ଓଡ଼ିଶାଲାଇଭ୍‌ ବ୍ୟୁରୋ

ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଖଣ୍ଡଗିରି-ଉଦୟଗିରି ମହୋତ୍ସବର ବୁଧବାର ଥିଲା ଦ୍ୱିତୀୟ ସନ୍ଧ୍ୟା। ସନ୍ଧ୍ୟାର ବିଶେଷ ଆକର୍ଷଣ ଥିଲା ସମ୍ବଲପୁରି ନୃତ୍ୟ, ମହାରାଷ୍ଟ୍ରର ପାରମ୍ପାରିକ ଲୋକ ନୃତ୍ୟ ଲାବଣି ନୃତ୍ୟ ଓ ଆଧୁନିକ ସଙ୍ଗୀତର ପସରା।

ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ବଲାଙ୍ଗିରରୁ ଆସିଥିବା ସଙ୍ଗୀତ ସାଧନା ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ସମ୍ବଲପୁରି ନୃତ୍ୟ ଓ ସଂଙ୍ଗୀତ କାର୍ଯ୍ୟକ୍ରମ। ପରେ ପରେ କଟକର ମୋକ୍ଷ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ମହାରାଷ୍ଟ୍ରର ଲୋକନୃତ୍ୟ ଲାବଣି ନୃତ୍ୟ ପରିବେଷଣ ହୋଇଥିଲା। ତାପରେ କୁନି କଳାକାର ଦେବଦାସ ଓ ରାଧାଙ୍କ ଦ୍ୱାରା ଆଧୁନିକ ନୃତ୍ୟ ପରିବେଶିତ ହୋଇଥିଲା।

ଦ୍ୱିତୀୟ ସନ୍ଧ୍ୟାର ଅତିଥି ଥିଲେ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ପର୍ଯ୍ୟଟନ ବିଭାଗର ପର୍ଯ୍ୟଟନ ଅଧିକାରୀ ରତିକାନ୍ତ ପଟ୍ଟନାୟକ ଓ ଭୁବନେଶ୍ୱର ପର୍ଯ୍ୟଟନ ଅଧିକାରୀ ଅଜୟ କୁମାର ରାଉତ।

ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ବିଭିନ୍ନ ଓଡ଼ିଆ ଓ ହିନ୍ଦି ଆଧୁନିକ ସଙ୍ଗୀତର କାର୍ଯ୍ୟକ୍ରମ। ଯାହାକୁ ପରିବେଷଣ କରିଥିଲେ ଓଡ଼ିଶାର ସୁନାମଧନ୍ୟ ଯୁବ ପ୍ରତିଭା ସତ୍ୟଜିତ ପ୍ରଧାନ ଓ ଅମ୍ରିତା ଭାରତି ପଣ୍ଡା। ଶେଷ ପ୍ରସ୍ତୁତିରେ ଥିଲା ଯନ୍ତ୍ର ସଙ୍ଗୀତ କାର୍ଯ୍ୟକ୍ରମ ମ୍ୟୁଜିକାଲ ନାଇଟ।

ଖଣ୍ଡଗିରି କୁମ୍ଭମେଳାର ଦ୍ୱିତୀୟ ଦିନରେ ଜମିଛି ଦୋକାନ ବଜାର। କିଣାବିକା ସାଙ୍ଗକୁ ବୁଲାବୁଲି କରିବାକୁ ଛୁଟୁଛି ଲୋକଙ୍କ ଗହଳି। ଏହା ସାଙ୍ଗକୁ ଅନନ୍ତ ଗୁମ୍ପାରେ ବିଶ୍ୱଶାନ୍ତି ଯଜ୍ଞ ଆରମ୍ଭ ହୋଇଛି। ଦ୍ୱିତୀୟ ଦିନରେ ଠାକୁରଙ୍କୁ ଆସ୍ଥାନରେ ଅଳଙ୍କୃତ କରାଯାଇ ହୋମଯଜ୍ଞ ଆରମ୍ଭ ହୋଇଥିଲା। ଆସନ୍ତା ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ଯାତ୍ରା ଚାଲିବ।

Comment