ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ସତ୍ୟପାଠରେ ସ୍ଥାବର, ଅସ୍ଥାବର ସମ୍ପତ୍ତି ଦର୍ଶାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

‘‘ଭଉଣୀ ଗୀତା ମେହଟ୍ଟାଙ୍କଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ ଲକ୍ଷ ଟଙ୍କା ଋଣ ଆଣିଛନ୍ତି’’ – ଏହା ଆମେ କହୁନୁ, ନବୀନଙ୍କ ସମ୍ପତ୍ତି ତାଲିକା କହୁଛି।

ହିଞ୍ଜିଳି ବିଧାନସଭା ଆସନ ପାଇଁ ଆଜି ଛତ୍ରପୁର ଉପ-ଜିଲ୍ଲାପାଳଙ୍କ ଅଫିସରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ପ୍ରାର୍ଥିପତ୍ର ଦାଖଲ ବେଳେ ନବୀନ ସତ୍ୟପାଠ ସହ ତାଙ୍କ ସମ୍ପତ୍ତି ତାଲିକା ମଧ୍ୟ ଦେଇଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି ଯେ ଭଉଣୀ ଗୀତା ମେହଟ୍ଟାଙ୍କଠାରୁ ସେ ଋଣ ଆଣିଛନ୍ତି।

ସତ୍ୟପାଠରେ ନବୀନ ଦର୍ଶାଇଛନ୍ତି ଯେ ତାଙ୍କ ପାଖରେ ନଗଦ ୨୫ ହଜାର ଟଙ୍କା ଅଛି।

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖରେ ମୋଟ ୨୩ ଲକ୍ଷ ୨୬ ହଜାର ୫୫୪ ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ତାଙ୍କ ନାଁରେ ୫ଟି ବ୍ୟାଙ୍କ ଆକାଉଣ୍ଟ ରହିଛି। ଷ୍ଟେଟ ବ୍ୟାଙ୍କରେ ୪ଟି ଆକାଉଣ୍ଟ ଥିବା ବେଳେ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଗୋଟିଏ ଆକାଉଣ୍ଟ ରହିଛି।

ଭୁବନେଶ୍ୱର ବାପୁଜୀନଗରସ୍ଥିତ ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟରେ ସର୍ବାଧିକ ୧୪ ଲକ୍ଷ ୨୦ ହଜାର ୫୫୩ ଟଙ୍କା ରହିଛି। ନବୀନଙ୍କ ପାଖରେ କେବଳ ଗୋଟିଏ ଆମ୍ବାସାଡାର କର୍ ରହିଥିବା ସତ୍ୟପାଠରେ ଦର୍ଶାଇଛନ୍ତି। ୨ ଲକ୍ଷ ୧୨ ହଜାର ୨୫୨ ଟଙ୍କାର ସୁନା ଗହଣା ବିଜେଡି ସୁପ୍ରିମୋଙ୍କ ପାଖରେ ରହିଛି।

ନବୀନଙ୍କ ସ୍ଥାବର ସମ୍ପତ୍ତିର ମୂଲ୍ୟ ହେଉଛି ୬୩ କୋଟି ୬୪ ଲକ୍ଷ ୧୫ ହଜାର ୨୬୧ ଟଙ୍କା। ନୂଆଦିଲ୍ଲୀରେ ନବୀନଙ୍କର ୧୦ କୋଟି ୭୫ ଲକ୍ଷ ୫୧ ହଜାର ୭୧ ଟଙ୍କାର ଜମି ରହିଥିବା ସେ ଦର୍ଶାଇଛନ୍ତି। ନବୀନ ନିବାସରେ ନବୀନଙ୍କର ଦୁଇ ତୃତୀୟାଂଶ ସେୟାର ଅଛି। ଏହାର ମୂଲ୍ୟ ୯ କୋଟି ୫୨ ଲକ୍ଷ ୪୬ ହଜାର ୧୯୦ ଟଙ୍କା। ଦିଲ୍ଲୀର ଅବଦୁଲ କଲାମ ରୋଡରେ ଥିବା ବାସଗୃହରେ ନବୀନଙ୍କର ୫୦ ପ୍ରତିଶତ ସେୟାର ରହିଛି। ଏହାର ମୂଲ୍ୟ ୪୩ କୋଟି ୩୬ ଲକ୍ଷ ୧୮ ହଜାର ଟଙ୍କା।

୨୦୧୭-୧୮ ଆର୍ଥିକ ବର୍ଷରେ ମୋଟ ୨୧ ଲକ୍ଷ ୧୭ ହଜାର ୨୨୩ ଟଙ୍କା ରୋଜଗାର କରିଥିବା ନବୀନ ସତ୍ୟପାଠରେ ଦର୍ଶାଇଛନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ୧୯୬୭ ମସିହାରେ କଳାରେ ଗ୍ରାଜୁଏଟ ହାସଲ କରିଥିବା ସତ୍ୟପାଠରେ ଉଲ୍ଲେଖ ରହିଛି।

Comment