ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରଠାରେ ବିଶ୍ଵ ଅଟିଜିମ ସଚେତନତା ଦିବସ ପାଳିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ଦିନ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ରାମ ମନ୍ଦିର ଛକରୁ କ୍ୟାପିଟାଲ ହାଇସ୍କୁଲ ପର୍ଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ରା କରାଯାଇଥିଲା।

ଏହି ଶୋଭାଯାତ୍ରାକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ନୀଳ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥିରେ ଅଟିଜିମ ପୀଡ଼ିତ ସାନ ସାନ ପିଲା ଓ ସେମାନଙ୍କ ଅଭିଭାବକମାନେ ଭାଗ ନେଇଥିଲେ। ଅଟିଜିମ ପୀଡ଼ିତଙ୍କୁ ସମାଜରେ ସମ୍ମାନର ସହ ବଞ୍ଚିବାର ସୁଯୋଗ ଦେବା ଲାଗି ସେମାନେ ଜନସାଧାରଣଙ୍କୁ ସଚେତନ କରିଥିଲେ।

“ଅଟିଜିମ ଏକ ଭିନ୍ନତା ହୋଇପାରେ, ଏହା ଆମ ସାମଜ ପାଇଁ ବୋଝ ନୁହେଁ। ତେଣୁ ଏ ସମ୍ପର୍କରେ ଲୋକମାନଙ୍କ ଭିତରେ ଅଧିକ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି। ଅଭିଭାବକ, ସ୍ୱେଚ୍ଛାସେବୀ ସଙ୍ଗଠନମାନେ ଏ ଦିଗରେ ଆଗେଇ ଆସିବା ଜରୁରୀ। ଅଟିଜିମ ପୀଡ଼ିତଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ସେମାନଙ୍କୁ ଉଚିତ ସମ୍ମାନ ଦେବା ଲାଗି ସମସ୍ତେ ମିଳିତ ଭାବେ କାମ କରିବା ଦରକାର।”, କହିଛନ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।

“ଅଟିଜିମ ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ଲାଗି ଏହି ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଆଶା କରୁଛୁ ଏଭଳି କାର୍ଯ୍ୟକ୍ରମ ଜରିଆରେ ଅଟିଜିମ ପୀଡ଼ିତ ପିଲାମାନଙ୍କ ପ୍ରତି ଲୋକମାନେ ସଚେତନ ହେବେ ଏବଂ ତାଙ୍କ ପ୍ରତିଭାକୁ ସମ୍ମାନ ଜଣାଇବେ”, କହିଛନ୍ତି ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସଚିବ ଭାସ୍କର ଶର୍ମା।

ଏହି ଶୋଭାଯାତ୍ରା ବେଳେ ଅଟିଜିମ ପୀଡ଼ିତ ପିଲାମାନେ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭା ଦେଖାଇଥିଲେ। ନାଚ, ଗୀତ କରି ପରିବେଶକୁ ଆକର୍ଷଣୀୟ କରିଥିଲେ।

ଏହି ସଚେତନତା ଶୋଭାଯାତ୍ରାରେ ଭୁବନେଶ୍ଵର-ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ଵର ମେୟର ସୁଲୋଚନା ଦାସ  ଯୋଗ ଦେଇଥିଲେ। ତା’ ସହିତ ବିଭାଗର ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନର ସଦସ୍ୟମାନେ ଯୋଗ ଦେଇଥିଲେ।

Tags: #WorldAutismAwarenessDay #Autism #Children #SSEPD #Odisha

Comment