ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ ସାଇନ୍ସ (ଆଇଏଚଏସ୍) ପକ୍ଷରୁ ବିଶ୍ଵ ଅଟିଜିମ୍ ସଚେତନତା ଦିବସ ପାଳିତ ହୋଇଯାଇଛି। ଅଟିଜିମ ବିଷୟରେ ବ୍ୟାପକ ଜନସଚେତନତା ଆଣିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଅଟିଜିମର ଲକ୍ଷଣ ଦେଖାଯାଉଥିବା ପିଲାଙ୍କର ସ୍ୱାସ୍ଥ୍ୟ ସେବା ତଥା ସେମାନଙ୍କୁ ସମାଜର ମୁଖ୍ୟ ଧାରାରେ ଯୋଡ଼ିବା ବିଷୟରେ ଏଠାରେ ଆଲୋଚନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଅନେକ ବିଶିଷ୍ଟ ବ୍ୟକ୍ତି, ସ୍ୱାସ୍ଥ୍ୟ ବିଶେଷଜ୍ଞ ତଥା ଏକାଧିକ ସାମାଜିକ ଅନୁଷ୍ଠାନର ସଦସ୍ୟମାନେ ଯୋଗ ଦେଇଥିଲେ। ଅଟିଜିମ ସହ ସଂଘର୍ଷ କରୁଥିବା ପିଲାମାନଙ୍କୁ ସମାଜରେ ସମ୍ମାନର ସହ ବଞ୍ଚିବାର ସୁଯୋଗ ଦେବା ଲାଗି ସେମାନେ ଜନସାଧାରଣଙ୍କୁ ସଚେତନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଆଇଏଚଏସର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ପ୍ରଫେସର ସତ୍ୟ ମହାପାତ୍ର ଯୋଗଦେଇ ଅଟିଜିମ୍ ସଂପର୍କରେ ଥିବା ଭୁଲ ଧାରଣାକୁ ଉଲ୍ଲେଖ କରିଥିଲେ। ସେ ଏଠାରେ ଏକ ଅଧିବେଶନରେ ଅଟିଷ୍ଟିକ ପିଲାଙ୍କ ସେବା ପାଇଁ ଏକ ଅଭିନବ ମଲ୍ଟି ମଡେଲ୍ ଆଭିମୁଖ୍ୟ ବିଷୟରେ କହିଥିଲେ।

“ଅଟିଜିମ୍ ଏକ ରୋଗ ନୁହେଁ କି ଏହାର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ। ଆଜି ୧୦୦ ଜଣରୁ ୩ ଜଣ ପିଲାଙ୍କଠାରେ ଏହାର ଲକ୍ଷଣ ଦେଖିବାକୁ ମିଳୁଛି। ହେଲେ ଠିକ୍ ସମୟରେ ଜଣା ପଡ଼ୁନଥିବାରୁ ଏହା ପିଲାଙ୍କ ଜୀବନକୁ ବହୁଳ ଭାବେ ପ୍ରଭାବିତ କରୁଛି। ତେବେ ଅଟିଜିମ୍ ବିଷୟରେ ସଚେତନ ହେଲେ ଆମେ ସେହି ପିଲାମାନଙ୍କର ସଠିକ୍ ଯତ୍ନ ନେଇ ସେମାନଙ୍କୁ ସାମାଜର ମୁଖ୍ୟ ସ୍ରୋତରେ ସାମିଲ କରିପାରିବା”, କହିଛନ୍ତି ପ୍ରଫେସର ସତ୍ୟ ମହାପାତ୍ର।

ଅଟିଜିମ୍ କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣାକୁ ବିଶ୍ଳେଷଣ କରିବା ଏବଂ ଅଟିଜିମ୍ ସ୍ପେକ୍ଟ୍ରମ୍ ଡିସଅର୍ଡର୍ ଭଳି ଲକ୍ଷଣର ସଚେତନତା ପାଇଁ ବିଭିନ୍ନ ସାମାଜିକ ଅନୁଷ୍ଠାନ ଏବଂ ନିସ୍ଵାର୍ଥପର ବ୍ୟକ୍ତିମାନଙ୍କୁ ଏକତ୍ରିତ କରିବା ବିଷୟରେ କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା। ଅଟିଜିମ୍ ବିରୋଧରେ ଲଢ଼େଇ ପାଇଁ ଏହା ଏକ ଭଲ ପ୍ଲାଟଫର୍ମ ପ୍ରଦାନ କରିଥିଲା।

ସେହିପରି କାର୍ଯ୍ୟକ୍ରମରେ ଆଇଏଚଏସର ପ୍ରିନ୍ସିପାଲ ଡକ୍ଟର ଭବାନୀ ଶଙ୍କର ପାଢ଼ୀ ତାଙ୍କ ସ୍ଵାଗତ ଭାଷଣରେ ଗବେଷଣା ଭିଭିକ ଚିକିତ୍ସା ପାଇଁ ଆଇଏଚଏସ ଅନୁଷ୍ଠାନର ଅଦମ୍ୟ ଅବଦାନ ଉପରେ ଗୁରୁତ୍ୱାରୋପ କରିଥିଲେ।

ଅନ୍ୟପଟେ ଆଇଏଚଏସର ଅଡିଓଲୋଜି ଓ ସ୍ପିଚ୍ ଲାଙ୍ଗୁଏଜ୍ ପାଥୋଲୋଜି ବିଭାଗର ଅଧ୍ୟାପକ ଡକ୍ଟର ବିବେକ କୁମାର ଅଟିଜିମ୍ ଏବଂ ସ୍ପିଚ ଥେରାପି ସହିତ ଜଡ଼ିତ ଜଟିଳତା ଉପରେ ଆଲୋକପାତ କରିଥିଲେ। ଉପଯୁକ୍ତ ସେବା ମାଧ୍ୟମରେ କିଭଳି ଅଟିଜିମର ଲକ୍ଷଣ ଥିବା ପିଲାଙ୍କ ଯତ୍ନ ନିଆଯାଇପାରିବ ସେହି ବିଷୟରେ ସେ ଆଲୋଚନା କରିଥିଲେ।

ଏହାସହ କାର୍ଯ୍ୟକ୍ରମରେ ଆଇଏଚଏସର ପରାମର୍ଶ ମଣ୍ଡଳୀର ସଦସ୍ୟ ଡକ୍ଟର ସନ୍ତୋଷ ମହାନ୍ତି ଅଟିଜିମ୍ ବିରୋଧରେ ଚାଲୁଥିବା ସଂଗ୍ରାମରେ ବିଭିନ୍ନ ଅନୁଷ୍ଠାନ ତଥା ଚାରିଟେବୁଲ୍ ଫାଉଣ୍ଡେସନର ଭୂମିକା ଉପରେ ଆଲୋଚନା କରିଥିଲେ।

ସମଗ୍ର ବିଶ୍ଵରେ ଅଟିଜିମର ଲକ୍ଷଣ ଦେଖାଯାଉଥିବା ପିଲାଙ୍କ ସଂଖ୍ୟା ଏବେ ବଢ଼ିବାରେ ଲାଗିଛି। ତେବେ ଅଟିଜିମ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ଏପ୍ରିଲ ୨ ତାରିଖକୁ ବିଶ୍ଵ ଅଟିଜିମ୍ ସଚେତନତା ଦିବସ ଭାବେ ପାଳନ କରାଯାଉଛି।

ଏହି କାର୍ଯ୍ୟକ୍ରମରେ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍, ମହର୍ଷି ମହିଳା ମହାବିଦ୍ୟାଳୟ, କମଳା ନେହେରୁ ମହିଳା ମହାବିଦ୍ୟାଳୟ, ବିଜେବି ସ୍ଵୟଂଶାସିତ ମହାବିଦ୍ୟାଳୟ, ରେଭେନ୍ସା ବିଶ୍ଵବିଦ୍ୟାଳୟ, ମାରୱାଡି ଯୁବ ମଞ୍ଚ, ଲାୟନ୍ସ କ୍ଲବ ଇଣ୍ଟରନାସନାଲ ତଥା ଅନ୍ୟାନ୍ୟ ସଂଗଠନର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ଓଡ଼ିଶାର ଅଗ୍ରଣୀ ଡିଜିଟାଲ ମିଡିଆ ପ୍ଲାଟଫର୍ମ ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟପ୍ଲସ୍ ଏହି କାର୍ଯ୍ୟକ୍ରମର ମିଡିଆ ପାର୍ଟନର ରହିଥିଲେ।

Tags: #WorldAutismAwarenessDay #Autism #NuroDevelopmentalDisorder #Children #IHS #Bhubaneswar

Comment