ଓଡ଼ିଶାଲାଇଭ୍‌ ବ୍ୟୁରୋ

(ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର) ପାଟଣାଗଡ ପାର୍ସଲ ବୋମା ବିଷ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍‌ ମେହେର ଗୁରୁତର ଅସୁସ୍ଥ। ଗୁରୁତର ଅବସ୍ଥାରେ ତାକୁ, ବଲାଙ୍ଗିର ସନ୍ଥ ଭୀମଭୋଇ ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ପୁଞ୍ଜିଲାଲ୍‌ ପାଟଣାଗଡ ଜେଲ୍‌ରେ ଥିବା ବେଳେ, ଅନ୍ୟ ଡକାୟତମାନଙ୍କ ସହ ଜେଲ୍‌ରୁ ଫେରାର ହେବାକୁ ଉଦ୍ୟମ କରି ଧରାପଡିଥିଲା।

ତାକୁ ଏବେ ବଲାଙ୍ଗିର ଜେଲ୍‌ରେ ରଖାଯାଇଛି। ହେଲେ ପାଟଣାଗଡ ଜେଲ୍‌ରେ ଚାଲିଥିବା ଦୁର୍ନିତୀ ସଂପର୍କରେ ସେ ଅଭିଯୋଗ କରି ସେ ବଲାଙ୍ଗିର ଜେଲ୍‌ରେ ଗତ ୯ଦିନ ହେଲା ଅନଶନ କରିଆସୁଛି।

ଡାକ୍ତରଖାନାରେ ଗଣମାଧ୍ୟମ ପ୍ରତିନିଧୀଙ୍କୁ ଦେଖି ଚିତ୍କାର କରୁଥିଲା ପୁଞ୍ଜିଲାଲ୍‌। କହୁଥିଲା ଗଣତନ୍ତ୍ର,ମାନବିକତା ଓ ନ୍ୟାୟ ଅନ୍ୟାୟର କଥା। କିନ୍ତୁ, ପାର୍ସଲ ବୋମାର କଥା ଓ ନିରୀହ ଲୋକଙ୍କୁ ହତ୍ୟା କଥା ପଚାରିଲେ ସେ ଚତୁରତାର ସହ କଥାକୁ ଏଡାଇ ଯିବାକୁ ଚେଷ୍ଟା କରୁଥିଲା। ବାରମ୍ବାର ମୁଁ ଉଚ୍ଚଶିକ୍ଷିତ, ସବୁକଥା ବୁଝିପାରେ,ସତ୍ୟ ଓ ମାନବିକତା ଉପରେ ତାର ବିଶ୍ୱାସ ଅଛି ବୋଲି କହୁଛି ପୁଞ୍ଜିଲାଲ୍‌।

ହେଲେ ଏତେ କଥା କହୁଥିବା ପୁଞ୍ଜିଲାଲ୍‌ ଗୋଟିଏ ପରିବାରକୁ ପାର୍ସଲ ବୋମା ମାଧ୍ୟମରେ ଉଡାଇଦେବାକୁ କାହିଁକି ଷଡଯନ୍ତ୍ର କରିଥିଲା ବୋଲି ପ୍ରଶ୍ନ କଲେ, କେବଳ ବଡବଡ ଆଖିରେ ଗଣମାଧ୍ୟମ ପ୍ରତିନିଧୀଙ୍କୁ ଦେଖିବା ଛଡା କିଛି କହୁନଥିଲା ପୁଞ୍ଜିଲାଲ୍‌ ମେହେର।

ପୁଞ୍ଜିଲାଲ୍‌ ଗଣମାଧ୍ୟମ ପ୍ରତିନିଧୀଙ୍କୁ ପ୍ରଶ୍ନ କରିଛି ଯେ, ସେ ପାଟଣାଗଡ ଜେଲ୍‌ କର୍ତ୍ତୃପକ୍ଷଙ୍କ ବିରୋଧରେ ସବୁକଥା କହିବା ପରେ, ମଧ୍ୟ କାହିଁକି ବର୍ତ୍ତମାନ ସୁଦ୍ଧା ତଦନ୍ତ କରାଯାଉନି।

ଘଟଣାର ତଦନ୍ତ କରି ସତକଥା ପ୍ରଘଟ ଦାବି କରି,ଗତ ୯ଦିନ ହେଲା ବଲାଙ୍ଗିର ଜେଲ୍‌ରେ ଅନଶନ କରୁଥିଲା ପୁଞ୍ଜିଲାଲ୍‌। ଫଳରେ ଅଧିକ ଦୁର୍ବଳ ହୋଇପଡିବାରୁ ତାଙ୍କୁ ବଲାଙ୍ଗିର ଡାକ୍ତରଖାନାର ମେଡିସିନ୍‌ ୱାର୍ଡରେ ଭର୍ତ୍ତି କରାଯାଇଛି। ତେବେ ବର୍ତ୍ତମାନ ସେ ସୁସ୍ଥ  ଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

ଗତ ୮ତାରିଖରେ ପୁଞ୍ଜିଲାଲ୍‌କୁ ପାଟଣାଗଡ ଜେଲ୍‌ରୁ ବଲାଙ୍ଗିର ଜେଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସେ ଏବେ ଜେଲ୍‌ର ୮ନମ୍ବର ସେଲ୍‌ରେ ରହୁଛି। ଜେଲ୍‌ର ଅନ୍ୟ ଅନ୍ତେବାସୀଙ୍କ ସହ ପୁଞ୍ଜିଲାଲ୍‌କୁ ମିଶିବାକୁ ସୁଯୋଗ ଦିଆଯାଉନାହିଁ।

ପୁଞ୍ଜିଲାଲ୍‌କୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଡାକ୍ତରଖାନାରେ ରଖାଯାଇଥିବା ବେଳେ, ତାର ପ୍ରତ୍ୟେକ ଗତିବିଧୀକୁ ସିସିଟିଭି ମାଧ୍ୟମରେ ନଜର ରଖାଯାଇଛି। ପୁଞ୍ଜିଲାଲ୍‌ କେବଳ କିଛି ଖାଦ୍ୟ ଖାଉନଥିବା ବେଳେ, ତାର ଅନ୍ୟ କୌଣସି ସମସ୍ୟା ନାହିଁ ବୋଲି ବଲାଙ୍ଗିର ଜେଲ୍‌ର ଜେଲର୍‌ ସଞ୍ଜୟ ବର୍ମା କହିଛନ୍ତି।

Comment