ଓଡ଼ିଶାଲଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣକୁ ଆଉ ଅଳ୍ପଦିନ ବାକିଥିବା ବେଳେ ଏବେ ସମସ୍ତେ ସେମାନଙ୍କର ପ୍ରାର୍ଥୀ ଚୂଡ଼ାନ୍ତ କରୁଛନ୍ତି। ଏହାସହ ଦଳଡିଆଁ ପର୍ବ ବି ଜାରି ରହିଛି।

ଏହାରି ଭିତରେ ବିଜେଡିର ପୂର୍ବତନ ବସ୍ତା ବିଧାୟକ ରଘୁନାଥ ମହାନ୍ତି ଉଠା ଜଳସେଚନ ପ୍ରକଳ୍ପର ଅଧ୍ୟକ୍ଷ ପଦ ଛାଡ଼ିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେ ତାଙ୍କ ଇସ୍ତଫାପତ୍ର ଦେଇଛନ୍ତି।

ତେବେ କ’ଣ ପାଇଁ ସେ ଦଳ ଛାଡ଼ିଛନ୍ତି ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ସେ ବ୍ୟକ୍ତିଗତ କାରଣ ପାଇଁ ଦଳ ଛାଡ଼ିଥିବା କହିଛନ୍ତି। ଅନ୍ୟପଟେ ଟିକେଟ ମିଳିବ କି ନାହିଁ ରେ ରଘୁ ମହାନ୍ତି କହଛନ୍ତି, “ଏ ନେଇ ଦଳର ସଭାପତି ନିଷ୍ପତ୍ତି ନେବେ।”

ରଘୁମହାନ୍ତି ବସ୍ତାରେ ବିଜେଡି ଟିକେଟରେ ବିଧାୟକ ରହି ସାରିଛନ୍ତି। କିନ୍ତୁ ପୁଅ ରାଜାଶ୍ରୀ ମହାନ୍ତି ଓ ବୋହୂ ବର୍ଷା ସୋନୀଙ୍କ ମାମଲାକୁ ନେଇ ବିବାଦକୁ ଆସିଥିଲେ ରଘୁନାଥ ଓ ତାଙ୍କ ପରିବାର। ଏପରିକି ଏହି ମାମଲା ପାଇଁ ରଘୁ ମହାନ୍ତିଙ୍କୁ ମନ୍ତ୍ରୀପଦ ହରାଇବାକୁ ପଡ଼ିଥିଲା

ଘଟଣାର କିଛିଦିନ ପରେ ବର୍ଷା ମାମଲାକୁ ପ୍ରତ୍ୟାହୃତ କରିବା ପରେ ରଘୁ ମହାନ୍ତିଙ୍କୁ ଦଳ ପୁଣିଥରେ ଆପଣାଇଥିଲା। ଏହାସହ ତାଙ୍କୁ ଉଠା ଜଳସେଚନ ପ୍ରକଳ୍ପର ଅଧ୍ୟକ୍ଷ ଭାବେ ଥଇଥାନ କରିଥିଲା।

ତେବେ ଏମିତି ସମୟରେ ରଘୁନାଥ ପଦବୀ ଛାଡ଼ି ନୂଆ ସଙ୍କେତ ଦେଇଛନ୍ତି। ଏହାପରେ ଚର୍ଚ୍ଚା ହେଉଛି ହୁଏତ ଦଳ ଛାଡ଼ିପାରନ୍ତି ବସ୍ତାର ପୂର୍ବତନ ବିଧାୟକ ରଘୁନାଥ ମହାନ୍ତି। ଇସ୍ତଫା ପରେ ରଘୁନାଥ ମହାନ୍ତିଙ୍କ ପଦକ୍ଷେପ କ’ଣ ହେବ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

Comment