ଭାସ୍କର ପରିଚ୍ଛା

ଭାରତରେ ପିଲାଙ୍କ ମଧ୍ୟରେ କୁପୋଷଣ ବା ଅପପୁଷ୍ଟି ସାଙ୍ଘାତିକ ଅବସ୍ଥାରେ ପହଞ୍ଚିଛି। ଏହାର ପ୍ରଭାବରୁ ଲକ୍ଷ ଲକ୍ଷ ପିଲା ଅତ୍ୟନ୍ତ ଖରାପ ସ୍ଥିତି ଦେଇ ଗତି କରୁଛନ୍ତି। ୟୁନିସେଫ ପକ୍ଷରୁ ନିକଟରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ୫ ବର୍ଷରୁ କମ୍ ବୟସର ଶିଶୁଙ୍କ ମୃତ୍ୟୁ ମଧ୍ୟରୁ ୬୯ ପ୍ରତିଶତ କେବଳ କୁପୋଷଣ କାରଣରୁ ହୋଇଛି।

ଦେଶର ପ୍ରତି ଦୁଇଜଣ ଶିଶୁଙ୍କ ମଧ୍ୟରେ ଜଣେ କୌଣସି ନା କୌଣସି କୁପୋଷଣର ଶିକାର ହେଉଥିବା ନିଶ୍ଚିତ ଭାବରେ ଚିନ୍ତାଜନକ।
ୟୁନିସେଫ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଭାରତରେ ୩୩ ଲକ୍ଷରୁ ଅଧିକ ଶିଶୁ କୁପୋଷଣର ଶିକାର ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ତଥାକଥିତ ଆଗୁଆ ରାଜ୍ୟ ଗୁଜରାଟ ଓ ମହାରାଷ୍ଟ୍ରରେ ରୁହନ୍ତି। କୁପୋଷିତ ଶିଶୁ ସଂଖ୍ୟା ତାଲିକାରେ ସବା ଉପରେ ଅଛନ୍ତି ଗୁଜରାଟ, ମହାରାଷ୍ଟ୍ର ଓ ବିହାର। ସୂଚନା ଅଧିକାର ଆଇନ ଅନ୍ତର୍ଗତରେ ମଗାଯାଇଥିବା ତଥ୍ୟ ଦେଇ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏହା କୁହାଯାଇଛି।

କିନ୍ତୁ ବିଶେଷଜ୍ଞଙ୍କ ମତରେ ଏହି ସଂଖ୍ୟା ଯଥେଷ୍ଟ ଅଧିକ ହେବ। ପୂର୍ବରୁ କୁପୋଷଣର ସ୍ଥିତି ଯାହା ଥିଲା କୋଭିଡ କାରଣରୁ ଗରିବଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଓ କୁପୋଷଣ ମାମଲା ଖୁବ ବଢ଼ିଛି। କେନ୍ଦ୍ର ସରକାରଙ୍କ ଶିଶୁ କଲ୍ୟାଣ  ମନ୍ତ୍ରାଳୟ ନିଜେ ଏହା ସ୍ୱୀକାର କରିଛନ୍ତି।

ଦେଶର ମୋଟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ପୋଷଣ ଟ୍ରାକର ଆପରୁ ନିଆଯାଇଥିବା ତଥ୍ୟରୁ ଜଣାପଡ଼ିଛି ଯେ, ମାତ୍ର ଗୋଟିଏ ବର୍ଷରେ ଅର୍ଥାତ କୋଭିଡ ସମୟରେ ଖାଦ୍ୟାଭାବ କାରଣରୁ କୁପୋଷଣର ଶିକାର ହୋଇଥିବା ଶିଶୁଙ୍କ ସଂଖ୍ୟାରେ ୯୧ ପ୍ରତିଶତ ବୃଦ୍ଧି ହୋଇଛି। ବିଡ଼ମ୍ବନାର ବିଷୟ ଏହା ଯେ ମହାରାଷ୍ଟ୍ର, ଗୁଜୁରାଟ ଓ ବିହାରର ସ୍ଥିତି ଏହି କ୍ଷେତ୍ରରେ ଅତ୍ୟନ୍ତ ଖରାପ।
ସବୁଠାରୁ ଅଧିକ ଚିନ୍ତାର ବିଷୟ ବିଜେପିର ବିକାଶ ମଡେଲ ଭାବେ ପରିଚିତ ଗୁଜରାଟରେ କୁପୋଷିତ ଶିଶୁଙ୍କ ସଂଖ୍ୟା ହେଉଛି ୩ ଲକ୍ଷ ୨୦ ହଜାର। ଦଳ ମତ ନିର୍ବିଶେଷରେ ସରକାରମାନେ ଶିଶୁ କୁପୋଷଣ ଦୂର କରିବାକୁ ଯଥାସାଧ୍ୟ ଉଦ୍ୟମ କରିବା ଜରୁରୀ। ଶିଶୁ ବିକାଶ ଓ ଅପପୁଷ୍ଟିକୁ ଦୂର କରିବା ପାଇଁ ପ୍ରତି ରାଜ୍ୟ ସରକାର ଠୋସ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍‌ର ପରାମର୍ଶଦାତା ସମ୍ପାଦକ)

Tags: #Malnutrition #India #children

Comment