ବିଜୟମୋହନ ମିଶ୍ର

‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍‌ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି ଓ ଶାଣିତ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରୁଛନ୍ତି।

ଓଡ଼ିଶା ଓ ଓଡ଼ିଆ (୩)

ସଂଜ୍ଞା ଶବ୍ଦ ଓଡ଼ିଆ ନୁହେଁ, ଓଡ଼ିଆରେ ଆମେ ନାଁ ବୋଲି କହୁ। ପ୍ରତ୍ୟେକ ପଦାର୍ଥର ଗୋଟିଏ ନାଁ ଅଛି – ଏ ନାଁ କିଏ ଦେଇଛି, ବା କିପରି ହେଲା, ଆମେ ପ୍ରଶ୍ନ କରୁ ନାହିଁ। ଆମେ ନାଁ ଟିକୁ ଗ୍ରହଣ କରୁ। ଫୁଲ, ଫଳ, ଗଛ, ଜନ୍ତୁ, ପକ୍ଷୀ – ସମସ୍ତଙ୍କର ଗୋଟିଏ ଗୋଟିଏ ନାଁ ଅଛି।  ସଂସ୍କୃତ ବ୍ୟାକରଣ ଲେଖାଗଲା ବେଳେ ପୁରୁଣା ନାଁମାନଙ୍କର ତାଲିକା ତିଆରି କରାଗଲା। ସେହି ନାଁମାନଙ୍କୁ ବୈୟାକରଣିକମାନେ ସଂଜ୍ଞା ବୋଲି କହିଲେ, ଅର୍ଥାତ୍ ଏ ତାଲିକା ନାଁର ଉତ୍ପତ୍ତିରେ ବ୍ୟାକରଣ ନାହିଁ। ଏହା କେବଳ ଲୋକବାଣୀ।

ଭାଷା ବ୍ୟାକରଣ ନଥିଲେ ମଧ୍ୟ ପ୍ରତ୍ୟେକ ନାଁ ପଛରେ କିଛି ଭାବ ବ୍ୟାକରଣ ଅଛି। ଭାବ ବ୍ୟାକରଣ କ’ଣ – ତା’ର ଗବେଷଣା ହୋଇନାହିଁ। ତେବେ କଦଳି, ପଣସ, ଆଖୁ, ବାଘ,ବିଲେଇ ଇତ୍ୟାଦି ଶବ୍ଦ କେହି ଆପଣା ପ୍ରତ୍ୟୟରୁ ନାମିତ କରିଛନ୍ତି ବୋଲି ଗବେଷକମାନଙ୍କର ମତ। ଏହି ସବୁ ମୂଳ ଭାବଗତ ଶବ୍ଦ କାଳକ୍ରମେ ରୂପାନ୍ତରିତ ହୋଇ ବିଭିନ୍ନ ଦେଶରେ ବିଭିନ୍ନ ଭାଷାରେ ସାମିଲ୍ ହୋଇଅଛି।

ସବୁ ସଂଜ୍ଞାବାଚୀ ଶବ୍ଦ ସହିତ ଆମର ଇନ୍ଦ୍ରିୟ ଶକ୍ତି ଜଡ଼ିତ। ଆଖି ହେଲା ପ୍ରଥମ ଇନ୍ଦ୍ରିୟ, ଦେଖିବାରେ ହିଁ ଦର୍ଶକ ଭାବ ନିରୂପଣ କରେ। ତେବେ ଶୁଣି କରି ମଧ୍ୟ ପ୍ରତ୍ୟୟ ସୃଷ୍ଟି କରାଯାଏ। କେତେବେଳେ ଚଖା ଯାଇପାରେ,  କେତେବେଳେ ସ୍ପର୍ଶ କରାଯାଇପାରେ, ଆଉ କେବେ ଶୁଂଘା ଯାଇପରେ। ଏ ସମସ୍ତ ହେଲେ ଆମର ଇନ୍ଦ୍ରିୟ ଶକ୍ତି। ଇନ୍ଦ୍ରିୟ ଶକ୍ତିର ପ୍ରୟୋଗରେ ଆମେ ପଦାର୍ଥ ପ୍ରତ୍ୟୟ ନିର୍ଣ୍ଣୟ କରୁ। ପଦାର୍ଥର ଇନ୍ଦ୍ରିୟ ଜରିଆରେ ଜାତ ହେଉଥିବା ପ୍ରତ୍ୟୟକୁ ଗୁଣ କୁହାଯାଏ। ସବୁ ପଦାର୍ଥର କିଛି ରୂପ, ରସ, ଗନ୍ଧ, ସ୍ୱର ବା ସ୍ପର୍ଶ ଅଛି। ଏମାନେ ହେଲେ ପଦାର୍ଥର ଗୁଣ।

ସୀମିତ ଜାଗାର ଚଳଣିରେ ସବୁ ଲୋକ ସବୁ ପଦାର୍ଥ ଜାଣିଥାନ୍ତି। ନୂଆ କୃଷିଧର୍ମୀ ବାସିନ୍ଦାମାନେ ଏପରି ଆପଣା ନଈ, ପାହାଡ଼, ଜଙ୍ଗଲ ଭିତରେ ନିଜର ସମାଜ ଓ ସଂସ୍କୃତି ସୃଷ୍ଟି କଲେ। ଏ ସଂସ୍କୃତି ବସ୍ତୁବାଦୀ। ପ୍ରତ୍ୟେକ ପଦାର୍ଥର ଉପଯୋଗ ଥାଏ, ସମ୍ମାନ ଥାଏ। ପ୍ରତ୍ୟେକ ପଦାର୍ଥ ସହ ମନୁଷ୍ୟର ସମ୍ପର୍କଥାଏ। ଏ ହେଉଛି ଓଡ଼ିଶା ଦେଶର ମୂଳ ସଂସ୍କୃତି।

ଆପଣା ଲୋକଙ୍କୁ ସବୁଦିନ ନଦେଖିଲେ ଯୋଗାଯୋଗ ହୁଏ ନାହିଁ। ସ୍ଥାୟୀ ବସତି ସୃଷ୍ଟି ହେଲା ପରେ ହିଁ ସମାଜରେ ଯୋଗାଯୋଗର ସୃଷ୍ଟିହେଲା। ଏ ଯୋଗାଯୋଗରେ କେବେ ନ ଦେଖିଲା ପଦାର୍ଥର ମଧ୍ୟ ଆଲୋଚନା ହେଲା। କେହି ଚତୁର ଲୋକ ଆଗକୁ ଯାଇ ନୂଆ ବସ୍ତୁ ଦେଖି  ତା’କୁ ବର୍ଣ୍ଣନା କରିବାକୁ ପ୍ରୟାସ କଲେ। ଯେପରି ସମୁଦ୍ର। ସମୁଦ୍ର କ’ଣ, କେତେ ବଡ଼, କେତେ ଗଭୀର, କିଏ ମାପିଛି, ଇତ୍ୟାଦି କଥା ଉଠିଲା। ସେମିତି ଅଦିନିଆ ଚଢ଼େଇ, କି ନୂଆ ଫଳ। ଏ ପ୍ରକାର ବସ୍ତୁକୁ ଇନ୍ଦ୍ରିୟ ଶକ୍ତିରେ ପରୀକ୍ଷା କରିହେଲା ନାହିଁ।

ନୂଆ କଥା ବୁଝିବାକୁ ଇନ୍ଦ୍ରିୟ ଶକ୍ତି ବଦଳରେ ମନୋଗତ ଶକ୍ତିର ଆବିଷ୍କାର ହେଲା। ମନ ଇନ୍ଦ୍ରିୟ ଶକ୍ତିର ଉର୍ଦ୍ଧ୍ୱରେ, ମନ ବୁଝିବାକୁ ଚେଷ୍ଟା କରେ। ଏହି ପ୍ରକାର ନୂଆ କଥା ବୁଝିବାର ଉଦ୍ୟମରେ ମଣିଷର ଆଉ ଗୋଟିଏ ଶକ୍ତି ଅଛି ବୋଲି ମଣିଷ ଜାଣିଲା। ଏ ଶକ୍ତିର ଆବିଷ୍କାର ଓଡ଼ିଶାର ପାର୍ବତ୍ୟ ଅଞ୍ଚଳରେ ହୋଇଛି ବୋଲି ଅନୁମାନ କରାଯାଉ ଅଛି। ମନରେ କଳ୍ପନା ଅଛି, କଳ୍ପନାର ପରିମାଣରୁ ଆଉ ଗୋଟିଏ ଶବ୍ଦ ସୃଷ୍ଟି ହେଲା। ଏ ଶବ୍ଦ ହେଉଛି ସତ। ‘ସେ’ ଯାହା କହୁଛି ତା’ ‘ସତ’କେମିତି ଜାଣିଲୁ ମୁଁ ଭାବୁଛି! ମନ ଭିତରେ ଭାବି କିଛି ପଦାର୍ଥ ପରିମାଣ କରିବା ମନୁଷ୍ୟ ସଭ୍ୟତାର ଗୋଟିଏ ବଡ଼ ପଦକ୍ଷେପ।

‘ସତ’ ବୋଲି କିଛି ପଦାର୍ଥ ନାହିଁ। ̎ସତ’ର କାହାଣୀ ମନରେ ଥାଏ। ଅନ୍ୟ ଗୋଟିଏ ଲୋକ ଆମର ସତ ବୁଝିବା ସମ୍ପୂର୍ଣ୍ଣ ସମ୍ଭବ ନୁହେଁ। ସୂର୍ଯ୍ୟ ସକାଳେ ଉଇଁବ କଥାଟା ସତ, କିନ୍ତୁ ସୂର୍ଯ୍ୟ ଅସ୍ତ ପରେ ମରିଗଲା ବୋଲି ଆମେ କହି ପାରିବୁ ନାହିଁ। ଏପରି ମନଗଢ଼ା କଥା ଯାହାକୁ ସମ୍ପୂର୍ଣ୍ଣ ପ୍ରତ୍ୟୟ କରିହେବ ନାହିଁ। ତା’କୁ ମିଛ ବୋଲି କୁହାଗଲା। ‘ସତ’ କାଳ୍ପନିକ ହେଲେ ମଧ୍ୟ ବସ୍ତୁଗତ, ‘ମିଛ’ ପୁରାପୁରି କାଳ୍ପନିକ। ମିଛଟା ବୋଝ, ମିଛ କଥା ସ୍ଥାୟୀ ନୁହେଁ। ସତକଥା ମନ ଭିତରେ ଦୃଢ଼ୀଭୂତ ହୁଏ, ମିଛ ବଦଳୁ ଥାଏ।

ଓଡ଼ିଆ ସଂସ୍କୃତି ରେ ‘ସତ’ ମନର ଭାବନା ହିସାବରେ ଗଣାହେଲା। ଅନ୍ୟପକ୍ଷରେ ବୈଦିକ ସଂସ୍କୃତିରେ ‘ସତ’କୁ ବସ୍ତୁ ରୂପାୟନରେ ବ୍ୟବହାର କରାଗଲା।  ଯାହା ସଂସାରରେ ଅଛି ତା’ ‘ସତ’ ଯାହା ନାହିଁ ତା’ ‘ଅସତ’ ।  ସମସ୍ତ ସୃଷ୍ଟି ‘ସତ’। କ୍ରମାଗତ ଭାବରେ ନୂଆ ପଦାର୍ଥ ସୃଷ୍ଟି ହେଉଛି। ଯାହା ସୃଷ୍ଟି ହୋଇ ନାହିଁ ତା’କୁ ଅସତ’ ବୋଲି ବେଦରେ ଲେଖାହେଲା। ଓଡ଼ିଶା ଦେଶବାସୀଙ୍କଠାରେ ‘ଅସତ’ ଶବ୍ଦର ବ୍ୟବହାର ନାହିଁ। ଯାହା ଘଟୁଛି ବା ଘଟିଛି ବୋଲି ପ୍ରତ୍ୟୟ ହେଉଛି ତାହା ହିଁ ସତ। କ’ଣ ଘଟିବ ଆମେ ତା’ଜାଣି ନାହୁଁ, ଯିଏ ଯାହା କହିଲେ ସବୁ ‘ମିଛ’। ସମୁଦ୍ର ସତ, ସମୁଦ୍ର ସେପାରି କାହାଣୀ ମିଛ!

ଏ ସତ-ମିଛ ଦର୍ଶନ କେବେ ତିଆରି ହେଲା, ଆମେ ସଠିକ କହି ପାରିବା ନାହିଁ। ପାଞ୍ଚ ହଜାର ବର୍ଷ ପୁରୁଣା ହେବ! ତା’̍ ହେଲେ ‘ସତ’ ବାଦେ କ’ଣ ହୋଇପାରେ? ଆଗକୁ କ’ଣ ଘଟିବ କିଏ ଜାଣିପାରେ? ଏ ପୁରୁଣା ଅଧିବାସୀ ଆଉ ଗୋଟିଏ ଶବ୍ଦ ସୃଷ୍ଟିକଲେ, ଏ ଶବ୍ଦ ହେଲା ‘କାଳ’। ଆଗ ଘଟଣା ଆମେ ଜାଣିନାହୁଁ, ‘କାଳ’ ଜାଣେ। ‘କାଳ’ ଆମର ନିୟନ୍ତା। ଆୟୁ, ସୁଖ, ପତ୍ନୀ, ସନ୍ତାନ ଓ ରୋଗ – ଏ ସବୁ ̎’କାଳ’ର ଅଧୀନ। ଆମେ ଯାହା ମନରେ ବୁଝିଛୁ ସତ ନହୋଇପାରେ, ‘କାଳ’ ହିଁ ସତ!

ଠାକୁରାଣୀ ଖାଦ୍ୟ ଦିଏ, “କାଳ” ଜନ୍ମଦିଏ ଓ ପୁଣି ମୃତ୍ୟୁ ଆଣେ। ଓଡ଼ିଶା ବାସିନ୍ଦାଙ୍କର ଦଇବ ଇନ୍ଦ୍ର କି ବରୁଣ ନୁହେଁ, ଏ ଦଇବ ହେଲା ‘କାଳ’ ‘କାଳ’ର ଡୋରିଅଛି, ‘କାଳ’ ଘୂରୁଛି। ‘କାଳ’ର ନିର୍ଣ୍ଣୟ ମଣିଷ ବୁଦ୍ଧିରେ ନାହିଁ, ମଣିଷ ‘କାଳ’ର ଅଧୀନ!

Comment