ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

କଟକରେ ମେଗା ରୋଡ ସୋ’ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

(କଟକରୁ ପ୍ରଣବ ନନ୍ଦୀ) : କଟକବାସୀଙ୍କ ମନ ଜିଣିବା ପାଇଁ ସିଲଭର ସିଟିରେ ବୁଧବାର ଅପରାହ୍ଣରେ ହାଇଟେକ ବସ୍ ଯୋଗେ ମେଗା ରୋଡ୍ ସୋ’ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।  ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ନରାଜରେ ପହଞ୍ଚିବା ପରେ ୪ଟା ୫୫ ମିନିଟରେ ମଂଟେଶ୍ୱରୀ ଗଡ଼ା ନିକଟରୁ ରୋଡ୍ ସୋ’ ଆରମ୍ଭ କରିଥିଲେ। ଏଠାରେ ଉପସ୍ଥିତ ଥିବା ଶହ ଶହ ମହିଳାମାନେ ହୁଳହୁଳି ଓ ଶଙ୍ଖ ଧ୍ୱନିରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ।

ଏହାପରେ ସେକ୍ଟର ୭ରେ ମୁଖ୍ୟମନ୍ତ୍ରୀ ପଥପ୍ରାନ୍ତ ସଭା କରି କର୍ମୀଙ୍କୁ ଉଦବୋଧନ ଦେଇଥିଲେ। ସତୀଚଉରା, ସେଲଟର ଛକ, କନିକା ଛକ, ଚଣ୍ଡିଛକ, ବକ୍ସିବଜାର, ମଣିସାହୁଛକ, ମାତାମଠ, ରିଙ୍ଗରୋଡ, ମାଲଗୋଦାମ ଥାନା, କଲେଜଛକ, ଦୋଳମୁଣ୍ଡାଇ ଦେଇ ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ’ ବାଦାମବାଡିଠାରେ ପହଞ୍ଚିଥିଲା। ଏଠାରେ ଆୟୋଜିତ ଏକ ପଥପ୍ରାନ୍ତ ସଭାରେ ମୁଖ୍ୟମନ୍ତ୍ରୀ ‘ଜୟ ଜଗନ୍ନାଥ‘ କହି ଉପସ୍ଥିତ କର୍ମୀ ଓ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନସାଧାରଣଙ୍କୁ ‘ଆପଣମାନେ ଖୁସି ତ’ ବୋଲି ପଚାରିବା ସହିତ ‘ମୁଁ ବି ବହୁତ ଖୁସି’ ବୋଲି କହିଥିଲେ।

ଏହାପରେ ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ’ ଶିଖରପୁର, ମହାନଦୀବିହାର, ପୋତାପୋଖରୀ, ନୂଆବଜାର, କନ୍ଦରପୁର, ସୋମପୁର, କଇଜଙ୍ଗା, ଅଥଙ୍ଗା ସେତୁ, ୪୨ ମୌଜା, କଳପଡା, ଝିଙ୍କିରିଆ ଘାଟକୂଳ ଦେଇ ପ୍ରେସ ଛକଠାରେ ପହଞ୍ଚିଥିଲା।

କଟକ ଲୋକସଭା ବିଜେଡି ପ୍ରାର୍ଥୀ ଭର୍ତ୍ତୃହରି ମହତାବ, ବାରବାଟୀ-କଟକ ବିଧାୟକ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ, ଚୌଦ୍ୱାର-କଟକ ବିଧାୟକ ପ୍ରାର୍ଥୀ ସୌଭିକ ବିଶ୍ୱାଳ, ସଦର ବିଧାୟକ ପ୍ରାର୍ଥୀ ଚନ୍ଦ୍ରସାରଥି ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ’  କଟକବାସୀଙ୍କୁ କିମିଆ କରିଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ମହିଳା ଓ ଯୁବକ ନବୀନଙ୍କୁ ଦେଖିବା ପାଇଁ ଉତ୍ସୁତାର ସହିତ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା। ବସ୍ ଭିତରୁ ମୁଖ୍ୟମନ୍ତ୍ରୀ ହାତ ହଲାଇ ଲୋକମାନଙ୍କୁ ଉତ୍ସାହିତ କରିଥିଲେ।

ରୋଡ ସୋ’କୁ ଦୃଷ୍ଟିରେ ରଖି ଡିସିପି ଅଖିଳେଶ୍ୱର ସିଂହଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା।  ମୋଟ ୩୫ ପ୍ଲାଟୁନ ପୋଲିସ ଫୋର୍ସ ଏହି କାର୍ଯ୍ୟକ୍ରମ ପାଇଁ ନିୟୋଜିତ ହୋଇଥିଲେ। ଏଥିରେ ଅତିରିକ୍ତ ଡିସିପି, ଏସିପି, ଇନ୍ସପେକ୍ଟର, ଏସଆଇ ଏବଂ ଏଏସଆଇଙ୍କୁ ମିଶାଇ ୭୦ ପୋଲିସ ଅଫିସର ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ହୋଇଥିଲେ। ଅପରପକ୍ଷରେ ଟ୍ରାଫିକ ପୋଲିସ ପକ୍ଷରୁ ଜଣେ ଏସିପିଙ୍କ ନେତୃତ୍ୱରେ ଇନ୍ସପେକ୍ଟର, ଏସଆଇ, ଏଏସଆଇ ସମେତ ୮୦ ଜଣ କନେଷ୍ଟବଳ ନିୟୋଜିତ ହୋଇଥିଲେ।

Comment