ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବ୍ରହ୍ମପୁର, ବଲାଙ୍ଗିର, ବରଗଡ଼, ରାଉରକେଲା ଏବଂ ରଘୁନାଥପାଲିରେ ନବୀନଙ୍କ ହାଇଟେକ ବସ୍ ଗଡ଼ିବା ପରେ ଆଜି ସିଲଭର ସିଟି କଟକରେ ଗଡ଼ିଛି। ବୁଧବାର ଅପରାହ୍ଣରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଟକରେ ରୋଡ ସୋ’ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି।

ଅପରାହ୍ଣ ପ୍ରାୟ ସାଢ଼େ ୪ଟାରୁ ନବୀନ ଆରମ୍ଭ କରିଥିଲେ ରୋଡ ସୋ’। ହାଇଟେକ ବସରେ ବସି ନବୀନ ସିଡିଏ, ସତୀଚଉରା, ଚଣ୍ଡି ମନ୍ଦିର ଛକ ଆସିଥିଲେ। ବାରବାଟୀ ଷ୍ଟାଡିୟମ, ରିଙ୍ଗରୋଡ୍ ପରିକ୍ରମା କରି ଭୋଟ ମାଗିଥିଲେ। କଟକର ପ୍ରାୟ ୪୦ରୁ ଅଧିକ ଛକ ଦେଇ ନବୀନଙ୍କ ହାଇଟେକ ବସ୍ ଗଡ଼ିଥିଲା। ପ୍ରତି ଛକରେ ନବୀନଙ୍କୁ ଅପେକ୍ଷା କରି ରହିଥିଲେ ଲୋକେ।

ନବୀନ ପଟ୍ଟନାୟକ ଜିନ୍ଦାବାଦ ଏବଂ ବିଜେଡି ଜିନ୍ଦାବାଦ ଧ୍ୱନିରେ କମ୍ପୁଥିଲା କଟକର ପରିବେଶ। ବିଭିନ୍ନ ଛକରେ ବସ୍ ଅଟକାଇ ନବୀନ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ନିବେଦନ କରିଥିଲେ।

କଟକରେ ରୋଡ ସୋ’ କରିବା ପୂର୍ବରୁ ନବୀନ ଆଜି ମୟୂରଭଞ୍ଜର କରଞ୍ଜିଆ, କେନ୍ଦୁଝର ଜିଲ୍ଲାର ପାଟଣା, ତେଲକୋଇ, ଘଷିପୁରା, ଆନନ୍ଦପୁରରେ ପ୍ରଚାର କରିଥିଲେ। କେନ୍ଦୁଝରରୁ ନବୀନ ହେଲିକପ୍ଟରରେ ନରାଜ ହେଲିପ୍ୟାଡରେ ଓହ୍ଲାଇଥିଲେ। ପରେ ହାଇଟେକ ବସରେ ବସି ପ୍ରଚାର କରିଥିଲେ।

Comment