭଲ ନାହିଁ। ହେଲେ ବହୁ କଟକଣା ଭିତରେ ଚୀନ ଓ ପାକିସ୍ତାନର ସାମଗ୍ରୀ ଭାରତରେ ମିଳୁଛି। ଭାରତର ସାମଗ୍ରୀ ମଧ୍ୟ ପାକିସ୍ତାନ ବଜାରରେ ମିଳୁଛି। ସେହିପରି ଗୋପର ଦହି ମଥୁରା ହାଟରେ ମିଳିବା ପ୍ରସଙ୍ଗ ସୂଚାଇ ଦେଇଥାଏ ଯେ, ରାଜନୈତିକ ଶତ୍ରୁତା ଦୁଇଟି ଦେଶର ବାଣିଜ୍ୟିକ ସମ୍ପର୍କକୁ ପ୍ରଭାବିତ କରି ନଥାଏ।
ରଙ୍ଗସଭା
ଗୋପପୁରକୁ ଆକ୍ରମଣ କରିବା ପାଇଁ ମସୁଧା କରିବାକୁ କଂସ ମହାରାଜା ରଙ୍ଗସଭାର ଆୟୋଜନ କରିଥାନ୍ତି। ମଥୁରା ଅଧୀନରେ ଥିବା ରାଜାମାନେ ଏହି ରଙ୍ଗସଭାକୁ କଂସଙ୍କ ନିର୍ଦ୍ଦେଶରେ ଆସିଥାନ୍ତି। ଗୋପପୁର ସହିତ ଯୁଦ୍ଧ କରିବା ପାଇଁ ସବୁ ପ୍ରକାରର ସହଯୋଗ କରିବା ପାଇଁ ଏହି ରାଜାମାନେ କଂସଙ୍କୁ ପ୍ରତିଶ୍ରୁତି ଦିଅନ୍ତି।
ଏଇ ଦୃଶ୍ୟଟି ବିଭିନ୍ନ ଦେଶକୁ ଏକ ସ୍ୱତନ୍ତ୍ର ବାର୍ତ୍ତା ପ୍ରଦାନ କରିଥାଏ। ଦେଶ-ଦେଶ ମଧ୍ୟରେ ଯେତେ ମନୋମାଳିନ୍ୟ ତଥା ତିକ୍ତତା ରହିଥିଲେ ବି ଅସମୟରେ ପରସ୍ପରକୁ ସାହାଯ୍ୟ କରିବାର ବାର୍ତ୍ତା ଦେଇଥାଏ ଏହି ଦୃଶ୍ୟ।
ଅକ୍ରୁରଙ୍କ ମଥୁରାଗମନ
ପୃଥିବୀରେ ଶାନ୍ତି ସ୍ଥାପନ ପାଇଁ ଯୁଗେ ଯୁଗେ ଅନେକ ‘ଶାନ୍ତିଦୂତ’ଙ୍କ ଆବିର୍ଭାବ ହୋଇଛି। ଏମାନେ ଦେଶ ଦେଶ ଭିତରେ ଭଲ ସମ୍ପର୍କ ସୃଷ୍ଟି କରିବା ପାଇଁ ପ୍ରତିନିଧି ପାଲଟିଥାନ୍ତି। ସେପରି ଏକ ପୌରାଣିକ ଚରିତ୍ର ହେଉଛନ୍ତି ଅକ୍ରୁର।
ଅକ୍ରୁର ହେଉଛନ୍ତି କୃଷ୍ଣ ଏବଂ କଂସଙ୍କ ଅନୁଗତ। ଛଳ ମାଧ୍ୟମରେ କୃଷ୍ଣ ଓ ବଳରାମଙ୍କୁ ମଥୁରାର ଧନୁଯାତ୍ରାକୁ ନେଇ ଆସିବା ପାଇଁ କଂସ ଅକ୍ରୁରଙ୍କୁ ଗୋପପୁରକୁ ପଠାଇଥିଲେ।
ଏହା ଥିଲା କଂସଙ୍କର ଏକ ବଡ଼ କୁଟନୀତି। ଅନ୍ୟ ଦିଗରୁ ଦେଖିବାକୁ ଗଲେ, ଅକ୍ରୁରଙ୍କ ମଥୁରାଗମନ ବହୁ ଅନ୍ୟାୟର ପ୍ରତୀକ ‘କଂସ’ର ବିଲୟ ପାଇଁ କାରଣ ସାଜିଥିଲା।
ଧନୁଯାତ୍ରାରେ ଏପରି ଅନେକ ନାଟକୀୟ ଦୃଶ୍ୟ ରହିଛି, ଯାହା ମନୋରଞ୍ଜନ ସହିତ ଦର୍ଶକମାନଙ୍କୁ ଭିନ୍ନ ଭିନ୍ନ ବାର୍ତ୍ତା ବାଣ୍ଟି ଆସୁଛି।