ବିଜୟମୋହନ ମିଶ୍ର

‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍‌ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍‌ର ଏହି ସ୍ତମ୍ଭ ମାଧ୍ୟମରେ ବିଭିନ୍ନ ବିଷୟରେ ତାଙ୍କର ସ୍ମୃତି ଓ ଶାଣିତ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରୁଛନ୍ତି।

ଓଡ଼ିଶା ଓ ଓଡ଼ିଆ (୬)

ବସ୍ତୁର ନାମକରଣକୁ ସଂଜ୍ଞା ବୋଲି କହିବା ବ୍ୟାକରଣର କାମ।  ସଂସାରରେ କୌଣସି ପଦାର୍ଥ ସଂଜ୍ଞା ହୋଇ ଜନ୍ମ ହୋଇନାହିଁ, ତା’କୁ ସଂଜ୍ଞା ନାଁରେ ଚିହ୍ନା ଯାଇଛି। ସଂଜ୍ଞା ମାଧ୍ୟମରେ ପଦାର୍ଥର ଗୁଣକୁ ଭର୍ତ୍ତି କରିଦିଆ ହୋଇଛି ବୋଲି ଆମେ ଭାବୁ, କିନ୍ତୁ କେଉଁ ଗୁଣ ଭର୍ତ୍ତି ହୋଇଛି ତା’ ଆମେ ବୁଝିନାହୁଁ। ଥରେ ଗୋଟିଏ ସଂଜ୍ଞା ତିଆରି ହେଲା ପରେ ତା’କୁ ବ୍ୟବହାର କରି ଅନ୍ୟ ପଦାର୍ଥର ନାମକରଣ କରା ହୁଏ। ତେବେ ପ୍ରାକୃତିକ ବସ୍ତୁ ସଂଜ୍ଞାର ବିଶେଷତ୍ୱ ଅଛି। ତା’ର ଅର୍ଥ ଓ ଗୁଣ ବିଶେଷ। ଯେପରି – ପାଣି, ପବନ, ନିଆଁ, ଗଛ, ପାହାଡ଼, ମଣିଷ ଇତ୍ୟାଦି।

ବସ୍ତୁକୁ ନାମକରଣ କଲେ ତା’ ସଂଜ୍ଞା ହେଉଛି, ତେବେ ବସ୍ତୁ ଟି କ’ଣ? ବସ୍ତୁ ଶବ୍ଦ ଟି ଏତେ ପୁରୁଣା ନୁହେଁ, କିନ୍ତୁ ବସ୍ତୁର ମର୍ମ ବହୁତ ପୁରୁଣା। ମଣିଷ ଆବିଷ୍କାର କଲା ଯେ’ ସଂସାର ଅସୁମାରି ବସ୍ତୁ ନେଇ ତିଆରି ହୋଇଛି – ପୋକ, ମାଛି, ଘାସ, ଗଛ, ପତର, କାଠ,ମଣିଷ – ସମସ୍ତେ ଗୋଟିଏ ଗୋଟିଏ ବସ୍ତୁ। ବସ୍ତୁର ଅର୍ଥ ହେଲା – ଯାହାର ଅବସ୍ଥିତି ଅଛି। କିପରି ଜାଣିବା – ବସ୍ତୁର ଅବସ୍ଥିତି ଅଛି ବୋଲି? ବସ୍ତୁର ଆକାର ଅଛି, ଆମେ ବସ୍ତୁକୁ ମାପି ପାରିବା। ତା’ ହେଲେ ପବନ, ପାଣି, ଆଲୁଅ, ଆକାଶ ବା ସମୟ ବସ୍ତୁ ହୋଇ ପାରିବେ ନାହିଁ।  ଏମାନଙ୍କୁ ଆମେ ମାପି ପାରିବା ନାହିଁ, ଏମାନଙ୍କ ଜରିଆରେ ବସ୍ତୁର ସୃଷ୍ଟି ଓ ବସ୍ତୁର କ୍ଷୟ।

ଏ’ ଦର୍ଶନ ସହଜରେ ତିଆରି ହୋଇ ନାହିଁ – ହଜାର ହଜାର ବର୍ଷ ଲାଗି ଥାଇପାରେ। ତେବେ ମୋଟା ମୋଟି ସଂସାରରେ କିଛି ପଦାର୍ଥ ଚିରନ୍ତନ ଏବଂ ଅନ୍ୟ ଅନେକ ପଦାର୍ଥ କ୍ଷୟିଷ୍ଣୁ। ଏହି କ୍ଷୟିଷ୍ଣୁ ପଦାର୍ଥମାନେ ହେଲେ ବସ୍ତୁ – ଏ’ମାନଙ୍କର ଅବସ୍ଥିତି ଅଛି, ଆୟତନ ଅଛି, ପରିବର୍ତ୍ତନ ଅଛି। ଏ’ ପରିବର୍ତ୍ତନର ମୂଳ ହେଲା କର୍ମ। ଚିରନ୍ତନ ପଦାର୍ଥ ସହ ଆମର ସଂପର୍କରେ ଆମର କିଛି ଅଧିକାର ନାହିଁ, ସେମାନଙ୍କ ଉପରେ ଆମର କୌଣସି ଆୟତ୍ତ ନାହିଁ। କିନ୍ତୁ ସଂସାରର ଅନ୍ୟ ବସ୍ତୁ ସହ ଆମର ସଂପର୍କରେ ଆମର ନିଜର ଇଚ୍ଛା ଅଛି। ଏହି ଇଚ୍ଛାର ପ୍ରୟୋଗରେ ଆମର କର୍ମ। ବସ୍ତୁର ଇଚ୍ଛାତ୍ମକ କାର୍ଯ୍ୟ ହେଲା ବସ୍ତୁର କର୍ମ।

ବସ୍ତୁର ଇଚ୍ଛା ସ୍ୱଭାବ ଗତ। ଇଚ୍ଛାରୁ କର୍ମ ନୁହେଁ, ଇଚ୍ଛାରୁ ଅଙ୍ଗଚାଳନ ହେଉଛି କର୍ମ। ଅନ୍ୟ ବସ୍ତୁକୁ ସଂସ୍ପର୍ଶ କରିବା ହେଉଛି କର୍ମ। କର୍ମ ଶାରୀରିକ। କଥା ହେଉଛି, ଅନ୍ୟ ଚିରନ୍ତନ ପଦାର୍ଥ ପରି କର୍ମହୀନ ବସ୍ତୁ ମଧ୍ୟ ଚିରନ୍ତନ ହୋଇପାରେ। କିନ୍ତୁ କର୍ମର ଅଧିକାରରେ ବସ୍ତୁର କ୍ଷୟ ହୁଏ। ବସ୍ତୁ ଭାବି ପାରେ ଯେ ସେ’ ଆଧିପତ୍ୟ ବିସ୍ତାର କରୁଛି, କିନ୍ତୁ ପ୍ରକୃତିର ଚିରନ୍ତନ ତାରେ ସେ’ ବୈଷମ୍ୟ ସୃଷ୍ଟି କରୁଛି। ପ୍ରାକୃତିକ କ୍ଷେତ୍ରରେ ଏ’ ବୈଷମ୍ୟ ସୃଷ୍ଟି କରିବା ହେଲା ବସ୍ତୁର କର୍ମ।  କାହିଁକି, କିପରି ବା କ’ଣର ଉତ୍ତର ନାହିଁ, ଅଙ୍ଗ ଚାଳନ ହିଁ କର୍ମ। ଏହାର ଅର୍ଥ ହେଲା – ମନରେ କଥା ଭାବିବାରେ କର୍ମ ନାହିଁ, କଥା କହିବା ହେଲା କର୍ମ!

ବସ୍ତୁକୁ କର୍ମରେ ଲିପ୍ତ ହେବା ପାଇଁ ବସ୍ତୁର କ୍ରିୟା ଶକ୍ତି ଆବଶ୍ୟକ। ଅବସ୍ଥାନରେ କର୍ମ ନାହିଁ, ଗତିରେ କର୍ମ ଅଛି। ନିଃଶ୍ୱାସ ନେବାରେ କର୍ମ ନାହିଁ, ହସିବାରେ କର୍ମ ଅଛି। ଆପଣାର ଅଙ୍ଗକୁ ନେଇ ଅନ୍ୟକୁ ଆକ୍ରମଣ କରିବା, ଅଧିକାର କରିବା, ବା ସ୍ପର୍ଶକରିବା ହେଲା କର୍ମ। ଏ ଦୃଷ୍ଟିରୁ ଭୂଇଁରେ ଚାଲିବା ହେଲା କର୍ମ, ବସ୍ତୁର କ୍ରିୟା ହିଁ ବସ୍ତୁର କର୍ମ।

ଯଦି କ୍ରିୟା ମଣିଷର ଜୀବନ ସହ ସଂଶ୍ଳିଷ୍ଟ, ତା’ ହେଲେ କର୍ମ ଫଳ କ’ଣ? କେଉଁ କ୍ରିୟା ଠିକ୍, ଆଉ କେଉଁ କ୍ରିୟା ଭୁଲ୍? ସୁଖ ଦୁଃଖ ସାଙ୍ଗରେ ମଣିଷର କର୍ମ ଫଳକୁ ଯୋଡ଼ା ଯାଇପାରେ, କିନ୍ତୁ କ’ଣ ତା’ ସୁଫଳ ଆଉ କ’ଣ ତା’କୁ ଫଳ କିପରି ଜାଣିବା? ଲୋକମାନେ ଚିନ୍ତା କଲେ ଯେ’ଯେଉଁ କାର୍ଯ୍ୟ ସୃଷ୍ଟି ରକ୍ଷାରେ ସହାୟକ ବୋଲି ଆମେ ଭାବିବା, ତା’ସୁକାର୍ଯ୍ୟ, ସୁକର୍ମ; ଯାହା ସୃଷ୍ଟିକୁ ନଷ୍ଟ କରିବ ତା’ କୁକାର୍ଯ୍ୟ, କୁକର୍ମ।

କୃଷି, ଖାଦ୍ୟ ଉତ୍ପାଦନ ହେଲା ସୁକର୍ମ, ପଶୁ ହତ୍ୟା ହେଲା କୁକର୍ମ। ଦୟା ଓ କରୁଣା ହେଲା ସୁକର୍ମ, ହିଂସା ଓ ଜଘନ୍ୟ ତା’ ହେଲା କୁକର୍ମ। ପ୍ରଜା ପାଳିବା ହେଲା ସୁକର୍ମ, ଅତ୍ୟାଚାର କରିବା ହେଲା କୁକର୍ମ! ତେବେ ସୁକର୍ମରୁ ଯେ ଭଲ କର୍ମଫଳ ମିଳିପାରେ, ତା’ ବୁଝିହେଲା ନାହିଁ। ଏହାର କିଛି ପ୍ରମାଣ ନାହିଁ। ମଣିଷ ସବୁବେଳେ ଜଗି ରଖି କାର୍ଯ୍ୟ ନକରିପାରେ – ଏବଂ କୌଣସି କାର୍ଯ୍ୟକୁ ସୁକର୍ମ କି କୁକର୍ମ କହିବା ଗ୍ରନ୍ଥଗତ ନ ହୋଇପାରେ। ଏ’ କଥାକୁ ପୁରୁଣା ମଣିଷ ବୁଝିପାରିଲା ନାହିଁ। ଦୁଃଖ ପଛରେ କୁକର୍ମ ଓ ସୁଖ ପଛରେ ସୁକର୍ମ ଅଛି ବୋଲି ମନେ କରାଗଲା। ସଂସାରର ରୀତିକୁ ମାନି ଚଳିବାକୁ ମଣିଷ ଠିକ୍‌ ବୋଲି ଅନୁମାନ କଲା।

ସୂର୍ଯ୍ୟ ଉତ୍ତାପ ଦେଉଛି, ସୂର୍ଯ୍ୟ ଯୋଗୁଁ ଖାଦ୍ୟ ଉତ୍ପନ୍ନ ହେଉଛି, ତେଣୁ ସୂର୍ଯ୍ୟ ନିଶ୍ଚିତ ଭାବେ ହିତକାରୀ। ଗଛଫଳ ଦେଉଛି, ମନା କରୁନାହିଁ, ବେଶୀ ଫଳୁଛି – ତେଣୁ ଗଛ ନିଶ୍ଚିତ ଭାବେ ହିତକାରୀ। ନଈ ପାଣି ଦେଉଛି, ମନା କରୁ ନାହିଁ, ବହି ଚାଲିଛି, ତେଣୁ ନିଶ୍ଚିତ ଭାବେ ହିତକାରୀ। ହିତକାରୀ କାର୍ଯ୍ୟକୁ ସୁକର୍ମ ବୋଲି କୁହାଗଲା। ବସ୍ତୁର କ୍ରିୟା ଅଛି, ସେ କ୍ରିୟା ହିତକାରୀ ହେବା ଉଚିତ୍‌ ବୋଲି ମଣିଷ ସାବ୍ୟସ୍ତ କଲା!

Comment