ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ) : ସମ୍ମାନଜନକ ଆସ୍କା ଲୋକସଭା ଆସନରେ ବିଜେଡି ଟିକେଟରେ ନିର୍ବାଚନ ଲଢୁଥିବା ପ୍ରମିଳା ବିଷୋୟୀଙ୍କୁ ନେଇ ଏବେ ଚର୍ଚ୍ଚା ଜୋର୍। ଆସ୍କାର ତେରମାରିଆ ଗାଁରେ ରହୁଥିବା ପ୍ରମିଳାଙ୍କୁ ଲୋକସଭା ଟିକେଟ ଦେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଚମକେଇ ଦେଇଥିଲେ।

ଓଡ଼ିଆ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମାତ୍ର ଦ୍ୱିତୀୟ ଶ୍ରେଣୀ ଯାଏଁ ପାଠ ପଢ଼ିଥିବା ପ୍ରମିଳା ଏବେ ଦିଲ୍ଲୀ ଯିବା ପାଇଁ ପ୍ରଚାର ମଇଦାନରେ ଜୋରଦାର ପ୍ରଚାର ଚଳାଇଛନ୍ତି।

ହିନ୍ଦୀ ଓ ଇଂରାଜୀ ଭାଷା କହିପାରୁ ନଥିବା ଏବଂ ବୁଝିପାରୁ ନଥିବା ପ୍ରମିଳା କହିଛନ୍ତି, ‘‘ଏଥର ନିର୍ବାଚନ ନିଶ୍ଚୟ ଜିତିବି। ଲୋକସଭାରେ ଆସ୍କା ଏବଂ ଓଡ଼ିଶାର ସମସ୍ୟାକୁ ନିଶ୍ଚିତ ଉଠାଇବି।’’

ଦୀର୍ଘ ୧୮ ବର୍ଷ ହେଲା ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡ଼ିତ ହୋଇ ରହିଥିବା ପ୍ରମିଳା ବର୍ତ୍ତମାନ ୨୭ଟି ପଞ୍ଚାୟତର ମହିଳାମାନଙ୍କୁ ସୁସଂଗଠିତ କରିପାରିଛନ୍ତି। ତାଙ୍କ ସଙ୍ଗଠନ ଏମିତି ସୁଦୃଢ଼ ଯେ ସେ ଡାକିଦେଲା ମାତ୍ରେ ମହିଳାମାନେ ଚାଲି ଆସନ୍ତି।

‘‘ସାଂସଦ ହେଲେ ମୁଁ ଓଡ଼ିଶାର ସବୁ ମହିଳାମାନଙ୍କ ପାଇଁ ଜୋରଦାର ଲଢ଼େଇ କରିବି। ଗଞ୍ଜାମ ଜିଲ୍ଲାର ସାଧାରଣ ଲୋକେ ପେଟ ପୋଷିବା ପାଇଁ ଅନ୍ୟ ରାଜ୍ୟକୁ ଯାଉଛନ୍ତି। ସେମାନେ ନିଜ ଜିଲ୍ଲାରେ କିପରି ରୋଜଗାରକ୍ଷମ ହୋଇପାରିବେ ସେ ଦିଗରେ ଉଦ୍ୟମ କରିବି’’, କହିଛନ୍ତି ପ୍ରମିଳା ବିଷୋୟୀ।

ପ୍ରମିଳାଙ୍କ ପରିବାର

ପ୍ରମିଳା ମାତ୍ର ୫ ବର୍ଷ ବୟସରେ ବାଞ୍ଛାନିଧି ବିଷୋୟୀଙ୍କୁ ବିବାହ କରିଥିଲେ।

‘‘ପ୍ରମିଳା ମୋ’ଠାରୁ ବୟସରେ ୨ ବର୍ଷ ସାନ। ବର୍ତ୍ତମାନ ମୁଁ ମୋ’ ସ୍ତ୍ରୀ ପ୍ରମିଳାଙ୍କ ପାଇଁ ପ୍ରଚାର କରୁଛି। ସେ ନିଶ୍ଚୟ ନିର୍ବାଚନରେ ଜିତିବ’’, କହିଛନ୍ତି ବାଞ୍ଛାନିଧି।

ପ୍ରମିଳାଙ୍କ ବଡ଼ ପୁଅ ଦିଲ୍ଲୀପ (୪୮) ଏକ ବାଇକ ଗ୍ୟାରେଜ ଖୋଲିଥିବା ବେଳେ ସାନ ପୁଅ ରଞ୍ଜନ ଏକ ଚା’ ଦୋକାନ ଖୋଲିଛନ୍ତି। ତାଙ୍କର ଦୁଇ ଝିଅ ବିବାହ କରି ସାରିଛନ୍ତି। ପୂର୍ବରୁ ପ୍ରମିଳା ପାଚିକା ସହାୟିକା ଥିଲେ।

ପ୍ରମିଳାଙ୍କ ସ୍ୱାମୀ ବାଞ୍ଚାନିଧି କହିଛନ୍ତି, ‘‘ମାର୍ଚ୍ଚ ୧୭ ତାରିଖରେ ଫୋନ ଆସିଥିଲା। ପ୍ରମିଳାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ କରିବାକୁ ଚାହୁଁଥିବା ଏହି ଫୋନରେ କୁହାଯାଇଥିଲା। ଗାଡ଼ି ଭଡ଼ା କରି ଭୁବନେଶ୍ୱର ଆସିବା ପାଇଁ ଆମ ପାଖରେ ଟଙ୍କା ନଥିଲା। ଘଣ୍ଟାଏ ପରେ ଆମ ଘର ଆଗରେ ଏକ ଗାଡ଼ି ଲାଗିଥିଲା। ଏହି ଗାଡ଼ିରେ ଆମେ ନବୀନ ନିବାସ ଆସିଥିଲୁ। ସେଠାରେ ନବୀନ ପ୍ରମିଳାଙ୍କୁ ଆସ୍କା ଲୋକସଭା ଆସନ ପାଇଁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ।

ପ୍ରାର୍ଥୀ ହେବା ସମ୍ପର୍କରେ ପ୍ରମିଳା କହିଛନ୍ତି, ‘‘ସବୁ ଜଗନ୍ନାଥଙ୍କ ଇଚ୍ଛା। ଆଜିକାଲି ଟଙ୍କା ଦେଲେ ବି ଟିକେଟ ମିଳୁନି। କିନ୍ତୁ ନବୀନ ବାବୁ ମତେ ଡାକିକି ଟିକେଟ ଦେଇଛନ୍ତି। ପ୍ରକୃତରେ ମୁଁ ବହୁତ ଖୁସି ଏବଂ ନବୀନ ବାବୁଙ୍କୁ ଧନ୍ୟବାଦ।’’

‘‘ମହିଳାମାନେ ଓଢ଼ଣା କାଢ଼ି ଘରୁ ବାହାରକୁ ବାହାରିବା ଦରକାର। ପୁରୁଷମାନଙ୍କ ସହିତ କାନ୍ଧ ମିଳାଇ ଆଗକୁ ବଢ଼ିବା ଦରକାର। ଝିଅମାନେ ପାଠ ପଢ଼ାରେ କେବେ ଡୋରି ବାନ୍ଧିବା କଥା ନୁହେଁ। ଛତୁ ଫୁଟିଲା ଭଳି ମଦ ଦୋକାନ ଏବେ ଖୋଲୁଥିବାରୁ ଏହାର କୁପ୍ରଭାବ ନାରୀ ସମାଜ ଉପରେ ପଡୁଛି। ଏହାକୁ କିପରି ରୋକା ଯାଇ ପାରିବ ସେ ଦିଗରେ ପଦକ୍ଷେପ ନେବି’’, କହିଛନ୍ତି ପ୍ରମିଳା।

ପ୍ରମିଳାଙ୍କର କେଉଁ ଖାଦ୍ୟ ପସନ୍ଦ

ଗାଁ ଗହଳିରେ ବଢ଼ିଥିବା ପ୍ରମିଳା ବିଷୋୟୀଙ୍କ ଜୀବନଶୈଳୀ ଅତି ସାଧାରଣ। ସେ ନିରାଡ଼ାମ୍ବର ଜୀବନ ଯାପନ କରନ୍ତି। କାଞ୍ଜି, ମାଣ୍ଡିଆ ଜାଉ, ଶାଗ ହେଉଛି ପ୍ରମିଳାଙ୍କର ପସନ୍ଦର ଖାଦ୍ୟ। ଦିଲ୍ଲୀ ଗଲେ ବି ସେ ଏହି ଖାଦ୍ୟକୁ ଛାଡ଼ି ପାରିବେ ନାହିଁ ବୋଲି ପ୍ରମିଳା କହିଛନ୍ତି।

Comment