ଭାସ୍କର ପରିଚ୍ଛା

ପାଞ୍ଚଶହ ଷାଠିଏ ପୃଷ୍ଠାର ପୁସ୍ତକ, ପ୍ରଚୁର ଛବି, ଅନେକ ପରିଶିଷ୍ଟ, ଅଦ୍ଵିତୀୟ ପ୍ରଚ୍ଛଦ ଓ ଗୋଟିଏ ବି ଘଟଣା ସ୍ମୃତିରୁ ବାଦ ନପଡ଼ିବା – ଏହିପରି  ବୈଶିଷ୍ଟ୍ୟକୁ ନେଇ ଆତ୍ମଜୀବନୀଟିଏ ଯେତେବେଳେ ଲେଖା ହେବ ତାହା ସ୍ୱୟଂସଂପୂର୍ଣ୍ଣ ହେବାକୁ ବାଧ୍ୟ। ଡ଼ଃ ଅରବିନ୍ଦ ପଟ୍ଟନାୟକଙ୍କ ଆତ୍ମଜୀବନୀକୁ ପଢ଼ିଲା ବେଳେ ଲାଗିଲା ଯେମିତି କି ଓଡ଼ିଶାର ସାମାଜିକ ଜୀବନ ଓ ପରମ୍ପରାର  ପ୍ରତିଛବିଟିଏ ଆଙ୍କି ହେଇ ଯାଉଛି ମାନସପଟ୍ଟରେ।

ଆତ୍ମଜୀବନୀର ସଫଳତା ଏହାର ନାମକରଣରୁ।ଡ଼ ଅରବିନ୍ଦ ପଟ୍ଟନାୟକଙ୍କ ଜୀବନ ବ୍ୟାପି ସାଧନାର ପ୍ରତିଫଳନ  ଏହି ପୁସ୍ତକ।ଜଣେ ଶିକ୍ଷାବିତ ହିସାବରେ ଓଡ଼ିଶାରେ ସେ ଯେତିକି ପରିଚିତ ନୁହଁନ୍ତି ତା ଠାରୁ ତାଙ୍କର ଅଧିକ ପରିଚୟ ଜଣେ ଲୋକ ସାହିତ୍ୟିକ ଭାବରେ।ଓଡ଼ିଶାରେ ଯାହା କିଛି ଲୌକିକ(ଫୋକ୍ ଅର୍ଥରେ)ସେ ସବୁକୁ ଆହରଣ କରିବା ସହ ପ୍ରତିଟି ଲୋକବିଭାଗରେ କଲମ ଚାଳନା କରି ଡ଼ ପଟ୍ଟନାୟକ ନିଜ ପାଇଁ ଓ ଓଡ଼ିଆ ବାଣୀଭଣ୍ଡାର ପାଇଁ ଛାଡି ଯାଇଛନ୍ତି ଏକ ବିରାଟ ରଚନା ସୌଧ। ଲୋକଧର୍ମ, ଲୋକ,ପରମ୍ପରା, ଲୋକଦର୍ଶନ, ଲୋକଧାରା,ଲୋକପୂଜିତ ଦେବାଦେବୀ, ଓଷାବ୍ରତ, ଯାନିଯାତ୍ରା, ଲୋକଗୀତ,ଲୋକନାଚ, ବଚନିକା, ଢଗ ଢମାଳି ଓ ଆନୁସଙ୍ଗିକ ବିଷୟ ଉପରେ ସେ ଯେତିକି  ଅଧ୍ୟୟନ ଓ ଗବେଷଣା କରିଛନ୍ତି ଅନ୍ୟ କାହା ଭାଗ୍ୟରେ ତାହା ଜୁଟିନଥିବା ଅନୁମାନ।ଲୋକରତ୍ନ ଡ଼ କୁଞ୍ଜବିହାରୀ ଦାଶଙ୍କ ପରେ ଡ଼ ଅରବିନ୍ଦ ପଟ୍ଟନାୟକ ହେଉଛନ୍ତି  ସାମ୍ପ୍ରତିକ ସମୟରେ ଓଡ଼ିଶାର ଲୋକ ପରମ୍ପରାର ଜଣେ ପ୍ରତିଷ୍ଠିତ ଗବେଷକ।ସେ ଜଣେ ବିଶିଷ୍ଟ ଶିଶୁ ସାହିତ୍ୟିକ ମଧ୍ୟ।

ଖୋର୍ଦ୍ଧା ନିକଟ ଗ୍ରାମଡିହରେ ଅରବିନ୍ଦଙ୍କ ଜନ୍ମ ୧୯୪୧ରେ। ରେଭେନ୍ସାରୁ ଏମଏ, ଉତ୍କଳ ବିଶ୍ଵବିଦ୍ୟାଳୟରୁ ପିଏଚଡି ,ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟାପନା, ଭାରତୀୟ ଭାଷା ସଂସ୍ଥା ଅଧୀନରେ ଗୁଆହାଟି ବିଶ୍ୱବିଦ୍ୟାଳୟରୁ ପ୍ରଫେସର ପଦବୀରୁ ଅବସର ଗ୍ରହଣ -ଏହିଭଳି ଏକ  ବିରାଟ କ୍ୟାନଭାସକୁ ନେଇ ଲିଖିତ ଏହି ଆତ୍ମଜୀବନୀ ‘ଦିନଯାଏ ଦିନଆସେ।’

ନିଜ ସ୍ମୃତିରୁ ଅତୀତର ଘଟଣା ଗୁଡ଼ିକୁ କାଢି ଆଣିବା, ନିଷ୍ପକ୍ଷ ଭାବରେ  ଲେଖିବା, କାଳ୍ପନିକତାରୁ ଦୂରେଇ ରହିବା ଓ ରୋଚକତାର ସହ ବଖାଣିବା – ଏହାକୁ ଯଦି ପ୍ରକୃତ ଆତ୍ମକଥନ କୁହାଯାଏ ଡ଼ ପଟ୍ଟନାୟକଙ୍କ ଏହି ଜୀବନୀ ଏକ ସଫଳ ପ୍ରଚେଷ୍ଟା କହିଲେ ଭୂଲ ହେବ ନାହିଁ।ଅବଶ୍ୟ କଳାତ୍ମକ ସାହିତ୍ୟର ଢ଼ଙ୍ଗରେ ସେ ଏହାକୁ ଲେଖିନାହାନ୍ତି।ତେବେ ତଥ୍ୟ ଭିତ୍ତିକ ଓ ପ୍ରମାଣଯୁକ୍ତ କରିବା ସହ  ଜୀବନୀଟିକୁ ସୁଖପାଠ୍ୟ କରିପାରିଛନ୍ତି।

ନିଜେ ଜଣେ ଲୋକ ସାହିତ୍ୟର ଗବେଷକ ହୋଇଥିବା କାରଣରୁ ଏହି ଆତ୍ମଜୀବନୀରେ ଶାସ୍ତ୍ର, ପୁରାଣ, ଢଗ, ପ୍ରବଚନ ଆଦିର ପ୍ରଚୁର ଉଦ୍ଧୃତି ଦେଖିବାକୁ ମିଳେ। ଅଭିବ୍ୟକ୍ତିର ଏହା ଏକ ବଳିଷ୍ଠ ମାଧ୍ୟମ ନିଃସନ୍ଦେହରେ ଏକଥା କୁହାଯାଇପାରେ। ଯିଏ ପୁସ୍ତକକୁ ପଢ଼ିବେ ସେ ଅନୁଭବ କରିପାରିବେ ୬୦/୭୦ ବର୍ଷ ତଳେ ଓଡ଼ିଶାର ସାମାଜିକ ପରିବେଶ କ’ଣ ଥିଲା, ଶିକ୍ଷାର ଗତି କ’ଣ ରହିଥିଲା ଓ ଶିକ୍ଷା ବ୍ୟବସ୍ଥା ଭିତରେ କଣ ସବୁ ସମସ୍ୟା ଥିଲା।

ଏହି ଆତ୍ମଜୀବନୀର ଅନ୍ୟ ଏକ ଉଲ୍ଲେଖନୀୟ ଦିଗ ହେଉଛି ଚାକିରୀ ଜୀବନର ସଫଳତା ଓ ବ୍ୟଥାର ଆତ୍ମିକ ବିବରଣୀ। ଡ଼ ପଟ୍ଟନାୟକ ଜଣେ ଭ୍ରମଣପ୍ରିୟ ମଣିଷ ହୋଇଥିବାରୁ ଚାକିରୀ ଜୀବନ ଭିତରେ ସରକାରୀ କାର୍ଯ୍ୟରେ ହେଉକି ବ୍ୟକ୍ତିଗତ କାର୍ଯ୍ୟରେ ହେଉ ଯେଉଁ ସବୁ ସ୍ଥାନ ଭ୍ରମଣ କରିଥିଲେ ଓ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଥିଲେ ଓ ସେ ଅନ୍ୟ ମାନଙ୍କର, ତାହାର ରୋମାଞ୍ଚକର ଅନୁଭୂତିରୁ ମଧ୍ୟ କିଛି କିଛି ପଢ଼ିବା ପାଇଁ ମିଳିବ। ଚାକିରି କାଳ ଭିତରେ ଯେତେ ଯାହା ଚିଠି ପତ୍ରର ଆଦାନ ପ୍ରଦାନ କରାଯାଇଛି ସେ ସବୁ ବ୍ୟତୀତ ତାଙ୍କୁ ମିଳିଥିବା ସମ୍ମାନ, ପୁରସ୍କାର ଓ ପ୍ରଶସ୍ତିର ପ୍ରତିଲିପି ମଧ୍ୟ ପୁସ୍ତକରେ ଗୁନ୍ଥିତ ହୋଇଛି।

ଆତ୍ମଜୀବନୀଟି ପୃଥୁଳକାୟ ନିଶ୍ଚିତ ଭାବରେ। କିନ୍ତୁ ପଢ଼ିବା ବେଳେ ବିରକ୍ତିଭାବ ଆସିବନାହିଁ, ବରଂ ଆଗକୁ ବଢ଼ିବା ପାଇଁ ନିଜ ଭିତରେ ଉତ୍ସୁକତା ସୃଷ୍ଟି ହେବ। ବୈଷ୍ଣବ ଚରଣ ମହାନ୍ତିଙ୍କ ମୁଖବନ୍ଧ (ଓଳି ଗୁଣେ କୋଳି)ରୁ ଆରମ୍ଭ ହୋଇଥିବା ଏଇ ଆତ୍ମଜୀବନୀର ଶେଷରେ ଡ଼ ଅରବିନ୍ଦ ପଟ୍ଟନାୟକ ଯେଉଁ କଥାଟି ଲେଖିଛନ୍ତି ତାହା ପ୍ରଣିଧାନଯୋଗ୍ୟ: ‘ଯେଉଁ ସାହିତ୍ୟ ଜୀବନକୁ ଯୋଡ଼ିଛି ଜୀବନ ସହିତ, ସମାଜ ସହିତ, ସଂସ୍କୃତି ସହିତ, ଦେଶର ପ୍ରତିଟି ଜଣା ଅଜଣା, ଦେଖା ଅଦେଖା ଜାଗା ସହିତ, ସେଇ ସାହିତ୍ୟିଟି ମୋ ଇହଜୀବନର ସାଥୀ। ଯେଉଁ ଭାଷାରେ ସେ ସାହିତ୍ୟ ସହିତ ସଖ୍ୟ,ସେଇ ଭାଷାଟିକୁ ଜନ୍ମରୁ ନିଜର କରି ଆସିଛି, ନିଜର ବୋଲି ଯାହାକୁ ଧରିଥିବି ଜୀବନାବସନ ଯାଏ। ଆଜିର ସୂର୍ଯ୍ୟ କାଲିକି ଆସିବ ଠିକ୍ ଆଜିର ଚେହେରା, ତେଜ, ରଙ୍ଗ, ରଶ୍ମି ଘେନି। କିନ୍ତୁ ଏଇ ଜନ୍ମଟି ତା’ର ଆଉ ଗୋଟିଏ ଜନ୍ମ ଘେନି ଆସିଥିବା ମଣିଷଟି କଥା କଣ ସେମିତି?’
‘ଦିନଯାଏ ଦିନଆସେ’ ଏକ ଆତ୍ମଜୀବନୀ କେବଳ ନୁହେଁ ପାଖାପାଖି ଅଶୀ ବର୍ଷର ଏକ ଜୀବନ୍ତ ଇତିହାସ ମଧ୍ୟ।

‘ଦିନଯାଏ ଦିନଆସେ’
ଲେଖକ : ଡ଼କ୍ଟର ଅରବିନ୍ଦ ପଟ୍ଟନାୟକ
ପ୍ରଚ୍ଛଦ : ଜ୍ୟୋତିରଞ୍ଜନ ପଟ୍ଟନାୟକ

ପ୍ରକାଶକ : ଭାରତ ଭାରତୀ
ଗଜପତି ନଗର, ସୂତାହାଟ
କଟକ ୭୫୩୦୦୧
୨୦୧୮
ମୂଲ୍ୟ: ୮୦୦ ଟଙ୍କା

Comment