ଓଡ଼ିଶାଲାଇଭ୍‌ ବ୍ୟୁରୋ

ସରିଛି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଲାଗି ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା। ମାର୍ଚ୍ଚ ୧୮ରୁ ମାର୍ଚ୍ଚ ୨୬ ଭିତରେ ଉଭୟ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଲାଗି ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବେ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଆସନ ପାଇଁ ନବୀନ ପ୍ରାର୍ଥିପତ୍ର ଦାଖଲ କରିବେ। ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନବୀନ ନିଜର ପ୍ରାର୍ଥିପତ୍ର ଦାଖଲ କରିବେ।

ଏହି ସମୟରେ ନବୀନ ରୋଡ୍ ସୋ କରିବାର କାର୍ଯ୍ୟକ୍ରମ ରହିଛି। ନବୀନ ୧୧ଟା ୧୫ରେ ପ୍ରାର୍ଥିପତ୍ର ଦାଖଲ କରି ୧୧ଟା ୪୫ରେ ଭୁବନେଶ୍ୱର ଫେରିବେ। ଅନ୍ୟପଟେ ବିଜେପୁର ଆସନ ପାଇଁ ମୁଖ୍ୟମନ୍ତ୍ରୀ ୨୫ ତାରିଖରେ ନାମାଙ୍କନ ଦାଖଲ କରିପାରନ୍ତି।

ନବୀନ ପଟ୍ଟନାୟକ ହିଞ୍ଜିଳି ସହ ପଶ୍ଚିମ ଓଡ଼ିଶାର ବିଜେପୁରର ମଧ୍ୟ ନିର୍ବାଚନ ଲଢ଼ିବେ। ସୋମବାର ବିଜେଡି ୯ଲୋକସଭା ସହ ୫୪ ବିଧାନସଭା ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ଅନେକ ନୂଆ ମୁହଁ ଉପରେ ଭରସା କରିଛନ୍ତି ବିଜେଡି ସଭାପତି।

୨୦୦୦ ମସିହାରୁ ନବୀନ ଏହି ଆସନରୁ ପ୍ରତିନିଧିତ୍ୱ କରି ଆସୁଛନ୍ତି।

Comment