ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜେଡିର ବର୍ଷିୟାନ ନେତା ତଥା କଟକରୁ ପାଞ୍ଚ ଥରର ସାଂସଦ ଭର୍ତ୍ତୃହରି ମହତାବଙ୍କ ଉପରେ ଦଳ ପୁଣି ଥରେ ଭରସା କରିଛି। ତାଙ୍କୁ କଟକ ଲୋକସଭା ସିଟରୁ ପ୍ରାର୍ଥୀ କରିଛି।

୨୦୧୯ ନିର୍ବାଚନ ପୂର୍ବରୁ ଓଡିଶାଲାଇଭକୁ ଦେଇଥିବା ସାକ୍ଷାତକାରରେ ଦୁଇ ଜାତୀୟ ଦଳ ଉପରେ ବର୍ଷିଛନ୍ତି ଭର୍ତ୍ତୃହରି ମହତାବ।

ନବୀନଙ୍କୁ ଧନ୍ୟବାଦ

”ଲୋକଙ୍କ ନିକଟତର ହୋଇ ତାଙ୍କ ଶ୍ରଦ୍ଧା ଭାଜନ ହେବା କଟକ ଲୋକସଭାରେ ଏକ ବଡ ଆହ୍ୱାନ। ବିଜୁ ଜନତା ଦଳ ଓ ନବୀନ ବାବୁ ମୋ’ ଉପରେ ଭରସା କରିଥିବାରୁ ଧନ୍ୟବାଦ। ତାକୁ ପାଥେୟ କରି ନିର୍ବାଚନର ସମ୍ମୁଖିନ ହେବି”, କହିଛନ୍ତି ବରିଷ୍ଠ ବିଜେଡି ନେତା ଭର୍ତ୍ତୃହରି ମହତାବ।

କଂଗ୍ରେସ ଓ ବିଜେପିକୁ ସମାଲୋଚନା 

ପ୍ରକାଶ ଓ ପଞ୍ଚାନନଙ୍କୁ କଟାକ୍ଷ କରି ଭର୍ତ୍ତୃହରି କହିଲେ, ”ପ୍ରକାଶ ମିଶ୍ରଙ୍କ ଦୀର୍ଘ ପୋଲିସ ଜୀବନ ରହିଛି, ପଞ୍ଚାନନଙ୍କ ଦୀର୍ଘ ରାଜନୈତିକ ଜୀବନ ଅଛି। ଉଭୟଙ୍କ ବିରୋଧରେ କିଛି କହିବି ନାହିଁ। କଂଗ୍ରେସ ଦଳର ପ୍ରାସଙ୍ଗିକତା ଓଡିଶାରେ ନାହିଁ। ଭାରତୀୟ ଜନତା ପାର୍ଟି କେବଳ ନିର୍ବାଚନ ସମୟରେ ହିଁ ନିଜର ଉପସ୍ଥିତି ଓଡିଶାରେ ଜାହିର କରେ।”

ମହାନଦୀ ଓ ପୋଲାଭରମ ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟି ନିଜର ଭିନ୍ନ ଆଭିମୁଖ୍ୟ ଦେଖାଇଥିଲା। ଆନ୍ଧ୍ରରେ ରେଳବାଇ ଜୋନ କରି ଉଭୟ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ଓଡିଶାର ସ୍ୱାର୍ଥ ବିରୋଧୀ କାମ କରିଥିଲେ ବୋଲି କହିଛନ୍ତି ମହତାବ।

ବିଜେପି ଓ କଂଗ୍ରେସ ପ୍ରତି ସମଦୂରତା

‘‘ରାଷ୍ଟ୍ରୀୟ ଦଳ କହି ଭୋଟ ମାଗିଲେ ଓଡିଶାରେ କେହି ଢଳିବେ ନାହିଁ। ବିଜୁ ଜନତା ଦଳ ଉଭୟ ବିଜେପି ଓ କଂଗ୍ରେସ ଠାରୁ ସମ ଦୂରତା ରକ୍ଷା କରି ଓଡ଼ିଶାର କଥା ସଂସଦରେ ଉପସ୍ଥାପନ କରିଛି’’ କହିଛନ୍ତି କଟକର ପାଞ୍ଚ ଥରର ସାଂସଦ ଭର୍ତ୍ତୃହରି ମହତାବ।

ନବୀନଙ୍କ ସମୟରେ ଆର୍ଥିକ ଅଭିବୃଦ୍ଧି

୨୦୦୦ ମସିହାରୁ ନବୀନ ପଟ୍ଟନାୟକ ଓଡିଶାର ମୁଖ୍ୟମନ୍ତ୍ରୀ ଅଛନ୍ତି। ଓଡିଶା ରାଜକୋଷ ୫୦୦୦ କୋଟିରୁ ୧ଲକ୍ଷ ୫୦୦୦ କୋଟିରେ ପହଁଚିଛି। ଏ ଆର୍ଥିକ ଅଭିବୃଦ୍ଧି କେବଳ ନବୀନ ବାବୁଙ୍କ ସୁଶାସନ ପାଇଁ ବୋଲି କହିଛନ୍ତି ଭର୍ତ୍ତୃହରି।

ବିଜେଡି ଅମଳରେ କଟକର ବିକାଶ

ୟୁପିଏ ସରକାର କଟକ ପ୍ରତି ଅବହେଳା କରିଥିଲେ। ନବୀନ ପଟ୍ଟନାୟକ ଜାପାନ ସରକାରଙ୍କ ସହାୟତା ନେଇ ଜାଇକା ପ୍ରକଳ୍ପ ଆରମ୍ଭ କରିଛନ୍ତି। ୫ ବର୍ଷରେ କଟକର ବିଦ୍ୟୁତ ସମସ୍ୟାର ସମାଧାନ ହୋଇଛି। କଟକ ଏକ ପର୍ଯ୍ୟଟନସ୍ଥଳୀ ନଥିଲା। କିନ୍ତୁ ଓଡ଼ିଶାର ନୌବାଣିଜ୍ୟ ଇତିହାସକୁ ବୁଝି ନବୀନ ବାବୁଙ୍କ ନେତୃତ୍ୱରେ କଟକରେ ଭାରତର ପ୍ରଥମ ସାମୁଦ୍ରିକ ନୌବାଣିଜ୍ୟ କେନ୍ଦ୍ର ସ୍ଥାପନ କରାଯାଇଛି।

Comment