ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନିର୍ବାଚନ ଲଢ଼ିବେନି ପୂର୍ବତନ ପିପିଲି ବିଧାୟକ ଯୁଧିଷ୍ଠିର ସାମନ୍ତରାୟ। ଆଗାମୀ ନିର୍ବାଚନ ପାଇଁ ପିପିଲି ଆସନରୁ କଂଗ୍ରେସ ଯୁଧିଷ୍ଠିର ସାମନ୍ତରାୟଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ସେ ନିର୍ବାଚନ ଲଢ଼ିବାକୁ ମନା କରିଦେଇଛନ୍ତି। ବୁଧବାର ସକାଳେ କଂଗ୍ରେସ ପିପିଲି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା ଏବଂ ସନ୍ଧ୍ୟାରେ ଯୁଧିଷ୍ଠିର ନିର୍ବାଚନ ଲଢ଼ିବାକୁ ମନା କରିଛନ୍ତି।
ଏ ବାବଦରେ ଯୁଧିଷ୍ଠିର କହିଛନ୍ତି, “ମତେ ଏଥର କଂଗ୍ରେସ ବିଳମ୍ବରେ ଟିକେଟ୍ ଦେଇଛି। ମୁଁ ମୋର କର୍ମୀମାନଙ୍କ ସହ ଆଲୋଚନା କରି ନିର୍ବାଚନ ନଲଢ଼ିବା ପାଇଁ ନିଷ୍ପତ୍ତି ନେଇଛି”
ପିପିଲି ବିଧାନସଭା ଆସନରୁ କଂଗ୍ରେସର ଯୁଧିଷ୍ଠିର ସାମନ୍ତରାୟ ଓ ବିଜେଡିର ପ୍ରଦୀପ ମହାରଥୀ ହେଉଛନ୍ତି ପାରମ୍ପରିକ ପ୍ରତିଦ୍ୱନ୍ଦୀ। ୧୯୯୫ ମସିହାରେ କଂଗ୍ରେସ ଟିକେଟ୍ରେ ନିର୍ବାଚନ ଲଢ଼ି ଯୁଧିଷ୍ଠିର ନିଜର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପ୍ରଦୀଦ ମହାରଥୀଙ୍କୁ ହରାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହା ପରଠୁ ପିପିଲି ଆସନରୁ ସେ କେବେ ବିଜୟୀ ହୋଇନାହାନ୍ତି।
୨୦୧୪ ନିର୍ବାଚନରେ ଯୁଧିଷ୍ଠିର ସାମନ୍ତରାୟ ଓ ପ୍ରଦୀପ ମହାରଥୀଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ଶେଷରେ ୩୩ ହଜାରରୁ ଅଧିକ ଭୋଟ୍ରେ ଆଗୁଆ ରହି ପ୍ରଦୀପ ମହାରଥୀ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।
ଚଳିତ ନିର୍ବାଚନରେ ମଧ୍ୟ ବିଜେଡି ପ୍ରଦୀପ ମହାରଥୀଙ୍କୁ ଟିକେଟ୍ ଦେଇଥିବା ବେଳେ କଂଗ୍ରେସ ଯୁଧିଷ୍ଠିରଙ୍କୁ ବିଳମ୍ବରେ ଟିକେଟ୍ ଦେଇଛି। ଯୁଧିଷ୍ଠିରଙ୍କ ପ୍ରତିକ୍ରିୟାରୁ ଜଣା ଯାଉଛି ବିଳମ୍ବରେ ଟିକେଟ୍ ମିଳିଥିବା କାରଣରୁ ଅସନ୍ତୋଷ ପ୍ରକାଶ କରି ସେ ଏଥର ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି।