ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
‘ମୋଦି’ ନାଁକୁ ଜପି ନିର୍ବାଚନ ମଇଦାନକୁ ଓହ୍ଲାଇଛି ବିଜେପି।
ବିଜେପି ଏବେ କେବଳ ‘ମୋଦି’ ନାଁ ଜପୁଛି। ଦଳୀୟ ପୋଷ୍ଟର ବ୍ୟାନରରେ ’ମୋଦି’ଙ୍କ ଫଟୋ ଛାଇ ଯାଇଥିବା ବେଳେ ଆଜି ପ୍ରକାଶ ପାଇଥିବା ଇସ୍ତାହାରର କଭର ପେଜରେ ବି ରହିଛନ୍ତି ‘ମୋଦି’। ମୋଦି ମନ୍ତ୍ର ଜପି ଜପି ବିଜେପି ୨୦୧୯ ନିର୍ବାଚନ ବୈତରଣୀ ପାର୍ ହେବାକୁ ଚାହୁଁଛି।
୨୦୧୪ରେ ବିଜେପି ସରକାର ଗଠନ କରିବା ପୂର୍ବରୁ ଇସ୍ତାହାର ପ୍ରକାଶ କରିଥିଲା। ଏହି ଇସ୍ତାହାରରେ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥିଲା ବିଜେପି। ୫ ବର୍ଷ ତଳେ ବିଜେପି ଯେଉଁ ଇସ୍ତାହାର ପତ୍ର ପ୍ରକାଶ କରିଥିଲା ସେ କଭର ପେଜରେ ମୋଦିଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କ ଫଟୋ ଦେଖିବାକୁ ମିଳିଥିଲା।
ହେଲେ ୫ ବର୍ଷ ଭିତରେ ସବୁକିଛି ବଦଳି ଯାଇଛି। ୫ ବର୍ଷ ତଳେ ଯେଉଁ ନେତା ହିମାନଙ୍କ ଫଟୋ କଭରପେଜରେ ଦେଖିବାକୁ ମିଳିଥିଲା ସେମାନଙ୍କୁ ୨୦୧୯ ଇସ୍ତାହାରପତ୍ରରେ ଦେଖିବାକୁ ମିଳିନି। କଭର ପେଜରେ କେବଳ ମୋଦି ହିଁ ରହିଛନ୍ତି।
୨୦୧୪ରେ ବିଜେପିର ଇସ୍ତାହାର ପତ୍ରରେ ଟାଇଟଲ ଥିଲା ‘ଏକ୍ ଭାରତ ଶ୍ରେଷ୍ଠ ଭାରତ’। ୨୦୧୯ରେ ଏହି ଟାଇଟଲ ବଦଳି ଯାଇଛି। ଏଥର ଏହି ଇସ୍ତାହାରପତ୍ରର ଟାଇଟଲ ରହିଛି ‘ସଙ୍କଳ୍ପିତ ଭାରତ, ସଶକ୍ତ ଭାରତ’।
୨୦୧୪ରେ କେଉଁମାନେ ଥିଲେ କଭର ପେଜରେ?
୨୦୧୪ ବିଜେପି ଇସ୍ତାହାର ପତ୍ର କଭର ପେଜରେ ବିଜେପିର ବରିଷ୍ଠ ନେତା ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନି, ମୁରଲୀ ମନୋହର ଯୋଶୀ ଏବଂ ରାଜନାଥ ସିଂହଙ୍କ ଫଟୋ ରହିଥିଲା।
ଏହାସହ ନରେନ୍ଦ୍ର ମୋଦି ବିଜେପିର ପୋଷ୍ଟର ବୟ ରହିଥିବାରୁ ତାଙ୍କ ଫଟୋ ବି କଭର ପେଜରେ ରହିଥିଲା। ଏହାସହ ଅରୁଣ ଜେଟଲୀ, ସୁଷମା ସ୍ଵରାଜ, ଶିବରାଜ ସିଂହ ଚୌହାନ, ରମଣ ସିଂଙ୍କ ଫଟୋ ରହିଥିଲା।
୨୦୧୯ରେ ବଦଳିଗଲା ଚିତ୍ର
୨୦୧୪ ନିର୍ବାଚନରେ ବିଜେପି ବିପୁଳ ଭୋଟରେ ବିଜୟୀ ହୋଇଥିଲା। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହୋଇଥିଲେ। ଏବେ ୫ ବର୍ଷ ପୂରି ଯାଇଛି। ପୁଣି ଆସିଛି ନିର୍ବାଚନ। ୨୦୧୪ରେ ଯେଉଁ ଇସ୍ତାହାରପତ୍ର ଦେଖିବାକୁ ମିଳିଥିଲା ତାହା ଏଥର ବଦଳି ଯାଇଛି।
ଏଥର ଇସ୍ତାହାର କଭର ପେଜରେ କୌଣସି ବରିଷ୍ଠ ନେତାଙ୍କ ଫଟୋ ଲାଗିନି। ବାଜପେୟୀଙ୍କ ଫଟୋ କଭରପେଜରୁ ହଟି ବ୍ୟାକ୍ ପେଜକୁ ଯାଇଛି। ତେବେ ଆଡଭାନି, ମୁରଲୀ ମନୋହର ଯୋଶୀଙ୍କ ସମେତ ଅନ୍ୟ କୌଣସି ନେତାଙ୍କ ଫଟୋ ସ୍ଥାନ ପାଇନି। କେବଳ ’ମୋଦି’ଙ୍କ ଫଟୋ ରଖି ବିଜେପି ନିର୍ବାଚନୀ ମଇଦାନକୁ ଓହ୍ଲାଇଛି।
ସବୁଠୁ ବଡ଼ କଥା ହେଉଛି ୨୦୧୪ରେ ଇସ୍ତାହାରପତ୍ର ଉନ୍ମୋଚନ ବେଳେ ମଞ୍ଚରେ ଆଡଭାନି ଏବଂ ଯୋଶୀଙ୍କୁ ଦେଖିବାକୁ ମିଳିଥିଲା। ହେଲେ ଏଥର ଏହି ଦୁଇ ନେତାଙ୍କୁ ଦେଖିବାକୁ ମିଳି ନଥିଲା।