ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ନିର୍ବାଚନ ଋତୁରେ ଚଳଚଞ୍ଚଳ ହୋଇପଡ଼ିଛି ରାଜ୍ୟ ରାଜନୀତି। ଶାସକ ବିଜେଡି ଦଳ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ପୂର୍ବରୁ ରବିବାର ନବୀନ ନିବାସରେ ବହୁ ନେତା ଡେରା ପକାଇଥିବା ଦେଖିବାକୁ ମିଳିଛି।

ସାଧାରଣତଃ ପଶ୍ଚିମ ଓଡ଼ିଶାର ବହୁ ନେତା, ମନ୍ତ୍ରୀଙ୍କୁ ଆଜି ନବୀନ ନିବାସରେ ଦେଖିବାକୁ ମିଳିଛି। ତେବେ ରବିବାର ଭଳି ଛୁଟି ଦିନରେ ବି ନବୀନ ନିବାସରେ ଭିଡ଼କୁ ଦେଖି ରାଜ୍ୟ ରାଜନୀତିରେ ମାହୋଲ ଗରମ ଥିବା ଜଣା ପଡ଼ୁଛି।

୧୭ ବର୍ଷ ପରେ ବରିଷ୍ଠ ନେତା ଦିଲିପ ରାୟ ଶନବାର ରାତିରେ ନବୀନ ନିବାସରେ ପାଦ ରଖିଥିଲେ। ତେବେ ନିର୍ବାଚନ ପୂର୍ବରୁ ଦିଲିପ ବିଜେଡିକୁ ଫେରିପାରନ୍ତି ବୋଲି ସାଧାରଣରେ କୁହାଯାଉଛି। ଏହାକୁ ଦେଖି ନବୀନ ନିବାସରେ ବଢ଼ି ଚାଲିଛି ନେତା ତଥା ସମର୍ଥକଙ୍କ ଭିଡ଼। ସେହିପରି ନବୀନ ନିବାସରେ ମିଡିଆ ଓ ସୁରକ୍ଷାକର୍ମୀଙ୍କ ଭିଡ଼ ପରିଲିକ୍ଷିତ ହେଉଛି।

ନିର୍ବାଚନ ପାଖେଇ ଆସିବା ସହିତ ନବୀନ ନିବାସ ବହୁ ନୂଆ ତଥା ଯୁବ ନେତାମାନେ ବିଜେଡିରେ ଯୋଗ ଦେଇଛନ୍ତି। ରବିବାର କିନ୍ନର ମହା ନିର୍ଦ୍ଦେଶିକା ମୀରା ପରିଡ଼ା ନିଜ ସମର୍ଥକଙ୍କ ସହିତ ବିଜେଡିରେ ଯୋଗ ଦେଇଛନ୍ତି। ସେହିପରି ପଶ୍ଚିମ ଓଡ଼ିଶାର ବହୁ ଯୁବ ନେତା ଆଜି ନବୀନ ନବାସରେ ବିଜେଡିରେ ଯୋଗ ଦେଇଛନ୍ତି। ଏମାନଙ୍କ ଯୋଗଦାନରେ ବିଜେଡି ଦଳ ଆହୁରି ସମୃଦ୍ଧ ହେବ ବୋଲି ବିଜେଡି ସୁପ୍ରିମୋ ନବିନ ପଟ୍ଟନାୟକ କହିଛନ୍ତି।

ଅନ୍ୟପକ୍ଷରେ ରବିବାର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟା ନବୀନ ନିବାସରେ ପହଞ୍ଚିଛନ୍ତି। ଟିକେଟ୍ ପାଇଁ କସରତ ଚାଲିଥବା ବେଳେ ଗୀତା ନିଜ ସ୍ୱାମୀଙ୍କ ସହିତ ନବୀନ ନିବାସରେ ପହଞ୍ଚିଛନ୍ତି। ତେବେ ଏଥର ଟିକେଟ୍‌ ବଣ୍ଟନରେ ଗୀତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିପାରେ ବୋଲି ଚର୍ଚ୍ଚା ଜୋର୍‌ ଧରୁଛି।

ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖିଲେ ରବିବାର ଛୁଟି ଦିନ ହୋଇଥିବା ସତ୍ତ୍ୱେ ନବୀନ ନିବାସରେ ବହୁ ଭିଡ଼ ପରିଲିକ୍ଷିତ ହୋଇଛି। ଅନ୍ୟପଟେ ବିଜେଡି ପକ୍ଷରୁ କେବେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ସେନେଇ ଅପେକ୍ଷାରେ ଆଶାୟୀ ପ୍ରାର୍ଥୀ।

LEAVE A REPLY

Please enter your comment!
Please enter your name here