ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ କୋରାପୁଟ ଜିଲ୍ଲା ଜୟପୁରରେ ଆନ୍ଦୋଳନ ତେଜିଛି।  ୮ ମାସ ହେଲା ଚାଲିଥିବା ଆନ୍ଦୋଳନ ଆଜି ଉଗ୍ର ରୂପ ଧାରଣ କରିଛି। ଜିଲ୍ଲା କୋର୍ଟ ସହ ୨୧ଟି କୋର୍ଟରେ ତାଲା ପକାଇଛନ୍ତି ଆଇନଜୀବୀ। ପରିସ୍ଥିତି ଏମିତି ହୋଇଛି ଯେ କୋର୍ଟ ଭିତରକୁ ବିଚାରପତିଙ୍କୁ ମଧ୍ୟ ଛାଡ଼ି ନଥିଲେ ଆନ୍ଦୋଳନରତ ଆଇନଜୀବୀ।

ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଡିସେମ୍ବର ୪ରୁ ଓକିଲମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ। ଗୁରୁବାର ଦିନ ଓକିଲମାନେ ପିକେଟିଂ କରି ଜୟପୁରର ତହିଲ ଅଫିସ, ଡିଆରଏଲ ଅଫିସ, ଉପଜିଲ୍ଲାପାଳଙ୍କ ଅଫିସ୍‌ରେ ତାଲା ପକାଇଥିଲେ।  ଏହାସହ ଆସନ୍ତା ୧୩ ତାରିଖରେ ହେବାକୁ ଥିବା ଜାତୀୟ ଲୋକ ଅଦାଲତକୁ ବନ୍ଦ କରିବା ପାଇଁ କ୍ରିୟାନୁଷ୍ଠାନ କମିଟି ନିଷ୍ପତ୍ତି ନେଇଛି।

ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ପାଇଁ ଗତ ମାର୍ଚ୍ଚ ମାସରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କରି  ଦକ୍ଷିଣ  ଓ ପଶ୍ଚିମ ଓଡିଶାରେ ଭିତ୍ତିଭୂମି ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କମିଟି ରିପୋର୍ଟରେ ଅବିଭକ୍ତ କୋରାପୁଟ ଜିଲ୍ଲାର ନାମ ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଆଇନଜୀବୀ। କୋରାପୁଟ ଜିଲ୍ଲାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ପଦକ୍ଷେପ ନନେଲେ ଆଗାମି ଦିନରେ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ଠପ୍ କରାଯିବ ବୋଲି ଚେତାବନି ଦେଇଛନ୍ତି ଆଇନଜୀବୀ।

Comment