ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଆଜି ଭୁବନେଶ୍ୱର ଶିଶୁ ଭବନ ଛକରେ ମହିଳା ବିଜେପି-ପୋଲିସ ମୁହାଁମୁହିଁ ହୋଇଛନ୍ତି। ବିଜେପିର ମହିଳା କର୍ମୀମାନେ ନବୀନ ନିବାସ ଆଡ଼କୁ ଯିବାବେଳେ ପୋଲିସ ଅଟକାଇବାରୁ ସେଠାରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଛି। ମହିଳା କର୍ମୀମାନେ ରାସ୍ତା ଉପରେ ଧାରଣାରେ ବସିବା ସହିତ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି।

ଅନ୍ୟପଟେ ପୋଲିସ କିନ୍ତୁ ମହିଳା କର୍ମୀମାନଙ୍କୁ ଧାରଣାରୁ ହଟାଇବାକୁ ଉଦ୍ୟମ ଜାରି ରଖିଛି। ଘଟଣା ସ୍ଥଳରେ ପୋଲିସ ଛାଉଣୀ ହୋଇଥିବା ବେଳେ କିଛି ମହିଳା କର୍ମୀଙ୍କୁ ପୋଲିସ ଗିରଫ ମଧ୍ୟ କରିଛି। ସେହିପରି ଯେତେବେଳ ଯାଏଁ ମମିତାଙ୍କୁ ନ୍ୟାୟ ନମିଳିଛି ସେ ଯାଏଁ ଏହି ଲଢ଼େଇ ଜାରି ରହିବ ବୋଲି ବିଜେପି ମହିଳା କର୍ମୀମାନେ କହିଛନ୍ତି।

କଳାହାଣ୍ଡି ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡକୁ ବିରୋଧ କରି ମହିଳା କର୍ମୀମାନେ ନବୀନ ନିବାସ ଅଭିମୁଖେ କୋକେଇ ଯାତ୍ରା କରୁଥିଲେ। ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି ସହିତ ସିବିଆଇ ତଦନ୍ତ କରିବା ଦାବିରେ ଏହି ଶୋଭାଯାତ୍ରା ହୋଇଥିଲା।

ଅନ୍ୟପଟେ ବିଜେପିର ଏହି ଶୋଭଯାତ୍ରାକୁ ବିଜେଡି ପ୍ରହସନ ବୋଲି କହିଛି। ନ୍ୟାୟ ଦେବା ବିଜେପିର ଲକ୍ଷ୍ୟ ନୁହେଁ ବରଂ ଶସ୍ତା ରାଜନୀତି ପାଇଁ ଏଭଳି କରାଯାଉଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

Comment