ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନମଣ୍ଡଳୀରୁ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଜୟଶ୍ରୀ ରାଉତରାୟ ଆଗାମୀ ନିର୍ବାଚନ ଲଢ଼ିବେ ନାହିଁ। ବାସୁଦେବପୁର ନିର୍ବାଚନମଣ୍ଡଳୀରୁ ଏଥର ବିଜେଡି ପ୍ରାର୍ଥୀ ହୋଇପାରନ୍ତି ବିଜୟଶ୍ରୀଙ୍କ ପୁଅ ବିଷ୍ଣୁପଦ ରାଉତରାୟ।

ନବୀନ ପଟ୍ଟନାୟକଙ୍କ ସରକାରରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ରାହିସାରିଛନ୍ତି ବିଜୟଶ୍ରୀ। ହେଲେ ୨୦୧୯ ନିର୍ବାଚନ ବିଜୟଶ୍ରୀ ଲଢ଼ିବେ ନାହିଁ ବୋଲି ଗତ ବର୍ଷକ ତଳୁ ସଫା ସଫା ମନା କରିଦେଇଛନ୍ତି। ତାଙ୍କ ବଦଳରେ ପୁଅ ବିଷ୍ଣୁପଦ ରାଉତରାୟଙ୍କ ପାଇଁ ଟିକେଟ ନେବାକୁ ଗୋଟି ଚାଳନା କରୁଛନ୍ତି ବିଜୟଶ୍ରୀଙ୍କ ଭଳି ବରିଷ୍ଠ ନେତା।

ମଙ୍ଗଳବାର ପୁଅ ବିଷ୍ଣୁପଦଙ୍କ ସହ ନବୀନ ନିବାସରେ ଦେଖିବାକୁ ମିଳିଥିଲା ବିଜୟଶ୍ରୀଙ୍କୁ। ଚର୍ଚ୍ଚା ହେଉଛି ଏଥର ଟିକେଟ ପୁଅକୁ ଦେବା ନେଇ ସଭାପତିଙ୍କ ସହ କଥା ହେବାକୁ ଆସିଛନ୍ତି ବିଜୟଶ୍ରୀ।

ଆମେ ଯଦି ବିଷ୍ଣୁପଦଙ୍କ ରାଜନୈତିକ କ୍ୟାରିୟର ଦେଖିବା ତେବେ ୨୦୧୭ ପଞ୍ଚାୟତ ନିର୍ବାଚନରେ ବାସୁଦେବପୁର ନିର୍ବାଚନମଣ୍ଡଳୀରେ ପ୍ରଥମେ ଅଗ୍ନିପରୀକ୍ଷା ଦେଇଥିଲେ ବିଷ୍ଣୁପଦ। ବିଜେଡି ପ୍ରାର୍ଥୀଙ୍କ ପାଇଁ ବିଭିନ୍ନ ପଞ୍ଚାୟତରେ ବୁଲି ପ୍ରଚାର କରିଥିଲେ।

ଏଥିରେ ସଫଳ ମଧ୍ୟ ହୋଇଥିଲେ ସେ। ଖାଲି ସେତିକି ନୁହେଁ, ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ଏବଂ ସଭାସମିତି, କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବିଷ୍ଣୁପଦଙ୍କୁ ଅତିଥି ହୋଇ ମଞ୍ଚରେ ବସୁଥିବା ଦେଖିବାକୁ ମିଳୁଛି। ଯଦି ବିଷ୍ଣୁପଦ ଟିକେଟ ପାଆନ୍ତି ତାହାଲେ ବାପା ବିଜୟଶ୍ରୀଙ୍କ ଭଳି ରେକର୍ଡ ଭୋଟରେ ଜିତୁଛନ୍ତି କି ନାହିଁ ଦେଖିବାକୁ ବାକି ରହିଲା।

Comment