ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

“ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି। ଏନେଇ ରାଜ୍ୟ ବଜେଟରେ ୫ କୋଟି ଟଙ୍କା ରଖାଯାଇଛି।”, ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି।
ଶୁକ୍ରବାର ବିଧାନସଭା ଗୃହରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏନେଇ ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ନିଜ ଉତ୍ତର ରଖିଛନ୍ତି।

ସେ ଆହୁରି ବି କହିଛନ୍ତି, “ବେଞ୍ଚ ପ୍ରତିଷ୍ଠା ପାଇଁ ଯାହା ଆବଶ୍ୟକ ହେଉଛି, ସେ ସମସ୍ତ ରାଜ୍ୟ ସରକାର ଯୋଗାଇାଦେବେ। ଭିତ୍ତିଭୂମିଠାରୁ ଆରମ୍ଭ କରି ଅର୍ଥରାଶି ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯିବ।”
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ଦୀର୍ଘ ଦିନ ଧରି ହୋଇ ଆସୁଛି। ଏନେଇ ଆଇନଜୀବୀମାନେ ବାରମ୍ବାର ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି। ବର୍ତ୍ତମାନ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ବ୍ୟୟବରାଦ ପରେ ଆଗକୁ ଏହା କିପରି କାର୍ଯ୍ୟକାରୀ ହେଉଛି ତାହା ଦେଖିବାର କଥା।


















