ଓଡ଼ିଶାଲାଇଭ୍ ବ୍ୟୁରୋ

ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦୀର୍ଘ ଦିନ ଧରି ଚାଲି ଆସୁଥିବା ଆନ୍ଦୋଳନ ବର୍ତ୍ତମାନ ଜୋର ଧରିଛି। କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ନିଷ୍ପତ୍ତି ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘର ସଭାପତି ନରସିଂହ ତ୍ରିପାଠୀ ଏବଂ ସମ୍ପାଦକ ରାମ ପ୍ରସାଦ ପାତ୍ରଙ୍କ ସମେତ ସମସ୍ତ ଆଇନଜୀବୀ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ରଙ୍କ ଜରିଆରେ ପ୍ରଧାନମନ୍ତ୍ରୀ , କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଆଦିବାସୀ ଅଧ୍ୟୁଷିତ ଏହି ପଛୁଆ ଜିଲ୍ଲାଟି ଓଡିଶା ହାଇକୋର୍ଟର ମୁଖ୍ୟ ବେଞ୍ଚଠାରୁ ବହୁ ଦୂରରେ ରହିଛି। ଦୂରତା ଓ ଗମନାଗମନର ଅସୁବିଧା ଯୋଗୁଁ ଗରିବ ମହକିଲମାନଙ୍କ ଅନେକ ଅର୍ଥ ଓ ସମୟର ଅପଚୟ ହେଉଛି ବୋଲି ଉକ୍ତ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି।

ଜଷ୍ଟିସ୍ ଯସବନ୍ତ ସିଂ କମିଶନ ଆବଶ୍ୟକ କରୁଥିବା ସମସ୍ତ ସର୍ତ୍ତ ଆମ ଅଞ୍ଚଳ ପୂରଣ କରୁଛି। ଦୀର୍ଘ ୧୧ ମାସ ହେଲା ଅବିଭକ୍ତ କୋରାପୁଟ ଜିଲ୍ଲାର ଆଇନଜୀବୀମାନେ ଆନ୍ଦୋଳନ କରି କୋର୍ଟ କାର୍ଯ୍ୟ ବନ୍ଦ ରଖିଛନ୍ତି। ଏଥି ପୂର୍ବରୁ ସରକାରଙ୍କ ତରଫରୁ ବସିଥିବା ଜଷ୍ଟିସ ପାଲ କମିଶନଙ୍କଠାରେ ଶପଥ ପାଠ ଦାଖଲ କରାଯାଇଛି।

୨୦୧୯ ମାର୍ଚ୍ଚ ୮ ତାରିଖରେ ରାଜ୍ୟ ସରକାର ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନର ଭିତ୍ତିଭୂମି ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଦାବି ପୂରଣ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ସଭାପତି ନରସିଂହ ତ୍ରିପାଠୀ ଓ ସମ୍ପାଦକ ରାମ ପ୍ରସାଦ ପାତ୍ର ସୂଚନା ଦେଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ରବୀନ୍ଦ୍ର କୁମାର ପାଢୀ, ସନ୍ତୋଷ ମିଶ୍ର, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ସରୋଜ ବେହେରା, ହରିନାରାୟଣ ବେହେରା, ସୀମାଞ୍ଚଳ ପାତ୍ର , ଦାମୋଦର ତ୍ରିପାଠୀ , ସମରେଶ ଗନ୍ତ।ୟତ, ମିନାକ୍ଷୀ ପାଢ଼ୀ, ପ୍ରତାପ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Comment