ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୟପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ବହୁ ଦିନଧରି ଚାଲିଥିବା ଆନ୍ଦୋଳନକୁ ଆଗକୁ ନେଇଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା। ଏନେଇ ସାଂସଦ ଉଲ୍ଲାକା କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଅବିଭକ୍ତ କୋରାପୁଟରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ନେଇ ଜାରି ରହିଥିବା ଓକିଲ ମାନଙ୍କ ଧର୍ମଘଟ ଯୋଗୁଁ ଗତ ୨୦୧୮ ମସିହା ୪ ଡିସେମ୍ବରରୁ ଅଦାଲତ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ପଡ଼ିଛି। ଏଥିପାଇଁ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେଉଥିବା ସାଂସଦ ନିଜ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି।

୧୯୮୧ରେ ଗଠିତ କେନ୍ଦ୍ର ସରକାରଙ୍କ ଯଶବନ୍ତ ସିଂ କମିଶନର ସୁପାରିଶ ଆଧାରରେ ଦକ୍ଷିଣ ଓଡିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦିଗରେ ସମସ୍ତ ସର୍ତ୍ତ ପୂରଣ କରୁଛି। କିନ୍ତୁ ଏପର୍ଯ୍ୟନ୍ତ ଏନେଇ କୌଣସି ସୁଫଳ ମିଳି ପାରିନାହିଁ। ଯାହା ଫଳରେ ଦକ୍ଷିଣ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ସରକାର ଶୀଘ୍ର ପ୍ରତିଶୃତି ଦାବିରେ ଓକିଲଙ୍କ ଧର୍ମଘଟ ଜାରି ରହିଛି।

ଏହି ଆନ୍ଦୋଳନରେ ଦକ୍ଷିଣ ଓଡିଶାର ପ୍ରାୟ ୧୩ଟି ବାର ଆସୋସିଏସନ ସାମିଲ ରହିଛନ୍ତି। ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଏବଂ ରାୟଗଡା ଜିଲା କୋର୍ଟରେ ଥିବା ବାର ଆସୋସିଏସନ ସାମିଲ ରହିଥିବା ବେଳେ ତଳକୋର୍ଟର କୋଟପାଡ, ସେମିଳିଗୁଡା, ବୋରିଗୁମ୍ମା, ଲକ୍ଷ୍ମୀପୁର ଗୁଣୁପୁର, ବିଶମକଟକ, କାଶିପୁର, ଉମରକୋଟ, ରାଇଘର କୋର୍ଟର ବାର ଆସୋସିଏସନ ଏହି ଧର୍ମଘଟରେ ସାମିଲ ରହିଛିନ୍ତି। ଯାହା ଫଳରେ  ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅଦାଲତ କାର୍ଯ୍ୟ ଏକ ପ୍ରକାର ଠପ ହୋଇଯାଇଛି।

Comment