ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ନିକଟରେ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ଟିକେଟରେ ନୂଆଦିଲ୍ଲୀରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି କୁହାଯାଉଛି। ଦେଶ ସେବାର ଏପରି ମଉକା ମିଳିଥିବା ନେଇ ଗମ୍ଭୀର ଖୁସି ହୋଇଥିବା କହିଛନ୍ତି। ଏହା ପ୍ରଥମ ଘଟଣା ନୁହେଁ ଜଣେ କ୍ରିକେଟର ରାଜନୀତିରେ ପାଦ ଦେଇଛନ୍ତି। ଏହା ପୂର୍ବରୁ ମଧ୍ୟ ଅନେକ କ୍ରିକେଟ ତାରକା ରାଜନୀତିରେ ପାଦ ଦେଇ ସାରିଛନ୍ତି। ଆସନ୍ତୁ ଜାଣିବା ସେମାନେ କିଏ?

ସଚିନ ତେନ୍ଦୁଲକର

କ୍ରିକେଟର ଭଗବାନ ପରିଚିତ ସଚିନ ତେନ୍ଦୁଲକରଙ୍କ ରାଜନୈତିକ କ୍ୟାରିୟର ୨୦୧୩ରେ ଆରମ୍ଭ ହୋଇଥିଲା। ରାଜ୍ୟସଭା ସାଂସଦ ଭାବେ ସେ ନିର୍ବାଚିତ ହୋଇଥିଲେ। ୨୦୧୪ରେ କଂଗ୍ରେସ ଟିକେଟରେ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଅଫର ମିଳିଥିଲେ ବି ସଚିନ୍ ମନା କରିଦେଇଥିଲେ। କ୍ରିକେଟରେ ସଫଳତା ହାସଲ କରିଥିବା ସଚିନ୍ କିନ୍ତୁ ରାଜ୍ୟସଭା ଭିତରେ ସେଭଳି ପ୍ରଦର୍ଶନ କରିପାରିନାହାନ୍ତି।

ନବଜୋତ୍ ସିଂହ ସିଦ୍ଧୁ

କ୍ରିକେଟର୍ ଟର୍ଣ୍ଣଡ ରାଜନେତା ହେଉଛନ୍ତି ନବଜୋତ୍ ସିଂହ ସିଦ୍ଧୁ। ୫୧ଟି ଟେଷ୍ଟ ଏବଂ ୧୩୧ଟି ଦିନିକିଆ ଖେଳିଥିବା ସିଦ୍ଧୁଙ୍କ ରାଜନୈତିକ କ୍ୟାରିୟର ୨୦୦୪ ମସିହାରେ ଆରମ୍ଭ ହୋଇଥିଲା। ତାଙ୍କୁ ବିଜେପି ପକ୍ଷରୁ ଅମ୍ରିତସରରୁ ଲୋକସଭା ଟିକେଟ୍ ମିଳିଥିଲା। ଏଥିରେ ସେ ବିଜୟ ଲାଭ ମଧ୍ୟ କରିଥିଲେ। ଏହାପରେ ପୁଣି ଥରେ ୨୦୦୯ରେ ବିଜେପି ଟିକେଟରେ ଲୋକସଭା ନିର୍ବାନଚ ଜିତିଥିଲେ। ଏହାପରେ ୨୦୧୬ରେ ସେ ରାଜ୍ୟ ସଭା ପ୍ରାର୍ଥୀ ଭାବେ ଶପଥ ଗ୍ରହଣ କରି ସେହିବର୍ଷ ଜୁଲାଇରେ ଇସ୍ତଫା ଦେଇଥିଲେ। ପରେ ଦଳ ବଦଳାଇ ସେ କଂଗ୍ରେସରେ ସାମିଲ ହୋଇଥିଲେ। ଏବେ ସେ ପଞ୍ଜାବରେ କ୍ୟାବିନେଟ୍ ମନ୍ତ୍ରୀ ଅଛନ୍ତି।

ମହମ୍ମଦ ଆଝାରୁଦ୍ଦିନ

ର୍ପୂବ ଭାରତୀୟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ଖେଳ ପଡ଼ିଆ ଛାଡ଼ିବା ପରେ ପରାଜୟର ସମ୍ମୁଖୀନ ହୋଇଥିଲେ। ସେ ୨୦୧୪ରେ ଲୋକସଭା ନିର୍ବାଚନରେ ହାରିଯାଇଥିଲେ। ୨୦୦୯ ମସିହାରେ ୟୁପି ମୁରାଦାବାଦ ଆସନରୁ ନିର୍ବାଚନ ଲଢ଼ି ସାଂସଦ ହୋଇଥିବା ଆଝାରୁଦ୍ଦିନ ୨୦୧୪ରେ ରାଜସ୍ଥାନର ଟୋକସବାଇ ମାଧୋପୁର ଆସନରେ ହାରିଯାଇଥିଲେ।

ଚେତନ ଚୌହାନ

ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ଚେତନ ଚୌହାନ ମଧ୍ୟ ଦୁଇଥର ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ୧୯୯୧ ଏବଂ ୧୯୯୮ରେ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନରେ ବିଜୟୀ ହୋଇଥିଲେ।

ସେହିପରି ଏହି ତାଲିକା ଅନ୍ୟ କ୍ରିକେଟର୍ କୀର୍ତ୍ତି ଅଜାଦ, ପ୍ରବୀଣ କୁମାର, ବିନୋଦ କାମ୍ବଲି, ଶ୍ରୀସନ୍ଥ, ମହମ୍ମଦ କୈଫ୍ ମଧ୍ୟ ସାମିଲ ରହିଛନ୍ତି। ଏହି ଖେଳାଳୀ ମାନେ ନିଜ କ୍ରିକେଟରେ ନିଜର ସମର୍ଥ ପ୍ରମାଣ କରିଥିବା ବେଳେ ରାଜନୀତିରେ ମଧ୍ୟ ଧମାଲ ମଚାଇଛନ୍ତି।

Comment