ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ଓଡ଼ିଶାର ଆଜି ୪ ଲୋକସଭା ଏବଂ ୨୮ଟି ବିଧାନସଭା ଆସନ ପାଇଁ ମତଦାନ ଚାଲିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ବୌଦ୍ଧର ପୁରୁଣା କଟକ ଅଞ୍ଚଳରେ ନବୀନ ନିର୍ବାଚନୀ ପ୍ରଚାର କରିଛନ୍ତି। ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ସହ କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି ନବୀନ।

ନବୀନ କହିଛନ୍ତି, ‘‘ଓଡ଼ିଶା ପ୍ରତି କେନ୍ଦ୍ର ନେତାଙ୍କର ଦରଦ ନାହିଁ। ନିର୍ବାଚନ ଋତୁ ଚାଲିଥିବାରୁ କେନ୍ଦ୍ର ନେତାମାନେ ଓଡ଼ିଶା ଆସୁଛନ୍ତି। ବନ୍ୟା, ବାତ୍ୟା ଓ ମରୁଡ଼ି ବେଳେ କେନ୍ଦ୍ର ନେତାମାନଙ୍କର ଓଡ଼ିଶାରେ ଦେଖା ନଥିଲା। ହେଲେ ଏବେ ଭୋଟ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।’’

ନବୀନ ଆହୁରି କହିଛନ୍ତି, ‘‘କାଳିଆ ଯୋଜନାରେ ରାଜ୍ୟର ୪୦ ଲକ୍ଷ ଚାଷୀ ଉପକୃତ ହୋଇଥିବା ବେଳେ କେନ୍ଦ୍ର ସରକାର ଏହାକୁ ବନ୍ଦ କରିବାକୁ ବସିଛନ୍ତି। କାଳିଆ ପାଇଁ ଚକ୍ରାନ୍ତ ଚାଲିଛି। ମୁଁ ଥିବା ଯାଏଁ ଏହି ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ।’’

ନବୀନ ବୌଦ୍ଧ ନିର୍ବାଚନୀ ସଭାରେ କେନ୍ଦ୍ରକୁ ପୁଣି ପ୍ରଶ୍ନବାଣରେ ଛନ୍ଦିଛନ୍ତି। ନବୀନ ପ୍ରଶ୍ନ କରିଛନ୍ତି ଯେ ସବୁଜ କ୍ଷେତକୁ ପାଣି କୁଆଡ଼େ ଗଲା? ଧାନର ଦୁଇ ଗୁଣା ଏମଏସପି ବୃଦ୍ଧି କୁଆଡ଼େ ଗଲା? କେବିକେ ଯୋଜନା କାହିଁକି ବନ୍ଦ କରାଗଲା? ଏସସି/ଏସଟି ପିଲାଙ୍କ ସ୍କଲାରସିପ୍ କାହିଁକି ବନ୍ଦ କରାଗଲା? ସ୍ୱାଧୀନତା ୭୨ ବର୍ଷ ପରେ ବୌଦ୍ଧ ଜିଲ୍ଲାରେ କାହିଁକି ରେଳ ପ୍ରକଳ୍ପ ହୋଇପାରୁ ନାହିଁ?

ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ବିଜେଡି ସବୁବେଳେ ଲଢ଼େଇ କରି ଆସୁଛି। ଆଗକୁ ମଧ୍ୟ କରିବ ବୋଲି ନବୀନ କହିଥିଲେ।

Comment