ହୁସେନ ରବି ଗାନ୍ଧି

ଲେଖକ ଏବଂ ଇଂରାଜୀ ଭାଷାର ପ୍ରଫେସର ସ୍ୱର୍ଗତଃ ଗଣେଶ୍ୱର ମିଶ୍ର ସମ୍ପର୍କରେ ସମାଜରେ ବିଭିନ୍ନବର୍ଗର ପରିଚିତ ବ୍ୟକ୍ତିଙ୍କ ସ୍ମୁତି ଚାରଣ। ବର୍ତ୍ତମାନ ଓ ପରବର୍ତ୍ତୀ ପିଢିସହ ଗଣେଶ୍ୱରଙ୍କୁ ଯୋଡ଼ିବାଲାଗି ଓଡ଼ିଶାଲାଇଭ୍‌ ପକ୍ଷରୁ ଏହି କ୍ଷୁଦ୍ର ପ୍ରୟାସ।

ଗାଳ୍ପିକ, ଔପନ୍ୟାସିକ, ପ୍ରାବନ୍ଧିକ, ସ୍ତମ୍ଭକାର,କବି, ଆଲୋଚକ, ଶିକ୍ଷାବିତ୍ – ସର୍ବୋପରି ମଣିଷ ପରି ମଣିଷ। ହେଲେ ବ୍ୟକ୍ତିଗତ ଭାବେ ମୋର ସ୍ମୃତିରେ ଚିର ଦିନ ପାଇଁ ଗଣେଶ୍ୱର ସାର୍ ହୋଇ ରହିଗଲେ ଓ ରହିଥିବେ।

ବୋଧହୁଏ ୧୯୬୪ରୁ ୧୯୬୯-୭୦ ଯାଏଁ ସେ ସମ୍ବଲପୁରସ୍ଥ ଗଙ୍ଗାଧର ମେହେର ମହାବିଦ୍ୟାଳୟରେ ଇଂରାଜୀ ବିଭାଗରେ ଅଧ୍ୟାପକ ଥାନ୍ତି। ଗଙ୍ଗାଧର ମେହେର ମହାବିଦ୍ୟାଳୟ ସଂପ୍ରତି ବିଶ୍ୱବିଦ୍ୟାଳୟ। ମୁଁ ବି ସେଇ ସମୟରେ ସେଠାକାର ଛାତ୍ର। ମୋର ସେ ଇଂରାଜୀ ଅଧ୍ୟାପକ ଥିଲେ। ଆମେ ବଡ଼ ଭାଗ୍ୟବାନ ଥିଲୁ। କାରଣ ସେ ସମୟର ଓଡ଼ିଶାର ଶିକ୍ଷା ଜଗତର ଅନେକ ଅମୂଲ୍ୟ ରତ୍ନ ଗଙ୍ଗାଧର ମେହେର ମହାବିଦ୍ୟାଳୟରେ ଆମକୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ପାଠ ପଢ଼ାଇଥିଲେ।

ଏବେ ବି ଆମେ  ସେହି ମହାନୁଭବ ଶିକ୍ଷକରତ୍ନ ମାନଙ୍କର ଛାତ୍ର ବୋଲି ଗର୍ବର ସହିତ ପରିଚୟ ଦେଉଛୁ। ସେମାନଙ୍କ ମଧ୍ୟରୁ ଡକ୍ଟର ଗଣେଶ୍ୱର ମିଶ୍ର ଥିଲେ ଅନ୍ୟତମ। ସେତେବେଳେ ଛାତ୍ରମାନଙ୍କର ଶିକ୍ଷକମାନଙ୍କ ପ୍ରତି ପ୍ରଗାଢ଼ ସମ୍ମାନ ତଥା ଶିକ୍ଷକମାନଙ୍କର ଛାତ୍ରମାନଙ୍କ ପ୍ରତି ପୁତ୍ର-କନ୍ୟା ସଦୃଶ ସ୍ନେହ- ସଦିଚ୍ଛା ରହିଥିଲା। ସେମିତି ଦେଖିବାକୁ ଗଲେ ଗଣେଶ୍ୱର ସାର୍ ଜଣେ ଅତି ଛାତ୍ର ବତ୍ସଳ, ମେଳାପୀ ଓ ଛାତ୍ର-ଛାତ୍ରୀମାନଙ୍କର ପାଠପଢ଼ା ପ୍ରତି ବିଶେଷ ଧ୍ୟାନ ଦେଉଥିଲେ। ମୋ ପ୍ରତି ତାଙ୍କର ବିଶେଷ ଅନୁରକ୍ତି ଥିଲା।

ମୁଁ ଯେତେବେଳେ ୧୯୬୯-୭୦ ବର୍ଷରେ ଗଙ୍ଗାଧର ମେହେର ମହାବିଦ୍ୟାଳୟ ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହୋଇଥିଲି, ସେତେବେଳେ ସେ ମୋତେ ବ୍ୟକ୍ତିଗତ ଭାବେ ବଧେଇ ଜଣାଇ ଅନେକ ପରାମର୍ଶମାନ ଦେଇଥିଲେ। ଯାହା ମୋତେ ପରବର୍ତ୍ତୀ ସମୟରେ ବେଶ୍ ସହାୟକ ହୋଇଥିଲା। ସେହି ଦିନଠାରୁ ତାଙ୍କ ସହିତ ମୋର ଘନିଷ୍ଠ ବ୍ୟକ୍ତିଗତ ସମ୍ପର୍କ ସ୍ଥାପନ ହୋଇଯାଇଥିଲା।

ପରେ ମୁଁ ଜାଣିଲି ଯେ, ମୋର ଜଣେ ସମ୍ପର୍କୀୟ ଶେଖ୍‌ ମତଲୁବ ଅଲୀ (ପୂର୍ବତନ ମନ୍ତ୍ରୀ) ଓ ଗଣେଶ୍ୱର ସାର୍ ବ୍ୟକ୍ତିଗତ ବନ୍ଧୁ ଏବଂ ମତଲୁବ୍ ବାବୁଙ୍କ ସମ୍ପାଦନାରେ ପ୍ରକାଶ ପାଉଥିବା ପତ୍ରିକା “ଆଗାମୀ ଶତାବ୍ଦୀ”ର ସେ ମୁଖ୍ୟ ସମ୍ପାଦକ। ଏ ପରିଚୟ ମଧ୍ୟ ମୋତେ ଗଣେଶ୍ୱର ସାର୍‌ଙ୍କର ଆହୁରି ଅଧିକ ନିକଟତର କରିପାରିଥିଲା।

୨୦୦୫ରେ ଗଣେଶ୍ୱର ସାର୍‌ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଭାବେ ଓ ମୁଁ ଉପସଭାପତି ଭାବେ କାର୍ଯ୍ୟ ଭାର ଗ୍ରହଣ କରିଥିଲୁଁ। ଦୁଇବର୍ଷ ପରେ ଗଣେଶ୍ୱର ସାର୍‌ଙ୍କ ସ୍ଥାନରେ ସ୍ୱର୍ଗତ କବି ଦୀପକ ମିଶ୍ର ସଭାପତି ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ଏବଂ ମୋର କାର୍ଯ୍ୟକାଳ ଆଉ ଏକ ବର୍ଷ ପାଇଁ ବୃଦ୍ଧି ପାଇଥିଲା।

୨୦୦୮ରେ ମୋତେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ରୂପେ ରାଜ୍ୟ ସରକାର ନିଯୁକ୍ତି ଦେଇଥିଲେ। ଏଥିରେ ଭୁବନେଶ୍ୱରର କିଛି ଆଶାୟୀ ଥିବା ବ୍ୟକ୍ତି ହତାଶ ହୋଇ ମୋ ବିରୁଦ୍ଧରେ ଏକ ନିର୍ଦ୍ଦିଷ୍ଟ ଦୈନିକ ସମ୍ବାଦପତ୍ର ମାଧ୍ୟମରେ ବିଭିନ୍ନ କୁତ୍ସା ପ୍ରଚାର କରାଯାଇଥିଲା। ସେହି ଗୁରୁତ୍ୱପୂର୍ଣ୍ଣ ସମୟରେ ଓଡ଼ିଶା ସାହିତ୍ୟ ଏକାଡେମୀର କିଛି ପୂର୍ବତନ ସଭାପତିମାନେ ମୋତେ ଦୃଢ଼, ସମର୍ଥନ ଜଣାଇଥିଲେ। ସେ ମଧ୍ୟରେ ମୋର ସାର୍ ଡକ୍ଟର ଗଣେଶ୍ୱର ମିଶ୍ର ଅନ୍ୟତମ ଥିଲେ।

ଏଥିପାଇଁ ଗଣେଶ୍ୱର ସାର୍‌ଙ୍କ ସମେତ ମୁଁ ଏଡି ମହାନୁଭବ ବ୍ୟକ୍ତିଙ୍କ ନିକଟରେ ଚିରଋଣୀ ହୋଇରହିଛି। ୨୦୦୮ ସେପ୍ଟେମ୍ବର ମାସର ୩୦ ତାରିଖରେ କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ ହାସପାତଳରେ ମୋର ହୃଦ୍‌ଘାତ ଜନିତ ଅସ୍ତ୍ରୋପଚାର ସମୟରେ ମତଲୁବ୍‌ ବାବୁ ଓ ଗଣେଶ୍ୱର ସାର୍‌ ଡାକ୍ତରଖାନା ଆସି ମୋ ନିକଟରେ ଦୀର୍ଘ ସମୟ ବସି ମୋତେ ଯେଉଁ ମାନସିକ ସାହସ ଦେଇଥିଲେ, ତାହା ମୃତ୍ୟୁ ଯାଏଁ ମୋର ସ୍ମରଣୀୟ ହୋଇ ରହିଥିବ। ଏଇ ଛୋଟିଆ ଘଟଣା କିନ୍ତୁ ମୋତେ ଗଣେଶ୍ୱର ସାର୍‌ଙ୍କର ମହତ୍ ମାନବିକତା ଓ ଉଦାର ଚିତ୍ତର ପରିଚୟ ପ୍ରଦାନ କରିଥିଲା।

ସବୁ ସକାଳର ଅନ୍ତ ସୂର୍ଯ୍ୟାସ୍ତରେ ଘଟିଥାଏ। ସବୁ ପ୍ରାଣୀଙ୍କୁ ମୃତ୍ୟୁର ସ୍ୱାଦ ଚାଖିବାକୁ ପଡ଼ିଥାଏ। ମାତ୍ର ଏପରି କିଛି ବ୍ୟକ୍ତି ଥାନ୍ତି, ଯାହାଙ୍କ ମାଟିର ଘଟ ମାଟିରେ ଲୀନ ହୋଇଯିବା ପରେ ମଧ୍ୟ ସେମାନେ ନିଜର ସାଧନା ତଥା ତପସ୍ୟାର ପ୍ରଭାବରେ ମୃତ୍ୟୁଞ୍ଜୟୀ ହୋଇ ରହିଥାନ୍ତି। ‘ସମାଜ’ ବା ‘ପ୍ରମେୟ’ ସମ୍ବାଦପତ୍ର ଦ୍ବୟର ସମ୍ପାଦକ ପଦବୀଠାରୁ, ନିଜର ଉପନ୍ୟାସ, ଗଳ୍ପ, ଆଲୋଚନା, ପ୍ରବନ୍ଧ ତଥା ଅନ୍ୟାନ୍ୟ ସାହିତ୍ୟକୃତୀ ପାଇଁ, ଜଣେ ଆଦର୍ଶ ଶିକ୍ଷକ ଭାବେ ସେତ ସ୍ମରଣୀୟ ହୋଇରହିବେ ନିଶ୍ଚୟ, କିନ୍ତୁ ଜଣେ ଉଦାର, ସତ୍ ଓ ମାନବବାଦୀ ମଣିଷ ଭାବେ ସେ ଆହୁରି ଜ୍ୟୋତସ୍ମାନ ହୋଇ ରହିଥିବେ ଆମ ଭିତରେ।

ମୁଁ ମୋର ପୂଜ୍ୟ ଗୁରୁ ଗଣେଶ୍ୱର ସାର୍‌ଙ୍କୁ ହରାଇ ସତରେ ଅନେକ କିଛି ହରାଇଥିବା ପରି ମନେ କରୁଛି। ସେ ମୋ’ ଭିତରେ, ଆମ ଭିତରେ ଓ ସବୁ ସାରସ୍ୱତ ସ୍ରଷ୍ଟାଙ୍କ ଭିତରେ ବତୀଖୁଣ୍ଟ ଭାବେ ରହି ଘୋର ତମସା ଭିତରେ ପଥ ପ୍ରଦର୍ଶନ ପାଇଁ ଆଲୋକ ରଶ୍ମି ବିତରଣ କରିଚାଲି ଥାନ୍ତୁ- ତାଙ୍କର ଅବର୍ତ୍ତମାନରେ ତାଙ୍କ ନିକଟରେ ଏତିକି ନିବେଦନ କରୁଛି।

ସୌଜନ୍ୟ-‘ଗଣେଶ୍ୱର ଗରିମା’

LEAVE A REPLY

Please enter your comment!
Please enter your name here