କୈଳାସ ଚନ୍ଦ୍ର ଟିକାୟତରାୟ

ଲେଖକ ଏବଂ ଇଂରାଜୀ ଭାଷାର ପ୍ରଫେସର ସ୍ୱର୍ଗତଃ ଗଣେଶ୍ୱର ମିଶ୍ରଙ୍କ ସମ୍ପର୍କରେ ସମାଜର ବିଭିନ୍ନ ବର୍ଗର ପରିଚିତ ବ୍ୟକ୍ତିଙ୍କ ସ୍ମୁତିଚାରଣ। ବର୍ତ୍ତମାନ ଓ ପରବର୍ତ୍ତୀ ପିଢିସହ ଗଣେଶ୍ୱରଙ୍କୁ ଯୋଡ଼ିବାଲାଗି ଓଡ଼ିଶାଲାଇଭ୍ ପକ୍ଷରୁ ଏହି କ୍ଷୁଦ୍ର ପ୍ରୟାସ।

୨୦୦୬ ମସିହା ବେଳକୁ ଓଡ଼ିଆ ଭାଷା ପ୍ରତିଷ୍ଠାନ ଗଠିତ ହେଲା। ନିୟମାବଳି ଆଧାରରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଭାବେ ସେ ପ୍ରତିଷ୍ଠାନର ସାଧାରଣ ପରିଷଦ ଓ କାର୍ଯ୍ୟକାରୀ କମିଟିର ସଦସ୍ୟ ଥିଲେ। ତତ୍କାଳୀନ ମୁଖ୍ୟ ଶାସନ ସଚିବ ଗଣେଶ୍ୱର ସାର୍‌ଙ୍କ ପ୍ରିୟଛାତ୍ର ଡକ୍ଟର ସୁବାସ ପାଣି ଓଡ଼ିଆ ଭାଗବତକୁ ଶସ୍ତାରେ ଲୋକଙ୍କ ପାଖେ ପହଞ୍ଚାଇବା ପାଇଁ ପ୍ରତିଷ୍ଠାନ କାର୍ଯ୍ୟକାରୀ କମିଟିରେ ପ୍ରସ୍ତାବ ରଖିଥିଲେ।

କିନ୍ତୁ ସାହିତ୍ୟ ଏକାଡେମୀ ସଭାପତି ସେଦିନ ଯେଉଁ ଭାବମୟ ଆଗ୍ରହ ପ୍ରକାଶ କଲେ ତାହା ସମସ୍ତଙ୍କୁ ଛୁଇଁଲା। ଭାଗବତ ଏକାଡେମୀ ଦ୍ୱାରା ଛପାହୋଇ ଲୋକଙ୍କୁ ଶହେ ଟଙ୍କାରେ ମିଳିଲା।

ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାର ପାଇଁ ତାଙ୍କ ଆଗ୍ରହ ବାସ୍ତବରେ ଗଭୀର ତଥା ଅନ୍ୟ ପାଇଁ ଉଦାହରଣ ଥିଲା।

ଓଡ଼ିଆ ଭାଷା ପ୍ରତିଷ୍ଠାନ ଯେତେସବୁ ପ୍ରକଳ୍ପ ହାତକୁ ନେବାକୁ ଚିନ୍ତା କରୁଥିଲା ତା’ର ପ୍ରମୁଖ ବିନ୍ଧାଣୀ ଥିଲେ ସେ। ପ୍ରକଳ୍ପଗୁଡ଼ିକର ସ୍ୱରୂପ, ଆର୍ଥିକ ଦିଗ, ସମ୍ଭାବ୍ୟ ସଫଳତା ଓ କାର୍ଯ୍ୟକାରିତା ପାଇଁ ଏକ ପ୍ରକଳ୍ପ ବିଚାର କମିଟି ଗଠନ କରାଯାଇଥିଲା, ଯାହାର ଗଣେଶ୍ୱର ସାର୍‌ ଥିଲେ ଅଧ୍ୟକ୍ଷ।

ଡକ୍ଟର ସୁବାସ ପାଣିଙ୍କ ସହ ବିଚାର ବିମର୍ଶ ପରେ ମୁଁ ପ୍ରକଳ୍ପଗୁଡ଼ିକର ଯେଉଁ କଙ୍କାଳ ପ୍ରସ୍ତୁତ କରୁଥିଲି ତାକୁ ପୂର୍ଣ୍ଣାଙ୍ଗ ରୂପରେଖ ଦେବାରେ ତାଙ୍କ ପରାମର୍ଶ, ମାର୍ଗଦର୍ଶନ, ଉପଦେଶ ସହଜଭାବେ ଉପଲବ୍ଧ ଥିଲା। ବେଳେ ବେଳେ ମନକୁ କିଛି ନୂଆ କଥା ଯୁଟିଲେ ସେ ଫୋନକରି ଚର୍ଚ୍ଚା କରୁଥିଲେ କିମ୍ବା ଘରକୁ ଡାକି କପେ କଫି ସାଙ୍ଗେ ପ୍ରକଳ୍ପ ବିଷୟରେ ଆଲୋଚନା କରୁଥିଲେ।

ଇଂରାଜୀ ଛାତ୍ର, ଇଂରାଜୀ ଭାଷା ସାହିତ୍ୟର ଅଧ୍ୟାପକ; ହେଲେ ଲେଖିଲା ବେଳକୁ ଆଗ ଓଡ଼ିଆ ଭାଷା, ଓଡ଼ିଆ ମାଟି, ଓଡ଼ିଆ ଜୀବନ ଚିତ୍ରିତ ହେଉଥିଲା। ପୁରୀର ସମୁଦ୍ରକୂଳ, ନୋଳିଆ ବସ୍ତିର ନିଖୁଣ ଚିତ୍ରକୁ ବିଶ୍ୱ ଦରବାରରେ ଶବ୍ଦ ତରଙ୍ଗରେ ତରଙ୍ଗାୟିତ କରିବାର ସଫଳତା ତାଙ୍କ ମାଟିପ୍ରତି ଭଲ ପାଇବାକୁ ସବୁଦିନେ ମନେପକେଇ ଦେଉଥିବ। ଶେଷଯାଏ ପଢ଼ୁଥିଲେ, ପଢ଼ଉଥିଲେ। ଏକ ବିରାଟ ବିଶ୍ୱକୁ ଭଲପାଉଥିବା ଏଇ ବିଦେଶୀ ଭାଷାର ଛାତ୍ରଟିର ଆତ୍ମାରେ ଓଡ଼ିଶା, ଓଡ଼ିଆ ଆଉ ତା’ର ଭାଷା ସଂସ୍କୃତି ଯେ ଆଚ୍ଛାଦିତ କରିରଖିଥିଲା, ଏକଥା ତାଙ୍କୁ ଦେଖିଥିବା ଲୋକଟି ଅନୁଭବ କରିଥିବ ନିଶ୍ଚୟ।

ଆଜି ତାଙ୍କ ଅବର୍ତ୍ତମାନରେ ବି ତାଙ୍କ ଓଡ଼ିଆତ୍ୱକୁ ମୁଁ ଅନୁଭବ କରିପାରୁଛି। ସେଇ ଓଡ଼ିଆ ପ୍ରାଣ ଇଂରାଜୀ ଛାତ୍ରଙ୍କୁ ପ୍ରଣାମ କରୁଛି।

ସୌଜନ୍ୟ- ‘ଗଣେଶ୍ୱର ଗରିମା’

LEAVE A REPLY

Please enter your comment!
Please enter your name here