ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ କ୍ରିକେଟ ବିଶ୍ୱକପ୍ ୨୦୧୯ର ମୁଖ୍ୟ ବାଧକ ସାଜିଛି ବର୍ଷା। ଲଣ୍ଡନ ଓ ୱେଲ୍‌ସରେ ଅନୁଷ୍ଠିତ ହୋଇଥିବା ଚଳିତ ବିଶ୍ୱକପ୍ ବର୍ଷାରେ ପାଣିଚିଆ ହୋଇଯାଇଛି। ବର୍ଷା ଯୋଗୁଁ ମ୍ୟାଚ୍‌ ଉପରେ ମ୍ୟାଚ୍‌ ବାତିଲ ହୋଇ ଚାଲିଛି। ଏପର୍ଯ୍ୟନ୍ତ ବର୍ଷା କାରଣରୁ ୪ଟି ବିଶ୍ୱକପ୍ ମ୍ୟାଚ୍‌ ବାତିଲ ହୋଇସାରିଛି। ଗୁରୁବାର ଭାରତ-ନ୍ୟୁଜିଲାଣ୍ଡକୁ ବର୍ଷାରେ ଧୋଇଦେବା ପରେ ଏବେ ସମସ୍ତଙ୍କ ନଜର ଭାରତ-ପାକିସ୍ତାନ ମ୍ୟାଚ୍‌ ଉପରେ। ତେବେ ବାତିଲ ହେବ କି ଭାରତ-ପାକିସ୍ତାନ ମ୍ୟାଚ୍‌?

ଜୁନ୍ ୧୬ରେ ଭାରତ ତା’ର ଚତୁର୍ଥ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ। ରବିବାର ଲଣ୍ଡନର ମାଞ୍ଚେଷ୍ଟରଠାରେ ଏହି ହାଇଭୋଲ୍ଟେଜ୍‌ ମ୍ୟାଚ୍‌ ଖେଳାଯିବ। ତେବେ ଭାରତ-ପାକିସ୍ତାନ ମ୍ୟାଚ୍‌ ବେଳେ ମାଞ୍ଚେଷ୍ଟରରେ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ଆକ୍ୟୁ ୱେଦର ରିପୋର୍ଟ ମୁତାବିକ, ଜୁନ ୧୬ରେ ମାଞ୍ଚେଷ୍ଟରରେ ଦିନସାରା ପାଗ କୋହଲା ରହିବ। ସକାଳ ୯, ଦିନ ୧୧ ଏବଂ ଅପରାହ୍‌ଣ ୩ଟାରେ ବର୍ଷା ହେବାର ଆଶଙ୍କା କରାଯାଉଛି। ଏଥିରୁ ଅନୁମାନ କରାଯାଉଛି ଯେ, ମ୍ୟାଚ୍‌ର ଅଧାରୁ ବର୍ଷା ବାଧକ ସୃଷ୍ଟି କରିବ।

ଅନ୍ୟପକ୍ଷରେ ଚଳିତ ବିଶ୍ୱକପ୍‌ରେ ଲଣ୍ଡନରେ ଏପର୍ଯ୍ୟନ୍ତ ସବୁଠୁ ଅଧିକ ବର୍ଷା ହୋଇଛି ମାଞ୍ଚେଷ୍ଟରରେ। ରବିବାର ମାଞ୍ଚେଷ୍ଟରରେ ସର୍ବାଧିକ ତାପମାତ୍ରା ୧୮ ଡିଗ୍ରୀ ଏବଂ ସର୍ବନିମ୍ନ ୧୧ ଡିଗ୍ରୀ ରହିବ। ଏହାକୁ ଦୃଷ୍ଟିରେ ରଖିଲେ ଯଦି ମାଞ୍ଚେଷ୍ଟରରେ ବର୍ଷା ହେବ ତେବେ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ବାତିଲ କରିବାକୁ ପଡ଼ିବ।

ଏପର୍ଯ୍ୟନ୍ତ ବର୍ଷା କାରଣରୁ ୪ଟି ବିଶ୍ୱକପ୍ ମ୍ୟାଚ୍‌ ବାତିଲ ହୋଇସାରିଛି। ଜୁନ୍‌ ୭ରେ ପାକିସ୍ତାନ-ଶ୍ରୀଲଙ୍କା, ଜୁନ୍‌ ୧୦ରେ ୱେଷ୍ଟଇଣ୍ଡିଜ-ଦକ୍ଷିଣ ଆଫ୍ରିକା, ଜୁନ୍‌ ୧୧ରେ ବାଂଲାଦେଶ-ଶ୍ରୀଲଙ୍କା ଏବଂ ଜୁନ୍‌ ୧୩ରେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ ବାତିଲ ହୋଇଛି। ଫଳସ୍ୱରୂପ ପ୍ରତ୍ୟେକ ଟିମ୍‌କୁ ଗୋଟିଏ ଲେଖାଏଁ ପଏଣ୍ଟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଏବେ ସମସ୍ତଙ୍କ ନଜର ଜୁନ ୧୬ ଭାରତ-ପାକିସ୍ତାନ ଉପରେ।

Comment