ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମେରିକାର ଏକ ସ୍କୁଲ ରହିଛି ତାହାର ନାଁ କଳମ୍ବସ୍‌ ଏଲିମେଣ୍ଟ୍ରି ସ୍କୁଲ। ଏଠାକୁ ପ୍ରତିଦିନ ପିଲାମନେ ସୀମା ପାରି ହୋଇ ପାଠପଢ଼ିବାକୁ ଆସିଥାନ୍ତି। ଏହି ସ୍କୁଲରେ ବିନା ପାସପୋର୍ଟରେ ପାଠ ପଢ଼ିବା ମୁସ୍କିଲ। ସ୍କୁଲରେ ପଢ଼ୁଥିବା ୬୦୦ ପିଲାମାନଙ୍କ ଭିତରୁ ୪୨୦ ଜଣ ଛାତ୍ରଛାତ୍ରୀ ଅନ୍ତରାଷ୍ଟ୍ରୀୟ ସୀମା ଡେଇଁ ପଢ଼ିବାକୁ ଆସୁଛନ୍ତି।

ମେକ୍ସିକୋର ପାଲୋମସରେ ଏଭଳି ବହୁତ ଶିଶୁ ଅଛନ୍ତି, ସେମାନଙ୍କର ଜନ୍ମ ଆମେରିକାରେ ହୋଇଥିଲା। କିନ୍ତୁ ଏହି ସ୍ଥାନ ମେକ୍ସିକୋରେ ପଡ଼ୁଛି। ସେଥିପାଇଁ ପିଲାମାନଙ୍କୁ ଆମେରିକା ଆସିବାକୁ ହେଲେ ପାସପୋର୍ଟ ଦେଖାଇବା ବାଧ୍ୟତାମୂଳକ ହୋଇଛି। ପାଲୋମସରେ ରହୁଥିବା ଶିଶୁମାନେ ପ୍ରତିଦିନ ସ୍କୁଲ ଯିବା ପୂର୍ବରୁ ନିଜର ପାସପୋର୍ଟ ସାଙ୍ଗରେ ନେଇ ଯିବାକୁ ପଡ଼ିଥାଏ। ପିଲାମାନେ ଯେତେବେଳେ ସୀମାରେ ପହଞ୍ଚିଥାନ୍ତି ସେତେବେଳେ ଆମେରିକାର ସୀମାରେ ନିୟୋଜିତ ସୁରକ୍ଷାକର୍ମୀ ପାସପୋର୍ଟ ଦେଖି ପିଲାଙ୍କୁ ଛାଡିଥାନ୍ତି।

ସ୍କୁଲର ବସ ସୀମା ପର୍ଯ୍ୟନ୍ତ ଆସିଥାଏ ଏବଂ ପିଲାମାନେ ବସରେ ଚଢ଼ି ସ୍କୁଲ ଯାଇଥାନ୍ତି। ଏମାନଙ୍କ ମଧ୍ୟରୁ ଏମିତି କିଛି ଶିଶୁ ଅଛନ୍ତି, ଯେଉଁମାନେ ବସରେ ଚଢ଼ିବା ପରେ ନିଜର ପାସପୋର୍ଟ ଯେଭଳି ନହଜିବ ସେଥିପାଇଁ ଅଭିଭାବକଙ୍କୁ ଦେଇଦେଇଥାନ୍ତି। ମେକ୍ସିକୋର ସ୍କୁଲ ଗୁଡ଼ିକରେ ସ୍ପେନିଶ ଭାଷାରେ ପାଠପଢ଼ା ହୋଇଥାଏ କିନ୍ତୁ ଆମେରିକୀୟ ସ୍କୁଲରେ ଇଂରାଜୀ ଭାଷାରେ ପଢ଼ା ଯାଇଥାଏ। ପିଲାମାନେ ଭଲ ପାଠ ପଢ଼ିବା ସହିତ କିପରି ଭଲ ଭାବେ ଇଂରାଜୀ କହି ପାରିବେ ସେଥିପାଇଁ ପିଲାଙ୍କୁ ଆମେରିକା ପଠାଉଥିବା ଅଭିଭାବକ କହିଛନ୍ତି।

Comment