ଓଡ଼ିଶାଲାଇଭ୍‌ ବ୍ୟୁରୋ

ନ୍ୟୁଜିଲାଣ୍ଡ ମାଟିରେ ଟିମ୍‌ ଇଣ୍ଡିଆର ବିଜୟ। ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ନାପିଏରଠାରେ ଚାଲିଥିଲା ପ୍ରଥମ ଦିନିକିଆ ମ୍ୟାଚ। ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳଠାରୁ ୮ ୱିକେଟରେ ବିଜୟଲାଭ କରିଛି ଟିମ୍‌ ଇଣ୍ଡିଆ। ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା ନ୍ୟୁଜିଲାଣ୍ଡ। ମ୍ୟାଚର ପ୍ରଥମରୁ ନ୍ୟୁଜିଲାଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଭାରତୀୟ ବୋଲରଙ୍କୁ ସାମ୍ନା ନ କରିପାରି ଏହି ବିପର୍ଯ୍ୟୟର ସାମ୍ନା କରିଛି ନ୍ୟୁଜିଲାଣ୍ଡ।

ପ୍ରଥମ ଦିନିକିଆରେ କିୱିଦଳ ଟସ ଜିତି ବ୍ୟାଟିଂ ନିଷ୍ପତି ନେବା ପରେ ୩୮ ଓଭରରେ ୧୫୭ ରନ ସଂଗ୍ରହ କରି  ଅଲଆଉଟ ହୋଇଯାଇଥିଲେ। ନ୍ୟୁଜିଲାଣ୍ଡ ଟିମ୍‌ ତରଫରୁ ଦଳର ଅଧିନାୟକ କେନ ୱିଲିୟମ୍‌ସନ ସର୍ବାଧିକ ୬୪ ରନ କରିଥିଲେ। ସେହିପରି ଭାରତୀୟ ବୋଲର କୁଲଦୀପ ଯାଦବ ଚମତ୍କାର ବୋଲିଂ କରି ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ମହମ୍ମଦ ସାମି ତିନୋଟି, ୟୁଜ୍‌ବେନ୍ଦ୍ର ଚହଲ ଦୁଇଟି ଏବଂ କେଦାର ଯାଦବଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା।

ଅନ୍ୟପଟେ ନ୍ୟୁଜିଲାଣ୍ଡ ଦଳର ୧୫୭ ରନକୁ ଟାର୍ଗଟେ କରି ଟିମ୍‌ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇଥିଲା। ଭାରତୀୟ ଦଳ ମାତ୍ର ୨ ୱିକେଟ ହରାଇ ନ୍ୟୁଜିଲାଣ୍ଡ ଦଳକୁ ଧୂଳି ଚଟାଇଥିଲା। ୩୪.୫ ଓଭରରେ ୨ ୱିକେଟ ହରାଇ ଟିମ୍‌ ଇଣ୍ଡିଆ ଏହି ରୋମାଞ୍ଚକର ବିଜୟ ଲାଭ କରିଛି। ଦଳ ତରଫରୁ ଶିଖର ଧାୱନ ସର୍ବାଧିକ ୭୫ରନ୍‌ କରି ନଟଆଉଟ ଅଛନ୍ତି। ସେହିପରି ରୋହିତ ଶର୍ମା ୧୧ ଓ ବିରାଟ କୋହଲି ୪୫ ରନ୍‌ ସଂଗ୍ରହ କରି ପାଭିଲିୟନକୁ ଫେରିଥିଲେ।

ବୁଧବାର ମ୍ୟାଚରେ ଭାରତୀୟ ଦଳର ବୋଲର ମହମ୍ମଦ ସାମି ଦିନିକିଆ ମ୍ୟାଚରେ ନିଜର ଶହେ ୱିକେଟ ପୂରଣ କରିଛନ୍ତି। ବିରାଟ କୋହଲିଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ମାଟିରେ ନ୍ୟୁଜିଲାଣ୍ଡ ବିରୋଧରେ ଖେଳି ବିଜୟ ଲାଭ କରିଛି। ଏହି ବିଜୟ ସହ ଟିମ୍‌ ଇଣ୍ଡିଆ ୧-୦ରେ ସିରିଜ ଆଗୁଆ ରହିଛି।

Comment