ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଇସ୍ତାହାରରେ ‘କାଳିଆ’ ଯୋଜନାକୁ ଅଗ୍ରାଧିକାର ଦେଲା ବିଜେଡି।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହେବାର ଅଳ୍ପ କେତେ ଘଣ୍ଟା ପୂର୍ବରୁ ବିଜେଡି ପ୍ରକାଶ କରିଛି ନିର୍ବାଚନୀ ଇସ୍ତାହାର। ଏହି ଇସ୍ତାହାର ଉନ୍ମୋଚନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ତେବେ ଇସ୍ତାହାରରେ ନବୀନ କାଳିଆ କାଳିଆ ଜପିଛନ୍ତି।

ବିଜେଡି ଇସ୍ତାହରରେ କାଳିଆ ଯୋଜନାକୁ ଅଗ୍ରାଧିକାର ଦିଆଯାଇଛି। ଏଥରୁ ସ୍ପଷ୍ଟ ହୋଇଛି ଯେ ‘କାଳିଆ’କୁ ଆୟୁଧ କରି ବିଜେଡି ନିର୍ବାଚନ ବୈତରଣୀ ପାର୍ ହେବାକୁ ଚେଷ୍ଟା ଚଳାଇଛି।

ରାଜସ୍ଥାନ, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଠନ କରିବାର ୧୦ ଦିନ ଭିତରେ କୃଷିଋଣ ଛାଡ଼ କରିଥିଲା। ଓଡ଼ିଶାରେ ମଧ୍ୟ କୃଷିଋଣ ଛାଡ଼ କରିବାକୁ ବିରୋଧୀ ଏବଂ ବିଭିନ୍ନ କୃଷକ ସଙ୍ଗଠନ ଦାବି କରିଥିଲେ।

ହେଲେ କୃଷିଋଣ ଛାଡ଼ କରିବା ବଦଳରେ ଜାନୁଆରି ୨୫ରେ ରାଜ୍ୟ ସରକାର ‘କାଳିଆ’ ଯୋଜନା ଶୁଭାରମ୍ଭ କରିଥିଲେ। ୨୦୧୮-୧୯, ୨୦୨୧-୨୨ରେ ଖରିଫ୍ ଏବଂ ରବି ଋତୁରେ ଚାଷୀଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ଦେବାକୁ ସରକାର ଘୋଷଣା କରିଥିଲେ।

ଖାଲି ସେତିକି ନୁହେଁ, ଏହି କାଳିଆ ଯୋଜନାକୁ ଗାଁ ଗହଳିରେ ବ୍ୟାପକ ପ୍ରଚାର ପ୍ରସାର କରିଥିଲା ବିଜେଡି। ‘କାଳିଆ’ ଯୋଜନାରୁ ଭୋଟ ହାତେଇବା ପାଇଁ ବିଜେଡି ବିଭିନ୍ନ ସ୍ଥାନରେ ଚାଷୀ ସମାବେଶ କରିଥିଲା।

କିଛି ଚାଷୀଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତିର ଟଙ୍କା ଆସିଥିବା ବେଳେ ଆଉ କିଛି ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆସିନି। ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ଲାଗି ରହିଥିବା ବେଳେ ବିଜେଡି ତାର ଇସ୍ତାହାରରେ କାଳିଆକୁ ଅଗ୍ରାଧିକାର ଦେଇଛି।

ଭୋଟ ହାତେଇବା ପାଇଁ ଇସ୍ତାହାରରେ ନବୀନ ‘କାଳିଆ’କୁ ଅସ୍ତ୍ର କରିଛନ୍ତି। ଏହି ଇସ୍ତାହାରରେ ବିଜେଡି କ୍ଷମତାକୁ ଆସିଲେ କାଳିଆ ଯୋଜନା ଜାରି ରଖିବୁ ବୋଲି କହିବା ସହ କାଳିଆ କମିଶନ ଗଠନ କରିବା ପାଇଁ ପ୍ରତିଶ୍ରୁତି ଦେଇଛି ବିଜେଡି।

ଏହାସହ ଚାଷୀ ପିଲାଙ୍କ ପାଇଁ ଆରମ୍ଭ ହୋଇଥିବା କାଳିଆ ବୃତ୍ତି ଜାରି ରଖାଯିବ ବୋଲି ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛି ବିଜେଡି। କ୍ଷମତାକୁ ଆସିଲେ ସରକାର ଗଠନର ପ୍ରଥମ ଦିନରେ ୨୫ ଲକ୍ଷ ଚାଷୀଙ୍କୁ କାଳିଆ ସହାୟତା ଦିଆଯିବ ବୋଲି ବିଜେଡି ଇସ୍ତାହାରରେ ଉଲ୍ଲେଖ କରିଛି।

Comment