ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନରେନ୍ଦ୍ର ମୋଦିଙ୍କ ଡବଲ ଇଞ୍ଜିନ ଥିଓରିର ଟାଣୁଆ ଜବାବ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

କିଏ ଆପଣଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ?

କେଉଁଠୁ ଲଢୁଛନ୍ତି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ?

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାରେ ବିଜେପି ଡରୁଛି କି?

ଓଡ଼ିଶାର ଇଞ୍ଜିନ କିଏ?

ଏମିତି ସରିଜ ପ୍ରଶ୍ନ କରି ବିଜେପିକୁ ଘେରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ଯେଉଁ ପ୍ରଶ୍ନ ବିଜେଡିର ମୁଖପାତ୍ର ଓ ଛାମୁଆ ନେତାମାନେ ଗଣମାଧ୍ୟମରେ ଉଠାଇ ଆସୁଥିଲେ ଆଜି ସେହି ପ୍ରଶ୍ନ ଉଠାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଦଶପଲ୍ଲା ନିର୍ବାଚନୀ ସଭାରେ ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ପ୍ରଶ୍ନ କରି ରାଜନୀତିକୁ ହଲଚଲ କରିଛନ୍ତି।

ବିଭିନ୍ନ ନିର୍ବାଚନୀ ସଭାରେ କେନ୍ଦ୍ରର ବିଜେପି ଏବଂ ମୋଦି-ଶାହଙ୍କୁ ଟାର୍ଗେଟ କରୁଥିବା ନବୀନ ଆଜି କାହିଁକି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ କଥା ଉଠାଇଲେ ତାକୁ ନେଇ କାରଣ ଖୋଜା ଚାଲିଛି। ଏହା ବିଜେଡିର ଧର୍ମେନ୍ଦ୍ରଙ୍କ ଶିବିରକୁ ’ସଫ୍ଟ ଟାର୍ଗେଟ କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

bjpବିଜେପି ଚେହେରାକୁ ନେଇ ଚର୍ଚ୍ଚା

ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ? ଏହି ପ୍ରଶ୍ନକୁ ନେଇ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା ଲାଗି ରହିଥିଲା। ଏପରିକି ୨୦୧୭ ସେପ୍ଟେମ୍ବରେ ଯେତେବେଳେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରିଥିଲେ ସେତେବେଳେ ମଧ୍ୟ ଗଣମାଧ୍ୟମ ପ୍ରତିନିଧି ଏହି ପ୍ରଶ୍ନ କରିଥିଲେ। ବିଜେଡିର ନବୀନ ପଟ୍ଟନାୟକଙ୍କୁ ମୁକାବିଲା କରିବା ପାଇଁ ବିଜେପି ୨୦୧୯ ନିର୍ବାଚନରେ କାହାକୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଆଗକୁ ଆଣିବ ବୋଲି ପ୍ରଶ୍ନ ହୋଇଥିଲା।

କିନ୍ତୁ ଶାହ ସେତେବେଳେ ଏହି ପ୍ରଶ୍ନର ଉତ୍ତର ଅତି ଚତୁରତାର ସହ ଦେଇଥିଲେ। କହିଥିଲେ ଯେ ବିଜେପିରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କର ଅଭାବ ନାହିଁ। ସମୟ ଆସିଲେ ଓଡ଼ିଶାବାସୀ ଜାଣିବେ ବୋଲି କହିଥିଲେ ଶାହ।

୨୦୧୯ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଶେଷ ହୋଇଯାଇଥିଲେ ମଧ୍ୟ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରି ନାହିଁ। କେବଳ ମୋଦିଙ୍କ ଚେହେରା ଦେଖାଇ ବିଜେପି ନିର୍ବାଚନ ଲଢୁଛି। ମୋଦି ମଧ୍ୟ ବାରମ୍ବାର ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆଉ ଏତିକି ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ‘ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ’ କଥା ଉଠାଇ ରାଜନୀତି ମାହୋଲକୁ ସରଗରମ କରିଛନ୍ତି।

ଧର୍ମେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କହିଥିଲେ ଜୁଏଲ

ଓଡ଼ିଶା ବିଜେପିରେ ଅନେକ ବରିଷ୍ଠ ନେତା ଅଛନ୍ତି। ଅନ୍ୟ ଦଳରୁ ମଧ୍ୟ ବହୁ ହେଭିଓ୍ୱେଟ ନେତା ଆସି ବିଜେପିରେ ସାମିଲ ହୋଇଛନ୍ତି। ତେବେ ବିଜେପି ୨୦୧୯ ନିର୍ବାଚନରେ କୌଣସି ସିଙ୍ଗଲ ନେତାଙ୍କୁ ପୋଷ୍ଟର ବୟ ଭାବେ ଉପସ୍ଥାପିତ କରିନାହିଁ। ଯଦିଓ ବିଜେପି ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଭିନ୍ନ କ୍ଷେତ୍ରରେ ଅଗ୍ରାଧିକାର ଦେଇ ଆସୁଥିଲା, ହେଲେ ଚଳିତ ନିର୍ବାଚନରେ ତାଙ୍କୁ ’ଓଡ଼ିଶାର ଚେହେରା’ ଭାବେ ଉପସ୍ଥାପିତ କରାଯାଇନି।

ଏଣୁ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି ଯେ ଯଦି ବିଜେପି ସରକାର ଗଠନ କରେ ତାହାଲେ ମୁଖ୍ୟମନ୍ତ୍ରୀ କିଏ ହେବେ?

ଯେତେବେଳେ ଆଇଏଏସ୍ ଚାକିରି ଛାଡ଼ି ଅପରାଜିତା ଷଡ଼ଙ୍ଗୀ ବିଜେପିରେ ଯୋଗଦେଲେ ସେତେବେଳେ ତାଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ସେ ବିଜେପିର ’ପୋଷ୍ଟର ଗର୍ଲ’ ହୋଇପାରନ୍ତି ବୋଲି କୁହାଗଲା। କିନ୍ତୁ ସେତେବେଳେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଗଣମାଧ୍ୟମରେ ମୁହଁ ଖୋଲି ପ୍ରଥମ ଥର ପାଇଁ କହିଥିଲେ ଯେ ‘ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ଆମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ’।

ଜୁଏଲଙ୍କ ଏହି ମନ୍ତବ୍ୟ ଉପରେ ଦଳର କୌଣସି ନେତା ଟିପ୍ପଣୀ ଦେଇ ନଥିଲେ। ହେଲେ ନିର୍ବାଚନ ଆସିଗଲା ପଛେ ଧର୍ମେନ୍ଦ୍ରଙ୍କୁ ଓଡ଼ିଶା ବିଜେପିର ଚେହେରା ଭାବେ ମଧ୍ୟ ବିଜେପି ଉପସ୍ଥାପିତ କରିପାରି ନାହିଁ।

ବିଜେପିର ଦୁର୍ବଳତା, ଧର୍ମେନ୍ଦ୍ରଙ୍କ ଦୁଃଖ

୧୯ ବର୍ଷର ବିଜେଡି ଶାସନକୁ ହଟାଇବା ଲାଗି ବିଜେପି ଜୋରଦାର ପ୍ରସ୍ତୁତ କରୁଛି। ପ୍ରାୟ ଦୁଇ ବର୍ଷ ତଳୁ ଏଥିପାଇଁ ରଣନୀତି ପ୍ରସ୍ତୁତ କରିଛି ବିଜେପି। ହେଲେ ନବୀନଙ୍କୁ ଟକ୍କର ଦେବା ପାଇଁ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରି ନଥିବାରୁ ଏହା ଦଳର ଦୁର୍ବଳତା ବୋଲି କୁହାଯାଉଛି।

ଏପଟେ କେନ୍ଦ୍ରରେ ମନ୍ତ୍ରୀ ପଦ ପାଇବା ପରେ ଓଡ଼ିଶାର ବିଜେପି ସଙ୍ଗଠନକୁ ସୁଦୃଢ଼ କରିବା ଲାଗି ପ୍ରୟାସ କରୁଥିବା ଧର୍ମେନ୍ଦ୍ରଙ୍କ ମନରେ ଦୁଃଖ ରହି ଯାଇଥିବା କୁହାଯାଉଛି। ପଞ୍ଚାୟତ ନିର୍ବାଚନ କଥା ହେଉ କି ଅନ୍ୟ କୌଣସି ସାଙ୍ଗଠନିକ କାମ ହେଉ, ଗତ ଚାରି ବର୍ଷ ହେଲା ସବୁଠି ଧର୍ମେନ୍ଦ୍ରଙ୍କ ଚେହେରା ଆଗରେ ରହୁଥିଲା। ଏପରିକି କଥା କଥାରେ ଧର୍ମେନ୍ଦ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରୁଥିଲେ। ଏଣୁ ଓଡ଼ିଶାବାସୀ ଧରି ନେଇଥିଲେ ଯେ ଧର୍ମେନ୍ଦ୍ର ହିଁ ବିଜେପିର ୨୦୧୯ର ଚେହେରା। ହେଲେ ଏନେଇ ବିଜେପି ଶିବିରରୁ କୌଣସି ସ୍ପଷ୍ଟ ଘୋଷଣା ହୋଇନି। ଏଣୁ ଧର୍ମେନ୍ଦ୍ରଙ୍କ ମନରେ ଦୁଃଖ ରହି ଯାଇଥିବା କୁହାଯାଉଛି।

ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ନକରିବା ଏବଂ ନିଜେ ଧର୍ମେନ୍ଦ୍ର ଏଥର ପ୍ରାର୍ଥୀ ନହେବାକୁ ନେଇ ବିଜେଡି ଧର୍ମେନ୍ଦ୍ରଙ୍କୁ ପରୋକ୍ଷ ଭାବେ ଟାର୍ଗେଟ କରିଛି। ଏଥିପାଇଁ ନବୀନ ’ନବୀନ ଆପଣଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କେଉଁଠୁ ଲଢୁଛନ୍ତି’ ବୋଲି ପ୍ରଶ୍ନ କରିଛନ୍ତି।

ନବୀନଙ୍କୁ ନବୀନଙ୍କ ଭାଷାରେ ଜବାବ

ନବୀନ ଆଜି ଦଶପଲ୍ଲା ସଭାରେ ପଚାରିଥିବା ସିରିଜ ପ୍ରଶ୍ନର ଜବାବ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ନବୀନଙ୍କ ଭାଷାରେ ହିଁ ନବୀନଙ୍କୁ ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଯେ ସାଢ଼େ ୪ କୋଟି ଓଡ଼ିଆ ହେଉଛନ୍ତି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ।

ନବୀନ ଏବେ ଯେଉଁଠି ନିର୍ବାଚନୀ ସଭା କରୁଛନ୍ତି ସେଠି ‘ସାଢ଼େ ୪ କୋଟି ଓଡ଼ିଶାବାସୀ ମୋ’ ପରିବାର’ ବୋଲି ଉଦବୋଧନ ଦେଉଛନ୍ତି। ଧର୍ମେନ୍ଦ୍ର ମଧ୍ୟ ଆଜି ସେହି କଥା କହି ନବୀନଙ୍କୁ ଜବାବ ଦେଇଛନ୍ତି।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ନବୀନଙ୍କ ଫିଟନେସ୍ ଭିଡିଓ ଥିଲା ଚର୍ଚ୍ଚାରେ। ପ୍ରଥମ ପର୍ଯ୍ୟାୟ ଭୋଟ ଶେଷ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ନବୀନ ପ୍ରଚାର କରୁଛନ୍ତି। ଏହି ପ୍ରଚାରରେ ନବୀନ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀକୁ ପ୍ରସଙ୍ଗ କରିଛନ୍ତି। ଏହା ପୂର୍ବରୁ ନବୀନ ଏବଂ ବିଜେଡି ନେତାମାନେ ନରେନ୍ଦ୍ର ମୋଦି ଏବଂ ଅମିତ ଶାହଙ୍କୁ ଭାଷଣରେ ଟାର୍ଗେଟ କରୁଥିଲେ। ହେଲେ ଏବେ ନବୀନ ଓଡ଼ିଶା ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ପ୍ରଶ୍ନ ଉଠାଇ ଧର୍ମେନ୍ଦ୍ରଙ୍କ ଶିବିରକୁ ଟାର୍ଗେଟ କରିଥିବା ଚର୍ଚ୍ଚା ହେଉଛି।

Comment