ଭାସ୍କର ପରିଚ୍ଛା

ଜୀବନ ଚରିତ ଲେଖିବା ଏକ ଦୁଃସାହସିକ କାର୍ଯ୍ୟ। ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଘଟଣାବହୁଳ ଜୀବନର ତମାମ ଘଟଣାକୁ କଳାତ୍ମକ ଭାବେ, ପଢ଼ିବା ଭଳି ଓ ସୌନ୍ଦର୍ଯ୍ୟତାର ସହ ଉପସ୍ଥାପନ କରିବା ଯଦି ପ୍ରକୃତ  ଜୀବନୀ ହୁଏ, ଓଡ଼ିଶାର ଜଣେ ବରପୁତ୍ର ଏବଂ ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ଶ୍ରୀରାମଚନ୍ଦ୍ର ଦାଶଙ୍କ ଉପରେ ଡ଼କ୍ଟର ଦିଗରାଜ ବ୍ରହ୍ମାଙ୍କ ଲିଖିତ ଜୀବନୀ ନିଶ୍ଚିତ ଭାବରେ ଏକ ସଫଳ ସୃଷ୍ଟି ଏକଥା କହିବାରେ ଦ୍ୱିଧା ନାହିଁ। ଇତିହାସ, ସାହିତ୍ୟ ଓ ନାୟକଙ୍କ ତ୍ରିବେଣୀ ହେଉଛି ଏହି ଜୀବନୀ ପୁସ୍ତକ। ଏଥିରେ ଇତିହାସ ଚେତନା ରହିଛି, ସାହିତ୍ୟ ରହିଛି ଓ ରହିଛି ମଧ୍ୟ ଜଣେ କିମ୍ବଦନ୍ତୀ ପୁରୁଷଙ୍କ ସମ୍ପର୍କରେ ଟିକିନିଖି ବିବରଣୀ। ଜଣେ ଅବିସ୍ମରଣୀୟ ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ଜୀବନକୁ ପ୍ରାମାଣିକତାର ସହ ଲେଖିବାକୁ ହେଲେ  ଗଭୀର ଅଧ୍ୟୟନର ଆବଶ୍ୟକତା ଥାଏ। ତା’ ସାଙ୍ଗକୁ ଦରକାର ପ୍ରତୁଳ ତଥ୍ୟ ଓ ସୂଚନା। ଏ ଦୁଇଟି ସମ୍ଭବ ହୋଇପାରିଛି ଆଲୋଚ୍ୟ ପୁସ୍ତକରେ।

ଶ୍ରୀରାମଚନ୍ଦ୍ର ଦାଶ ଓଡ଼ିଆଙ୍କ ମଧ୍ୟରେ ଏକ ଆଚମ୍ବିତ ବ୍ୟକ୍ତିତ୍ୱ। ତାଙ୍କ ଭଳି ଜଣେ ପଣ୍ଡିତ, ଛାତ୍ରବତ୍ସଳ ଶିକ୍ଷକ, ଦକ୍ଷ ଅଧ୍ୟାପକ, ପ୍ରଶାସକ, ସାହସୀ ମଣିଷ ଯେ ଆଉ କେହି ଆମମାନଙ୍କ ଆଖିରେ ପଡ଼ନ୍ତି ତାହା କହିବା କଷ୍ଟ। ସେ ଥିଲେ ଜଣେ ଯୁଗଜନ୍ମା। କୁହାଯାଏ ତାଙ୍କର ଭାଷଣରେ ଏତେ ମାଦକତା ଥିଲା ଯେ ଯିଏ ତାଙ୍କୁ ଶୁଣୁଥିଲେ ଅବାକ ହୋଇ ରହିଯାଉଥିଲେ। ସେହି ଦୃଷ୍ଟିରୁ ପୁସ୍ତକର ନାମକରଣ ଯଥାର୍ଥ -ବାଗ୍ମୀପୁରୁଷ।

ଡ଼ ଦିଗରାଜ ବ୍ରହ୍ମା ନିଜେ ଜଣେ ଶିକ୍ଷାବିତ। ଏଣୁ ଅନ୍ୟ ଜଣେ ଶିକ୍ଷାବିତଙ୍କ ସମ୍ପର୍କରେ ସେ ଅନାୟାସରେ ଲେଖିପାରୁଛନ୍ତି। ଶିକ୍ଷାବିତମାନଙ୍କ ଉପରେ ଏଇଟି ତାଙ୍କର ଦ୍ୱିତୀୟ ଜୀବନୀ ପୁସ୍ତକ। ପୂର୍ବରୁ ଅନ୍ୟ ଜଣେ ଶିକ୍ଷାବିତ ଡଃ ଶରତ ଚନ୍ଦ୍ର ଦାଶଙ୍କ ଉପରେ ସେ ଖଣ୍ଡିଏ ପୁସ୍ତକ ରଚନା କରିସାରିଛନ୍ତି।

‘ବାଗ୍ମୀପୁରୁଷ’ ଏଥିପାଇଁ ଏକ ଉପାଦେୟ ପୁସ୍ତକ ଯେ ଶ୍ରୀରାମଚନ୍ଦ୍ର ଦାଶଙ୍କ ସମ୍ପର୍କରେ ଅନେକ କଥା ଆମେ କେବଳ  ଶୁଣୁଥିଲେ। କିନ୍ତୁ ଏସବୁକୁ ପଢ଼ିବାର କୌଣସି ଅବକାଶ ନଥିଲା। ଏହି ପୁସ୍ତକଟି ସେହି ଅଭାବବୋଧକୁ ଦୂର କରିପାରିଛି। ଶ୍ରୀରାମଚନ୍ଦ୍ର ଦାଶଙ୍କ ଆତ୍ମଜୀବନୀ ‘ମୋ ଅକୁହା କାହାଣୀ’, ବିଭିନ୍ନ ପତ୍ର ପତ୍ରିକା ଓ ସ୍ମରଣିକାରେ ତାଙ୍କ ସମ୍ପର୍କରେ ପ୍ରକାଶିତ ଲେଖାକୁ ଭିତ୍ତି କରି ଡ଼ ବ୍ରହ୍ମା ଏହି ଜୀବନୀଟିକୁ ଲେଖିଛନ୍ତି।

ପ୍ରଫେସର ଶ୍ରୀରାମଚନ୍ଦ୍ର ଦାଶଙ୍କର ୨୦୧୮ ହେଉଛି ଜନ୍ମ ଶତବାର୍ଷିକୀ ବର୍ଷ। ସେହି ଦୃଷ୍ଟିରୁ ଏହି ଶତେକ ଶ୍ରଦ୍ଧାଞ୍ଜଳିଟି ପାଠକଙ୍କ ପାଖରେ ପହଞ୍ଚାଇବା ପାଇଁ ଯେଉଁ ଉଦ୍ୟମ ହୋଇଛି ତାହା ପ୍ରଶଂସନୀୟ। ଶ୍ରୀରାମଚନ୍ଦ୍ର ଦାଶଙ୍କ ପିଲାବେଳଠାରୁ ଆରମ୍ଭ କରି ୧୯୯୪ରେ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସଂଖ୍ୟାତୀତ ଘଟଣାର ଏକ ଜୀବନ୍ତ ଦସ୍ତାବେଜ ଏହି ପୁସ୍ତକ।

ଡ଼ ବ୍ରହ୍ମାଙ୍କ ଭାଷାରେ, ‘ସାମ୍ପ୍ରତିକ ପରିସ୍ଥିତିରେ ପ୍ରଫେସର ଶ୍ରୀରାମଚନ୍ଦ୍ର ଦାଶଙ୍କ ଚିନ୍ତା, ଚେତନା କାର୍ଯ୍ୟଧାରାର ବସ୍ତୁନିଷ୍ଠ ବିଶ୍ଲେଷଣ ଓ ମାର୍ଗଦର୍ଶନର ଆବଶ୍ୟକତା ରହିଛି। ଜଣେ ସମ୍ବିଧାନବିତ, ଶିକ୍ଷାବିତ ଓ ଅଧିବକ୍ତା ଭାବରେ ସେ ଯେଉଁ ସାମାଜିକ ମୂଲ୍ୟବୋଧ ଛାଡ଼ିଯାଇଛନ୍ତି ତାହା କାଳଜୟୀ ଏବଂ ଓଡ଼ିଶାର ଜନଜୀବନରେ ଅବିସ୍ମରଣୀୟ।’

ପୁସ୍ତକଟିର ଏକ ବଡ଼ ଆକର୍ଷଣ ହେଉଛି ଏହାର  ସାବଲୀଳତା। ପ୍ରାୟ ୧୨୦ଟି ଛୋଟ ଛୋଟ ଅନୁଛେଦରେ ଲେଖକ ପ୍ରଫେସର ଦାଶଙ୍କ ସମଗ୍ର ଜୀବନଟିକୁ ଉପସ୍ଥାପିତ କରିବା ପାଇଁ ଉଦ୍ୟମ କରିଛନ୍ତି। ଭାଷାରେ ଗମ୍ଭୀରତା ରହିଛି ଓ ପ୍ରତିଟି ଘଟଣାର ଏକ ପୂର୍ବାପର ସମ୍ପର୍କ ବି ପଢିବାକୁ ମିଳିବ। ‘ବାଗ୍ମୀପୁରୁଷ’ ତତ୍କାଳୀନ ଓଡ଼ିଶାର ସାମାଜିକ, ରାଜନୈତିକ, ପ୍ରଶାସନିକ, ଶୈକ୍ଷିକ ଇତିହାସର ଏକ ମଞ୍ଜୁଳ ଆଲେଖ୍ୟ। ଓଡ଼ିଆ ଜୀବନୀ ସାହିତ୍ୟ କ୍ଷେତ୍ରକୁ ଏହାର ଅବଦାନ ଅନସ୍ୱୀକାର୍ଯ୍ୟ।

ବାଗ୍ମୀପୁରୁଷ ପ୍ରଫେସର ଶ୍ରୀରାମଚନ୍ଦ୍ର ଦାଶ
ଲେଖକ : ଡ଼ ଦିଗରାଜ ବ୍ରହ୍ମା
ପ୍ରକାଶକ : ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦ
ହାଉସିଂ ବୋର୍ଡ କଲୋନୀ, ଚନ୍ଦ୍ରଶେଖର ପୁର
ଭୁବନେଶ୍ୱର ୭୫୧୦୧୬
ମୂଲ୍ୟ ୩୦୦ ଟଙ୍କା

Comment