ଓଡ଼ିଶାଲାଇଭ୍ ବ୍ୟୁରୋ
ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ରକୁ ଏଣିକି ସିସିଟିଭି ଜଗିବ। ଖାତାଦେଖାରେ ସ୍ୱଚ୍ଛତା ଆଣିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ଏହି ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି।
ଏନେଇ ସିଏଚ୍ଏସ୍ଇ ଅଧ୍ୟକ୍ଷ ଅମରେନ୍ଦ୍ର କୁମାର ପଟ୍ଟନାୟକ ରାଜ୍ୟର ସମସ୍ତ ମୂଲ୍ୟାୟନ କେନ୍ଦ୍ରର ନିୟନ୍ତ୍ରକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଅମରେନ୍ଦ୍ର ପଟ୍ଟନାୟକ କହିଛନ୍ତି, “ଉଭୟ ଅନଲାଇନ୍ ଏବଂ ଅଫ୍ ଲାଇନ୍ ମୂଲ୍ୟାୟନ କେନ୍ଦ୍ରକୁ ସିସିଟିଭି ନିୟନ୍ତ୍ରଣରେ ରଖାଯିବ। ଖାତାଦେଖାରେ ସ୍ୱଚ୍ଛତା ଆଣିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହାସହ ପ୍ରଶ୍ନପତ୍ର ରହୁଥିବା ଷ୍ଟ୍ରଙ୍ଗରୁମ୍କୁ ମଧ୍ୟ ସିସିଟିଭି ନିୟନ୍ତ୍ରଣରେ ରଖାଯିବ।”
ଗତ କିଛିଦିନ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ସିସିଟିଭି ନିୟନ୍ତ୍ରଣରେ ରଖିବା ପାଇଁ ସିଏଚ୍ଏସ୍ଇ କର୍ତ୍ତୃପକ୍ଷ ସମସ୍ତ ଜୁନିଅର କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଫେବ୍ରୁଆରି ୨୦ ତାରିଖ ସୁଦ୍ଧା ସିସିଟିଭି କଲେଜରେ ଇନଷ୍ଟଲ କରିବାକୁ ସିଏଚ୍ଏସ୍ଇ ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ସମସ୍ତଙ୍କ କଲେଜଗୁଡ଼ିକୁ ଚିଠି ମାଧ୍ୟମରେ ଅବଗତ କରିଥିଲେ।