ଭାସ୍କର ପରିଚ୍ଛା

ଏହା ହେଉଛି ଜଣେ ଫଟୋ-ସାମ୍ୱାଦିକଙ୍କ ଆତ୍ମଜୀବନୀ। ସାମ୍ବାଦିକମାନେ ଆତ୍ମଜୀବନୀ ଲେଖିବା ଖୁବ୍ କ୍ଵଚିତ ଦେଖାଯାଏ କାରଣ ସେମାନଙ୍କ କର୍ମମୟ ଜୀବନ ଏତେ ବେଶୀ ଘଟଣାରେ ପରିପୂର୍ଣ୍ଣ ଯେ ସମଗ୍ର ଘଟଣାବଳୀକୁ ଗୋଟିଏ ପୁସ୍ତକରେ ସୀମିତ ରଖିବା ମାନବିକ ଦୃଷ୍ଟିରୁ ସମ୍ଭବ ନୁହେଁ। ହୃଦୟନାଥ ଦାସ କିନ୍ତୁ ତାହା ସମ୍ଭବ କରାଇପାରିଛନ୍ତି। ନିଜ ଆତ୍ମକଥା ଲେଖିବାରେ ସେ ସଫଳ ହୋଇଛନ୍ତି କେବଳ ନୁହେଁ, ଭଲ ଆତ୍ମଜୀବନିଟିଏ ଲେଖିଛନ୍ତି।

ପ୍ରାୟ ନବେ ଦଶକ ଯାଏଁ ଏକ ବଡ଼ ଓଡ଼ିଆ ଦୈନିକ ଖବରକାଗଜର ଫଟୋ ତଳେ ଯେଉଁ ଶ୍ରେୟଟି (‘ଦାସ -ଏନ-ଦାସ’) ଦିଆଯାଉଥିଲା ସେ ଅନ୍ୟ କେହି ନୁହଁନ୍ତି, ଆଲୋଚ୍ୟ ଆତ୍ମଜୀବନୀ ଲେଖକ ହୃଦୟନାଥ ଦାସ।

‘ଉଠାପକା ଜୀବନ’ ଜୀବନୀ ପୁସ୍ତକର ନାମଟି ଯେମିତି ଚମତ୍କାର ଅତି ସରଳ ତଥା ହୃଦୟଗ୍ରାହୀ ଭାଷାରେ ଲେଖା ଯାଇଥିବା ପୁସ୍ତକର ବିଷୟବସ୍ତୁ ମଧ୍ୟ ସେହିଭଳି ଭାବଗମ୍ଭୀର। ବଂଶଲତାରୁ ଆରମ୍ଭ ହୋଇଛି ଆତ୍ମଜୀବନୀଟି ଓ ଶେଷ ହୋଇଛି ତାଙ୍କୁ ମିଳିଥିବା ସମ୍ମାନ ଓ ପୁରସ୍କାର ଏବଂ ପରିବାରବର୍ଗଙ୍କ ଫଟୋ ଚିତ୍ରରେ। ପ୍ରାୟ ୪୦୦ପୃଷ୍ଠାର ଏହି ଆତ୍ମଜୀବନୀ ପଢ଼ିବା ବେଳେ ଆପଣଙ୍କୁ ଲାଗିବ ସତେ ଯେମିତି ସେହି ଘଟଣାଗୁଡ଼ିକ ଆପଣଙ୍କ ଆଖି ଆଗରେ ନାଚି ଯାଉଛନ୍ତି।

ଡ଼ ମହେଶ୍ୱର ମହାନ୍ତି ପୁସ୍ତକର ପୃଷ୍ଠ-ପ୍ରଚ୍ଛଦରେ ଲେଖିଛନ୍ତି, ‘ପିଲାଦିନରୁ ଫୋଟୋଗ୍ରାଫି ପ୍ରତି ତାଙ୍କର ଅହେତୁକ ଆଗ୍ରହ ଥିଲା। ପରେ ତାକୁ ହିଁ ସେ ଜୀବନର ଐକାନ୍ତିକ ବ୍ରତ ବା ବୃତ୍ତି ଭାବରେ ଗ୍ରହଣ କରି ନେଇଥିଲେ। ସେ ଜଣେ ସ୍ୱାଧୀନଚେତା ଓ ସ୍ୱାଭିମାନୀ ମଣିଷ। ବୃତ୍ତି ଅନୁକୂଳ ଅନେକ ଲାଭଦାୟକ ଚାକିରିର ଆହ୍ୱାନ ଆସିଥିଲେ ମଧ୍ୟ କାହାରି ଅଧୀନତାକୁ ପସନ୍ଦ ନ କରି ସେ ସବୁକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ଫୋଟୋଗ୍ରାଫିକୁ ନିଜର କ୍ୟାରିଅର ଭାବରେ ଗ୍ରହଣ କରିନେବା, ସେଥିରେ ନିଜ ପାଇଁ ନିଜର ଏକ ସମ୍ମାନଜନକ ପରିଚୟ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଫଟୋ ସାମ୍ୱାଦିକଙ୍କ ପାଇଁ ଗୋଟିଏ ଆଦର୍ଶ ହୋଇ ପାରିଛନ୍ତି।’

ହୃଦୟନାଥ ଦାସଙ୍କ ଆତ୍ମଜୀବନୀର ଏକ ବହୁମୁଖୀ ଆବେଦନ ରହିଛି। ଏକେତ ପୁସ୍ତକଟିରେ ତତ୍କାଳୀନ ଓଡ଼ିଶାର ଜମିଦାର ପରିବାରର ସୁଖଦୁଃଖ କଥା ଆପଣ ପାଇବେ। ତା’ ଛଡ଼ା ଜଣେ ସାମ୍ବାଦିକ ଭାବେ ସେ ଯେଉଁ ସବୁ କଥା ଅଙ୍ଗେ ନିଭେଇଛନ୍ତି ଠାଏ ଠାଏ ତାର ବିବରଣୀ ବି ପ୍ରଦାନ କରିଛନ୍ତି। ସେତେବେଳେ କିପରି ଫୋଟୋର ବ୍ଲକ ତିଆରି କରି ଛପା ପାଇଁ  ଦିଆଯାଉଥିଲା, ସମାଜର ସମ୍ପାଦକ ରାଧାନାଥ ରଥ ଓ ଶ୍ରୀହର୍ଷ ମିଶ୍ର ତଥା ମ୍ୟାନେଜର ଫକୀର ବାବୁ  କେମିତି ମଣିଷ ଥିଲେ, ୧୯୬୪ ଛାତ୍ର ଆନ୍ଦୋଳନ ସମୟରେ ବିଜୁ ପଟ୍ଟନାୟକ ଚନ୍ଦନ ପଡ଼ିଆରେ ଏକ ସଭାରେ ଭାଷଣ ଦେଉଥିବା ବେଳେ କିଭଳି ତାଙ୍କ ଉପରେ ଢେଲା ମାଡ଼ ହେଲା ଓ ହ୍ରୁଦୟନାଥ କିଭଳି  ଜୀବନକୁ ବଞ୍ଚାଇବା ଅପେକ୍ଷା ନିଜ କ୍ୟାମେରାକୁ ସୁରକ୍ଷିତ ରଖିବା ପାଇଁ ଚାହିଁଥିଲେ ଏଭଳି ଅସଂଖ୍ୟ ଘଟଣାର ସମାହାର ଏହି ଆତ୍ମଜୀବନୀ।

ହୃଦୟନାଥ ଦାସ ସୂତାହାଟରେ ପ୍ରଥମେ ‘ବଜରଙ୍ଗ ଫଟୋ ଷ୍ଟୁଡିଓ’ ନାମରେ ନିଜର ଷ୍ଟୁଡିଓ କରିଥିଲେ। ସେଠୁ ଆରମ୍ଭ ହୁଏ ତାଙ୍କ ଫୋଟୋଗ୍ରାଫର ଜୀବନ। ଜୀବନୀ ପୁସ୍ତକର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ସେ କଟକ ସମ୍ପର୍କରେ ଟିକିନିଖି ବିବରଣୀ ଦେଇଛନ୍ତି। ସୁତରାଂ, ଯେଉଁମାନେ କଟକର ଇତିହାସ ଲେଖିବା ପାଇଁ ଚାହିଁବେ ଏହି ପୁସ୍ତକଟି ନିଶ୍ଚିତ ଭାବରେ କାମରେ ଆସିବ।

‘ଉଠାପକା ଜୀବନ’ ଓଡ଼ିଶାର ତତ୍କାଳୀନ ରାଜନୀତିର ଏକ ନିର୍ଭରଯୋଗ୍ୟ ଦଲିଲ ମଧ୍ୟ। ଅନେକ ରାଜନେତାଙ୍କ କଥା ଏଥିରେ ଉଲ୍ଲେଖ ରହିଛି ଯେଉଁମାନେ ପ୍ରତ୍ୟକ୍ଷ ହେଉକି ପରୋକ୍ଷରେ ତାଙ୍କର କ୍ୟାମେରା ଲେନ୍ସ ଭିତରକୁ ଆସିଥିଲେ। ‘ଶ୍ରୀ ଲୋକନାଥ’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ, ଦିଲ୍ଲୀରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାଧାକୃଷ୍ଣନ କିଭଳି ତାଙ୍କୁ ଫଟୋ ପାଇଁ ଅପେକ୍ଷା କରି ରହିଥିଲେ, ବାବୁଲାଲ ଦୋଷୀ, ଅକ୍ଷୟ ମହାନ୍ତି, ଅଦିନ ମେଘ ଫିଲ୍ମ ସୁଟିଂ ବେଳର ଘଟଣା, ୧୯୫୫ର ଦଳେଇ ଘାଇ ଭାଙ୍ଗିବା, ଭୈରବ ମହାନ୍ତି, ବିଜୁବାବୁଙ୍କ ଭାଇ ଜର୍ଜ ପଟନାୟକ, ଗିରିଜା ଭୂଷଣ ପଟନାୟକ, ୧୯୮୨ ବନ୍ୟା, ୧୯୫୬ ମସିହାରେ ପଣ୍ଡିତ ଜବାହରଲାଲ ନେହରୁ ଦଳେଇ ଘାଇ ପ୍ରପିଡୀତଙ୍କ ଅବସ୍ଥା ଦେଖିବା ପରେ ପରଦିନ କୋଣାର୍କ ଯିବା ବାଟରେ ହୃଦୟନାଥ ଜଣେ ସଚୋଟ ଫୋଟୋଗ୍ରାଫର ଭାବରେ କିଭଳି ନେହରୁଙ୍କ ଗାଡ଼ିକୁ ଅଟକାଇବା ପାଇଁ ସାହସ କରିଥିଲେ ଏହି ଭଳି ସଂଖ୍ୟାଧିକ ସ୍ମୃତି ଓ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରାଯାଇଛି ଏହି ଆତ୍ମଜୀବନୀରେ।

ହୃଦୟନାଥ ଦାସଙ୍କୁ ଏବେ  ନବେ ବର୍ଷ।ଖୁସିର କଥା ଯେ ଜୀବିତାବସ୍ଥାରେ ତାଙ୍କର ଆତ୍ମଜୀବନୀଟି ପ୍ରକାଶ ପାଇଛି।’
‘ଉଠାପକା ଜୀବନ’ ଓଡ଼ିଶାର ଅର୍ଦ୍ଧ ଶତାବ୍ଦୀରୁ ଅଧିକ ସମୟର ଏକ ଜୀବନ୍ତ  ଓ ନିରପେକ୍ଷ ପ୍ରତିଛବି। ଯିଏ ଓଡ଼ିଶାର ରାଜନୈତିକ, ସାମାଜିକ ଇତିହାସ ବିଷୟରେ ଜାଣିବାକୁ ଇଛୁକ ଅଥବା କଟକର ସାଂସ୍କୃତିକ ଇତିହାସ କିମ୍ବା ଓଡ଼ିଶାର ରାଜନେତାଙ୍କ ବ୍ୟକ୍ତିଗତ ଆଚରଣ ,ସେମାନେ ଏଥିରୁ ଢ଼େର ଉପାଦାନ ପାଇପାରିବେ।

ଓଡ଼ିଶାର ଫୋଟୋ ସାମ୍ୱାଦିକମାନେ ତ ଏହି ଆତ୍ମଜୀବନୀଟିକୁ ନିତାନ୍ତ ପଢ଼ିବା ଆବଶ୍ୟକ।

ଉଠାପକା ଜୀବନ(ଆତ୍ମଜୀବନୀ)
ଲେଖକ :ହୃଦୟନାଥ ଦାସ
ବିଜୟିନୀ ପବ୍ଲିକେସନ୍ସ, କଟକ
ମୂଲ୍ୟ :400 ଟଙ୍କା
ISBN 978-93-86437-86-0

Comment